ଉତ୍କଳ ବିଶ୍ବବିଦ୍ୟାଳୟ ଆଥଲେଟିକ୍ ମିଟରେ ସ୍ବର୍ଣ୍ଣ ପଦକ ଜିତିଲେ କୃଷ୍ଣପ୍ରିୟା ଓ ଶୁଭଶ୍ରୀ

ଭୁବନେଶ୍ବର : ୭୩ତମ ଉତ୍କଳ ବିଶ୍ବବିଦ୍ୟାଳୟ ଆଥଲେଟିକ୍ ମିଟରେ ୩ଟି ସ୍ବର୍ଣ୍ଣ ପଦକ ସହ ମୋଟ ୫ଟି ପଦକ ଜିତିଛନ୍ତି ଏକାମ୍ର କଲେଜର ଦୁଇଜଣ ଛାତ୍ରୀ । ସେମାନେ ହେଲେ କୃଷ୍ଣପ୍ରିୟା ବରିଶଲ୍ୟଏବଂ ଶୁଭଶ୍ରୀ ପରିଡ଼ା । ଏହି ଦୁଇ ଖେଳାଳି ଅନୁଷ୍ଠାନ ପାଇଁ ଗୌରବ ଆଣିଛନ୍ତି । ଅଡ଼ଶପୁର ୟୁଏନ୍ କଲେଜରେ ଗତ ୩ରୁ ୫ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଏହି କ୍ରୀଡ଼ାର ମହିଳା ୧୦୦ ଓ ୨୦୦ ମିଟର ଦୌଡ଼ରେ କୃଷ୍ଣପ୍ରିୟା ସ୍ବର୍ଣ୍ଣ ପଦକ ଜିତିଛନ୍ତି । ଅନ୍ୟପକ୍ଷରେ ଶୁଭଶ୍ରୀ ୪୦୦ ମିଟରରେ ସ୍ବର୍ଣ୍ଣ ଜିତିଥିବା ବେଳେ ୧୦୦ ଓ ୨୦୦ ମିଟର ଦୌଡ଼ରେ ବ୍ରୋଞ୍ଜ୍ ପଦକ ହାସଲ କରିଥିଲେ ।

ଏକାମ୍ର କଲେଜ ଟିମ୍ କଲେଜର କ୍ରିକେଟ୍ କୋଚ୍ ମନୋଜ ମହାପାତ୍ରଙ୍କ ତତ୍ତ୍ବାବଧାନରେ ପ୍ରତିଯୋଗିତାରେ ଭାଗ ନେଇଥିଲା । ଖେଳାଳିଙ୍କ ସଫଳତା ପାଇଁ କଲେଜର ଅଧ୍ୟକ୍ଷ ଓ ଅଧ୍ୟାପକ ଏବଂ ଛାତ୍ର ଛାତ୍ରୀମାନେ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।