ଭାରତୀୟ ହକି ଟିମ୍ ଲଗାତାର ଅଲିମ୍ପିକ୍ସରେ କାଂସ୍ୟ ପଦକ ଜିତିଛି । ୨୦୨୦ରେ ହକି ଟିମ୍ ଟୋକିଓ ଅଲିମ୍ପିକ୍ସରେ କାଂସ୍ୟ ପଦକ ଜିତିଥିଲା । ଏହାପରେ ହକି ଟିମ୍ ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଲଗାତାର କାଂସ୍ୟ ପଦକ ଜିତିବାରେ ସଫଳ ରହିଛି । ଭାରତୀୟ ହକି ଟିମ୍ କାଂସ୍ୟ ପଦକ ଜିତିବା ପରେ ସମଗ୍ର ଦେଶରେ ସେଲିବ୍ରେସନ ମାହୋଲ ରହିଛି ।
ହକି ଟିମ୍ ଫେରିବା ପରେ ଦିଲ୍ଲୀ ବିମାନବନ୍ଦରରେ ଭବ୍ୟ ସ୍ୱାଗତ କରାଯାଇଥିଲା । ଖେଳାଳିଙ୍କୁ ଢୋଲ ବଜାଇ, ମାଳ ପିନ୍ଧାଇ ସ୍ୱାଗତ କରାଯାଇଥିଲା । ଟିମର ଅଧିନାୟକ ରୋହତପ୍ରୀତ ସିଂ କହିଛନ୍ତି, ପଦକ ଯାହା ବି ହେଉ ଦେଶ ପାଇଁ ଜିତିବା ବଡ କାମ । ଆମେ ସ୍ୱର୍ଣ୍ଣ ଜିତିବା ପାଇଁ ସ୍ୱପ୍ନ ଦେଖିଥିଲୁ, କିନ୍ତୁ ଏହି ସ୍ୱପ୍ନ ପୂରଣ ହୋଇପାରିଲାନି । କିନ୍ତୁ ଆମେ ଖାଲି ହାତରେ ଆସିନାହୁଁ । ଲଗାତାର ଦୁଇଟି କାଂସ୍ୟ ପଦକ ଜିତିଛୁ । ଆମକୁ ଯେଉଁ ଭଲପାଇବା ମିଳିଛି, ତାହା ଆମ ଦାୟିତ୍ୱକୁ ବଢାଇ ଦେଇଛି । ଆମେ ଦେଶ ପାଇଁ ପୁଣିଥରେ ସ୍ୱର୍ଣ୍ଣ ପଦକ ଆଣିବାକୁ ଚେଷ୍ଟା କରିବୁ ।
ଭାରତୀୟ ହକି ଟିମର ଗୋଲକିପର ପିଆର ଶ୍ରୀଜେଶଙ୍କ ଏହା ଶେଷ ମ୍ୟାଚ ଥିଲା । ଏହା ତାଙ୍କ ପାଇଁ ଭାବବିହ୍ଵଳ ମୁହୂର୍ତ୍ତ ଥିଲା । ଅଲିମ୍ପିକ୍ସ ଉଦ୍ଯାପନୀ ମ୍ୟାଚରେ ଭାରତ ତରଫରୁ ଶ୍ରୀଜେଶ ତ୍ରିରଙ୍ଗା ଧରିଥିଲେ । ତାଙ୍କ ସହିତ ସୁଟର ମନୁ ଭାକର ମଧ୍ୟ ଦୁଇଟି କାଂସ୍ୟ ପଦକ ଜିତିଥିଲେ ।
ଅଲିମ୍ପିକ୍ସରେ ଟିମ ଜିତିବା ପରେ ମଧ୍ୟପ୍ରଦେଶ ସରକାର ଖେଳାଳି ବିବେକ ସାଗର ପ୍ରସାଦଙ୍କୁ ୧ କୋଟି ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲେ । ସେହିପରି ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ଯାଦବ ମଧ୍ୟ ବିବେକ ସାଗରଙ୍କ ସହିତ କଥା ହୋଇଥିଲେ । ଏହାସହ ଭାରତୀୟ ହକି ଖେଳାଳିଙ୍କ ପାଇଁ ପୁରସ୍କାର ଘୋଷଣା କରିଛନ୍ତି । ପ୍ରତ୍ୟେକ ଖେଳାଳିଙ୍କୁ ୧୫ ଲକ୍ଷ ଓ ସପୋର୍ଟ ଷ୍ଟାଫଙ୍କୁ ମିଳିବ ୧୦ ଲକ୍ଷ ଟଙ୍କା । ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସ୍ୱତନ୍ତ୍ର ଭାବେ ମିଳିବ ୪ କୋଟି ଟଙ୍କା । ବିଜୟୀ ହେବା ପରେ ହକି ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇବା ସହ ଓଡିଶା ଆସିବାକୁ ନିମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ।