ସ୍ୱଦେଶ ଫେରିଲା ଫୁଟବଲ୍ ବିଶ୍ୱବିଜୟୀ ଦଳ ଫ୍ରାନ୍ସ

ନୂଆଦିଲ୍ଲୀ : ଫ୍ରାନ୍ସର ବିଶ୍ୱକପ୍ ଫୁଟବଲ୍ ଚାମ୍ପିଅନ ଟିମ୍କୁ ନିଜ ଦେଶରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ସମସ୍ତ ଖେଳାଳି ସ୍ୱତନ୍ତ୍ର ବିମାନ ଯୋଗ ପହଞ୍ଚିବା ପରେ ବିମାନବନ୍ଦରରେ ଜୋରଦାର ସ୍ୱାଗତ କରାଯାଇଥିଲା । ଏହାପରେ ସମସ୍ତ ଖେଳାଳି ସ୍ୱତନ୍ତ୍ର ବସରେ ବିଶ୍ୱକପ୍ ଟ୍ରଫି ଧରି ସହର ପରିକ୍ରମା କରିଥିଲେ। ରାସ୍ତାର ଉଭୟ ପାର୍ଶ୍ୱରେ ଖେଳାଳିଙ୍କୁ ସ୍ୱାଗତ କରିବା ସହ ଶୁଭେଚ୍ଛା ଜଣାଇଥିଲେ ଲକ୍ଷ ଲକ୍ଷ ଲୋକ। ରାସ୍ତାର ଉଭୟ ପାର୍ଶ୍ୱ ଜନସମୁଦ୍ର ପାଲଟିଥିଲା।

ଆକାଶମାର୍ଗରୁ ବି ବିଶ୍ୱବିଜୟୀ ଟିମକୁ ଅଭିନନ୍ଦନ ଜ୍ଞାପନ କରାଯାଇଥିଲା। ଫ୍ରାନ୍ସ ଏୟାର ଫୋର୍ସର ୯ଟି ଜେଟ୍ ବିମାନ କଳାକୌଶଳ ଦେଖାଇଥିଲେ । ରଙ୍ଗିନ ଆତସବାଜିରେ କମ୍ପି ଉଠିଥିଲା ଫ୍ରାନ୍ସ ରାଜରାସ୍ତା । କ୍ରୋଏସିଆକୁ ୪-୨ ଗୋଲ୍ରେ ହରାଇ ଦ୍ୱିତୀୟ ଥର ପାଇଁ ବିଶ୍ୱକପ୍ ଫୁଟବଲ୍ ଚାମ୍ପିଅନ୍ ହୋଇଛି ଫ୍ରାନ୍ସ। ସେହିପରି କ୍ରୋଏସିଆରେ ବି ଖେଳାଳିଙ୍କୁ ଜୋରଦାର ସ୍ୱାଗତ କରାଯାଇଛି । ବିରାଟ ଶୋଭାଯାତ୍ରାରେ ଖେଳାଳିଙ୍କୁ ବିମାନବନ୍ଦରରୁ ପାଛୋଟି ନିଆଯାଇଥିଲା । ପ୍ରଥମ ଥର ଫାଇନାଲ୍କୁ ଯାଇ ଲଢୁଆ ପ୍ରଦର୍ଶନ କରିଥିଲା କ୍ରୋଏସିଆ।