ଟେନିସ୍ କିମ୍ବଦନ୍ତୀ ଲିଆଣ୍ଡର ପେସ୍ଙ୍କୁ ଭାବପୂର୍ଣ୍ଣ ବିଦାୟ, ଅନ୍ତିମ ମ୍ୟାଚ୍ରେ ନିଜ ପୋଷ୍ଟର ଦେଖି ଭାବୁକ ହୋଇଗଲେ ଏହି ତାରକା
ନିଜ ହୋମ୍ ଗ୍ରାଉଣ୍ଡରେ ବେଙ୍ଗାଲୁରୁ ଓପନ୍ ରୂପେ ନିଜ ଅନ୍ତିମ ଏଟିପି ଟୁର୍ନାମେଣ୍ଟ ଖେଳୁଥିବା ଭାରତର ମହାନ୍ ଟେନିସ୍ ତାରକା ଲିଆଣ୍ଡର ପେସ୍ଙ୍କୁ ସମ୍ମାନସ୍ୱରୂପ ବିଦାୟ ଦିଆଯାଇଛି। ରବିବାର କେଏସ୍ଏଲ୍ଟିଏ ଷ୍ଟାଡିୟମ୍ରେ ପୂର୍ବତନ ଅଲିମ୍ପିୟାନ୍ ଏବଂ ଖେଳାଳିମାନେ ମିଶି ତାଙ୍କୁ ସମ୍ମାନିତ କରିଛନ୍ତି।
ଶନିବାର ପୁରୁଷ ଯୁଗଳ ଫାଇନାଲରେ ଭାରତୀୟ ଯୋଡ଼ି ପୂରବ ରାଜା ଓ ରାମକୁମାର ରାମନାଥନ୍ଙ୍କ ବିପକ୍ଷରେ ଖେଳୁଥିବା ପେସ୍ ଓ ତାଙ୍କ ଅଷ୍ଟ୍ରେଲିୟାନ୍ ଯୋଡ଼ି ମାଥ୍ୟୁ ଏବଡେନ୍ ପରାଜିତ ହୋଇଥିଲେ।
ତେବେ କ୍ୟାରିୟରର ଶେଷ ମ୍ୟାଚ୍ରେ ପେସ୍ଙ୍କୁ ତାଙ୍କ ନାଁରେ ‘ଦ ଲାଷ୍ଟ ରୋର୍’ର ଏକ ପୋଷ୍ଟର ଦିଆଯାଇଥିଲା। ରବିବାର ସିଙ୍ଗଲ ଫାଇନାଲ ପୂର୍ବରୁ ୪୬ ବର୍ଷୀୟ ପେସ୍ଙ୍କୁ ଭାବପୂର୍ଣ୍ଣ ବିଦାୟ ଦିଆଯାଇଥିଲା। ଏହି ସମୟରେ ବିଭିନ୍ନ କ୍ରୀଡ଼ାର ଷ୍ଟାର୍ ଖେଳାଳି ଉପସ୍ଥିତ ଥିଲେ, ଯେଉଁଥିରେ ପୂର୍ବତନ ହକି ଖେଳାଳି ଜ୍ୟୁଡ୍ ଫେଲିକ୍ସ, ବିଆର୍ ରଘୁନାଥ, ଅର୍ଜୁନ ହଲପ୍ପା, ପୂର୍ବତନ ଟ୍ରାକ୍ ଆଣ୍ଡ ଫିଲ୍ଡ ଆଥଲେଟ୍ ଆଶ୍ୱିନୀ ନଚପ୍ପା, ଡେଭିସ୍ କପ୍ ଖେଳାଳି ପ୍ରହ୍ଲାଦ ଶ୍ରୀନାଥ ପ୍ରମୁଖ ସାମିଲ ହୋଇଥିଲେ।
ପୂର୍ବତନ ଅଲିମ୍ପିକ୍ ମେଡାଲିଷ୍ଟ ଲିଆଣ୍ଡର ପେସ୍ ଯେତେବେଳେ ତାଙ୍କ ପୋଷ୍ଟର ଦେଖିଥିଲେ, ସେ ଭାବବିହ୍ଵଳ ହୋଇପଡ଼ିଥିଲେ। ଏହି ଟେନିସ୍ ତାରକା ‘ରାଜଧାନୀ ଏକ୍ସପ୍ରେସ୍’ ଫିଲ୍ମରେ ମଧ୍ୟ କାମ କରିଛନ୍ତି।
ତେବେ ପେସ୍ କେବେ ଏବଂ କେଉଁଠି ମେଡାଲ୍ ଜିତିଛନ୍ତି, ତାହା ବିଷୟରେ ତାଙ୍କ ଟି-ଶାର୍ଟ ପଛପଟେ ଲେଖାଯାଇଥିଲା। ମ୍ୟାଚ୍ ଅବସରରେ ପେସ୍ ଛିଡ଼ା ହୋଇ ଦର୍ଶକଙ୍କ ଉଦ୍ଦେଶ୍ୟରେ ଅଭିବାଦନ ଗ୍ରହଣ କରିଥିଲେ। ଏହି ସମୟରେ ସେ କହିଥିଲେ, ‘ଆପଣମାନେ ସମସ୍ତେ ମୋତେ ଶିଖାଇଛନ୍ତି ଯେ କିପରି ଖେଳରେ ପ୍ରତିବଦ୍ଧତା, ଧୌଯ୍ୟର୍ ଏବଂ କଠିନ ପରିଶ୍ରମ ଦ୍ୱାରା ସଫଳତା ହାସଲ କରାଯାଇପାରିବ’।