କାଲି ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟି-୨୦, ଛୁଟି ଦିନରେ ଦର୍ଶକଙ୍କ ପାଇଁ ପଇସା ଅସୁଲ ମନୋରଞ୍ଜନ

ବିଶାଖାପାଟଣା : ଆସନ୍ତାକାଲି ରାତି ୭ଟାରେ ବିଶାଖାପାଟଣା ଷ୍ଟାଡିୟମରେ ବର୍ଷା ହେବ । ବର୍ଷା ଛକା, ଚୌକାର । ଭାରତ ଗସ୍ତରେ ଆସିଥିବା ଅଷ୍ଟ୍ରେଲିଆ ଓ ଟିମ୍ ଇଣ୍ଡିଆ ମଧ୍ୟରେ ଖେଳାଯିବ ଚଳିତ ସିରିଜ୍ର ପ୍ରଥମ ଟି-୨୦ ମ୍ୟାଚ୍ । ରବିବାର ଛୁଟି ଦିନରେ ଦର୍ଶକ ଏହି ମ୍ୟାଚ୍ର ଭରପୂର ମଜା ଉଠାଇବେ ।
ଆଗାମୀ ବିଶ୍ୱକପ୍ ପାଇଁ ଉଭୟ ଦଳ ପ୍ରସ୍ତୁତ ହେଉଥିବାରୁ ଏହି ଦୁଇ ମ୍ୟାଚ୍ର ଟି-୨୦ ସିରିଜ୍ ଏବଂ ଏହା ପରେ ଖେଲାଯିବାକୁ ଥିବା ୫ ମ୍ୟାଚ୍ର ଦିନିକିଆ ସିରିଜ୍ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି ।
ଭାରତୀୟ ଦଳ ସଫଳ ବିଦେଶ ଗସ୍ତ ସାରି ଫେରିବା ପରେ ଘରୋଇ ପଡ଼ିଆରେ ଏହି ସିରିଜ୍ ଖେଳିବ । ତେବେ ଶେଷ ଭାଗରେ ଦଳକୁ ଏକା କରି ଚାଲି ଆସିଥିବା ଅଧିନାୟକ ବିରାଟ କୋହଲି ଏବଂ ବିଶ୍ରାମ ଦିଆଯାଇଥିବା ପେସ୍ ବୋଲର୍ ବୁମ୍ବୁମ୍ ବୁମରାଙ୍କ ଉପରେ ସମସ୍ତଙ୍କ ନଜର ରହିବ । ଆଉ ଏକ ବିଶେଷ କଥା ହେଉଛି, ଇଂଲଣ୍ଡ ବିଶ୍ୱକପ୍ ପାଇଁ ପ୍ରାୟତଃ ଭାରତୀୟ ଦଳ ସ୍ଥିର ହୋଇ ସାରିଛି । ଆଉ ଯେଉଁ ଗୋଟିଏ ଦୁଇଟି ସ୍ଥାନ ବାକି ରହିଛି ତାହା ଏହି ସିରିଜ୍ ପରେ ପୂରଣ ହୋଇଯିବ । କାଲିର ମ୍ୟାଚ୍ରେ ମଧ୍ୟଭାଗରେ ଗୋଟିଏ ପରିବର୍ତ୍ତନ କରିପାରେ ଭାରତୀୟ ଦଳ । ରବୀନ୍ଦ୍ର ଜାଡେଜା, ଦୀନେଶ କାର୍ତ୍ତିକ, କେଏଲ୍ ରାହୁଲଙ୍କ ଭିତରୁ କାହାକୁ ସୁଯୋଗ ମିଳୁଛି ଦେଖିବାର କଥା ।
ତେବେ ଆଜି ସାମ୍ବାଦିକ ସମ୍ମିଳନୀରେ ଅଧିନାୟକ କୋହଲି ତାଙ୍କ ଖେଳାଳିମାନଙ୍କୁ ଗୋଟିଏ କଥା ପ୍ରତି ବିଶେଷ ଭାବେ ସତର୍କ କରି ଦେଇଛନ୍ତି । ଏବେ ଏହି ଟି-୨୦ ସିରିଜ୍ ପରେ ଖୁବ୍ ଶୀଘ୍ର ଆଇପିଏଲ୍ ଖେଳିବାକୁ ପଡ଼ିବ । ତେଣୁ ମାତ୍ରାଧିକ ଟି-୨୦ ଖେଳର ପ୍ରଭାବ ଯେମିତି ବିଶ୍ୱକପ୍ ଉପରେ ନପଡ଼େ ସେଥିଲାଗି ସତର୍କ କରି ଦେଇଛନ୍ତି । ଆହୁରି ମଧ୍ୟ ସେ ଚଳିତ ସିରିଜ୍ରେ ଅଷ୍ଟ୍ରେଲିଆ ଦଳର ମାର୍କସ୍ ଷ୍ଟୋଇନିସ୍ଙ୍କୁ ଜଗିବା ପାଇଁ ନିଜ ଖେଳାଳିମାନଙ୍କୁ ପରାମର୍ଶ ଦେଇଛନ୍ତି ।
ଉଭୟ ଦଳ ମ୍ୟାଚ୍ ଜିତିବାକୁ ଉତ୍ସୁକ । ଅଷ୍ଟ୍ରେଲିଆରେ ସେମାନେ ୩ଟି ମ୍ୟାଚ୍ ଖେଳିଥିଲେ । ଯାହ ୧-୧ରେ ଡ୍ର ରହିଥିଲା । ଏବେ ଦେଖିବାର କଥା ଭାରତରେ କଣ ହେଉଛି । ପାଗ ଭଲ ଅଛି । ପିଚ୍ ମଧ୍ୟ ବ୍ୟାଟିଂକୁ ସୁହାଇବ । ତେଣୁ କାଲି ଖୁବ୍ ଜମିବ ମ୍ୟାଚ୍ । ପାକିସ୍ତାନ ସହ ଲାଗି ରହିଥିବା ଉତ୍ତେଜନାରୁ କିଛି ପରିମାଣରେ ଲୋକଙ୍କ ଧ୍ୟାନ ହଟାଇବ ଏହି ଖେଳ ।
ଏବେ ଦେଖନ୍ତୁ ନେଟ୍ସରେ ଭାରତୀୟ ଖେଳାଳିଙ୍କ ବ୍ୟାଟିଂ ଅଭ୍ୟାସର ଭିଡିଓ…
Belting it at the nets @msdhoni 💥💥🔥👌🏻 #TeamIndia @Paytm #INDvAUS pic.twitter.com/hRDZUE5MvX
— BCCI (@BCCI) 23 February 2019