କିଟ୍‌ର ୩ ଅଲିମ୍ପିକ୍‌ ଖେଳାଳିଙ୍କୁ ରାଜଭବନ ପରିସରରେ ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ

ଭୁବନେଶ୍ବର(କେନ୍ଯୁଜ୍): କିଟ୍‌ର ୩ ଅଲିମ୍ପିକ୍‌ ଖେଳାଳିଙ୍କୁ ରାଜଭବନ ପରିସରରେ ଶୁଭେଚ୍ଛା ଜଣାଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍‌ । ଦୂତୀ ଚାନ୍ଦ ରାଜଭବନରେ ଉପସ୍ଥିତ ଥିବା ବେଳେ ଅସୀ ଚାଳିକା ସି ଏ ଭବାନୀ ଦେବୀ ଏବଂ ଜାଭେଲିନ୍‌ ଥ୍ରୋ ଖେଳାଳି ଶିବପାଲ୍‌ ସିଂହ ଭର୍ଚୁଆଲରେ ଯୋଡ଼ି ହୋଇଥିଲେ ।

ଏହି ଅବସରରେ ରାଜ୍ୟପାଳ ସମସ୍ତ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇବା ସହ ପ୍ରତ୍ୟେକଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ କରିଥିଲେ । ଏହି ତିନିଜଣ ଖେଳାଳି ଅଲିମ୍ପିକରେ ପଦକ ଆଣିବା ନେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଆଶା ବ୍ୟକ୍ତ କରିବା ସହ ସେମାନଙ୍କ ସଫଳତା କାମନା କରିଥିଲେ ।

ସେହିପରି ଅଲିମ୍ପିକ୍‌ ପାଇଁ ଭାରତୀୟ ପୁରୁଷ ହକି ଦଳରେ ଫିଜିଓ ଡାକ୍ତର ଭାବରେ ଟୋକିଓ ଗସ୍ତ କରୁଥିବା କିମ୍‌ସ ଡାକ୍ତର ସୁଦୀପ ଶତପଥୀଙ୍କୁ ମଧ୍ୟ ରାଜ୍ୟପାଳ ଶୁଭେଚ୍ଛା ଜଣାଇଛନ୍ତି । ଏହି ଅବସରରେ କ୍ରୀଡା ଓ କ୍ରୀଡାବିତଙ୍କୁ କିଟ୍‌ ଓ କିସର ଉଲ୍ଲେଖନୀୟ ପ୍ରୋତ୍ସାହନ ନିମନ୍ତେ କିଟ୍‌ ଓ କିସର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ସାଧୁବାଦ ଜଣାଇଥିଲେ ରାଜ୍ୟପାଳ । କାର୍ଯ୍ୟକ୍ରମରେ ଡ. ଅଚ୍ୟୁତ ସାମନ୍ତ, କିଟ୍‌ କ୍ରୀଡ଼ା ନିର୍ଦ୍ଦେଶକ ଡ. ଗଗନେନ୍ଦୁ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.