ଟି୨୦ ବିଶ୍ୱକପ ୨୦୨୪ ବିଜେତା ଭାରତୀୟ ଟିମ୍ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛି । ନୂଆଦିଲ୍ଲୀରେ ପହଞ୍ଚିବା ପରେ ଟିମ ଆଇଟିସି ଦିଲ୍ଲୀରେ ପହଞ୍ଚିଥିଲା । ଭାରତୀୟ ଟିମର ସ୍ୱାଗତ ପାଇଁ ହୋଟେଲରେ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଥିଲା । ହୋଟେଲ ପହଞ୍ଚିବା ପରେ ଭାରତୀୟ ଟିମକୁ ବାଜାବାଣରେ ସ୍ୱାଗତ କରାଯାଇଥିଲା । ଆଉ ଢୋଲ ବାଜିବା ସମୟରେ ରୋହିତ ଶର୍ମା ଏବଂ ସୂର୍ଯ୍ୟକୁମାର ଯାଦବ ଡ୍ୟାନ୍ସ ଜବରଦସ୍ତ ଡ୍ୟାନ୍ସ କରିଥିଲେ ।ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି ।
ଭାରତୀୟ ଟିମ୍ ଦିଲ୍ଲୀ ଆଇଟିିସି ମୌର୍ଯ୍ୟରେ ପହଞ୍ଚିଛି । ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ସାକ୍ଷାତ କରିବେ ଟିମ୍ ଖେଳାଳି । ଆଇଟିସିରେ ଖେଳାଳିଙ୍କ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ହୋଟେଲରେ ହୋଇଛି । ଭାରତୀୟ କ୍ରିକେଟ ଟିମ୍ର ଜର୍ସି ରଙ୍ଗ ଅନୁସାରେ ସବୁପ୍ରକାର ପ୍ରସ୍ତୁତି ହୋଇଛି । ଏହାସହିତ ଟ୍ରଫି ଭଳି ପ୍ରସ୍ତୁତ କେକକୁ କାଟିଛନ୍ତି ଖେଳାଳି । ଟିମକୁ ସ୍ୱତନ୍ତ୍ର ପ୍ରକାରର ଜଳଖିଆ ମଧ୍ୟ ପ୍ରଦାନ କରାଯାଇଛି ।
ସୂଚନାଯୋଗ୍ୟ, ଭାରତୀୟ ଟିମ୍ ୨୯ ଜୁନରେ ଟି୨୦ ବିଶ୍ୱକପ ୨୦୨୪ ଜିତିବା ପରେ ବାର୍ବାଡୋସରେ ଘୂର୍ଣ୍ଣିଝଡ ଯୋଗୁଁ ଫସିଥିଲା । ତେଣୁ ଭାରତୀୟ ଟିମ୍ ଦିଲ୍ଲୀ ଫେରିପାରିନଥିଲା । ବିସିସିଆଇ ତରଫରୁ ସ୍ୱତନ୍ତ୍ର ବିମାନ ଯାଇ ଟିମକୁ ବାର୍ବାଡୋସରୁ ଆଣିଥିଲା । ଏୟାର ଇଣ୍ଡିଆର ଏକ ସ୍ବତନ୍ତ୍ର ବିମାନ ତାଙ୍କୁ ଆଣିବା ପାଇଁ ଯାଇଥିଲା । ଏହି ବିମାନ ଟିମ ଇଣ୍ଡିଆର ସଦସ୍ୟମାନଙ୍କ ସହିତ ସେଠାରେ ଫସି ରହିଥିବା ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ମଧ୍ୟ ଫେରାଇ ଆଣିଛି ।
ବିଶ୍ବ ବିଜୟୀ କ୍ରିକେଟର ମାନେ ପହଞ୍ଚିବା ପୂର୍ବରୁ ଦିଲ୍ଲୀ ଏୟାରପୋର୍ଟ ବାହାରେ ଫ୍ୟାନ ମାନଙ୍କ ଗହଳି ହୋଇ ଯାଇଥିଲା । ଖେଳାଳି ମାନଙ୍କୁ ଦେଖିବା ପାଇଁ ଅପେକ୍ଷା କରି ରହିଥିଲେ ଶହଶହ ସମର୍ଥକ । ପ୍ରଧାନମନ୍ତ୍ରୀ ଟିମ ଇଣ୍ଡିଆ ସଦସ୍ୟମାନଙ୍କୁ ସମ୍ବର୍ଦ୍ଧିତ କରିବେ । ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ଭାରତୀୟ ଖେଳାଳିମାନେ ସ୍ୱତନ୍ତ୍ର ବିମାନରେ ମୁମ୍ବାଇ ଯିବେ । ମୁମ୍ବାର ନରିମାନ ପଏଣ୍ଟ ଠାରୁ ୱାଙ୍ଖଡେ ଷ୍ଟାଡିୟମ ପର୍ଯ୍ୟନ୍ତ ଏକ ରୋଡ ଶୋ’ରେ ଭାଗ ନେବେ । ୱାଙ୍ଖଡେ ଷ୍ଟାଡିୟମରେ ଆୟୋଜିତ ଉତ୍ସବରେ ଟିମ୍ ଇଣ୍ଡିଆର ଖେଳାଳି, କୋଚ ଓ ସପୋର୍ଟ ଷ୍ଟାଫ୍ ଙ୍କୁ ସମ୍ବର୍ଦ୍ଧିତ କରାଯିବ ।