ଆହୁରି ଚଢ଼ିଲା ଫୁଟବଲ ଫିଭର : ଫ୍ରାନ୍ସ ଠାରୁ ହାରିବା ପରେ ମରକ୍କୋ ଫ୍ୟାନ୍ସଙ୍କ ହିଂସାକାଣ୍ଡ, ଅନେକ ସ୍ଥାନରେ ପୋଡ଼ାଜଳା

କତାରରେ ଚାଲିଥିବା ଫିଫା ବିଶ୍ୱକପ ସେମିଫାଇନାଲରେ ମରକ୍କୋକୁ ହରାଇ ଫ୍ରାନ୍ସ ଫାଇନାଲରେ ପ୍ରବେଶ କରିଛି। ଫାଇନାଲରେ ଆର୍ଜେଣ୍ଟିନା ଏବଂ ଫ୍ରାନ୍ସ ମୁହାଁମୁହିଁ ହେବେ । ସେମିରେ ଫ୍ରାନ୍ସ ମରକ୍କୋକୁ ୨-୦ରେ ହରାଇଛି। ତେବେ ମରକ୍କୋ ହାରିଯିବା ପରେ ଏହାର ଫ୍ୟାନ୍‌ମାନଙ୍କ ମନ ଭାଙ୍ଗି ଯାଇଛି । ଏହା ପରେ ବ୍ରସେଲ୍ସ ରାସ୍ତାରେ ମରକ୍କୋ ସମର୍ଥକମାନେ ତୁମୁଳ କାଣ୍ଡ ଘଟାଇଛନ୍ତି । କେଉଁଠି ଭଙ୍ଗାରୁଜା କରିଛନ୍ତି ତ ଆଉ କେଉଁଠି ନିଆଁ ଲଗାଇ ଦେଇଛନ୍ତି ।

ପୁଣି କେତେକ ସ୍ଥାନରେ ଫ୍ରାନ୍ସ ଏବଂ ମରକ୍କୋ ଫ୍ୟାନ୍‌ଙ୍କ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିଛି । ସେମାନେ ପୋଲିସ ଉପରେ ମଧ୍ୟ ଆକ୍ରମଣ କରିବାକୁ ପଛାଇ ନାହାନ୍ତି । ଜର୍ମାନୀର ରାଜଧାନୀ ବ୍ରସେଲ୍ସରେ ଏଭଳି କିଛି ଘଟଣା ଘଟିଛି।

ସେମିରେ ମରକ୍କୋ ହାରିବା ପରେ ଫାଇନାଲରେ ଖେଳିବାର ସ୍ୱପ୍ନ ଭାଙ୍ଗି ଯାଇଥିଲା। ଆଉ ବିଶ୍ୱକପ ସେମିରେ ହାରିବାକୁ ବରଦାସ୍ତ କରି ପାରିନଥିଲେ ମରକ୍କୋ ଫ୍ୟାନ୍ସ । ବ୍ରସେଲ୍ସରେ ରହୁଥିବା ପ୍ରାୟ ୧୦୦ରୁ ଅଧିକ ମରକ୍କୋ ଫ୍ୟାନ ରାସ୍ତାକୁ ଓହ୍ଲାଇ ସେମାନଙ୍କ ଅସନ୍ତୋଷ ପ୍ରକାଶ କରିଛନ୍ତି। ମରକ୍କୋ ପତାକା ଧରିଥିବା ଶତାଧିକ ଫ୍ୟାନ୍ସ ପ୍ରଥମେ ବ୍ରସେଲ୍ସର ସାଉଥ ଷ୍ଟେସନ ନିକଟରେ ମୁତୟନ ହୋଇଥିବା ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ନିଆଁର ଗୋଳା ଏବଂ ଅନ୍ୟ ଜିନିଷପତ୍ର ଫିଙ୍ଗିଥିଲେ।

ଏହି ଉଗ୍ର ଫ୍ୟାନ୍‌ମାନଙ୍କୁ ସୁରକ୍ଷାକର୍ମୀ ବିଶୃଙ୍ଖଳା ସୃଷ୍ଟି ନ କରିବାକୁ କହିଥିଲେ। ହେଲେ ସେମାନେ କିଛି ବି ଶୁଣି ନଥିଲେ। ଚେତାବନୀ ସତ୍ତ୍ୱେ ସେମାନେ ଷ୍ଟେସନ ନିକଟରେ ଥିବା ଅଳିଆ ଗଦା ଓ ଅନ୍ୟାନ୍ୟ କାର୍ଡବୋର୍ଡ ବକ୍ସରେ ନିଆଁ ଲଗାଇ ଦେଇଥିଲେ। ଫଳରେ ମରକ୍କୋ ଫ୍ୟାନ୍ସ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ସୁରକ୍ଷାକର୍ମୀମାନେ ପାଣି ମାଡ଼ କରିବା ସହ ଟିୟର ଗ୍ୟାସର ବ୍ୟବହାର କରିଥିଲେ। ଶେଷରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ପୋଲିସ କିଛି ମରକ୍କୋ ଫ୍ୟାନ୍ସଙ୍କୁ ଗିରଫ ମଧ୍ୟ କରିଛି ।

 

ଫ୍ରାନ୍ସର ପ୍ୟାରିସରେ ମଧ୍ୟ ମରକ୍କୋ ଫ୍ୟାନ୍ସ ଉତ୍ପାତ କରିଥିଲେ। ଫ୍ରାନ୍ସ ଜିତିବା ପରେ ଫ୍ୟାନ୍ସ ସଡ଼କରେ ଉତ୍ସବ ପାଳନ କରୁଥିଲେ। କିନ୍ତୁ ଏହାକୁ ସହି ନପାରି ଅନେକ ସ୍ଥାନରେ ମରକ୍କୋ ଫ୍ୟାନ୍ସ ସେମାନଙ୍କ ସହିତ ଗଣ୍ଡଗୋଳ କରିଥିଲେ । ସୂଚନା ଅନୁସାରେ, ଫ୍ରାନ୍ସରେ ଅଧିକାଂଶ ପ୍ରବାସୀ ମରକ୍କୋ ଲୋକ ରହୁଛନ୍ତି । ଏଠାରେ ଅନେକ ସ୍ଥାନରେ ଦୁଇ ଦେଶର ଫ୍ୟାନ୍ସ ମୁହାଁମୁହିଁ ହୋଇଥିଲେ । ସେହିଭଳି ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ମଧ୍ୟ ହୋଇଥିଲା ।

ଡିସେମ୍ବର ୧୮ରେ ହେବାକୁ ଯାଉଥିବା ଫିଫା ବିଶ୍ୱକପ ଫାଇନାଲରେ ଆର୍ଜେଣ୍ଟିନା ଏବଂ ଫ୍ରାନ୍ସ ଖେଳିବେ ।

Leave A Reply

Your email address will not be published.