ରୋହିତ ଶର୍ମା ଟି୨୦ରୁ ସନ୍ନ୍ୟାସ ନେବା ପରେ ଅଧିନାୟକ ପଦକୁ ନେଇ ଚର୍ଚ୍ଚା, ହାର୍ଦ୍ଦିକ ହୋଇପାରନ୍ତି ଅଧିନାୟକ
ଆଇସିସି ଟି୨୦ ବିଶ୍ୱକପ ୨୦୨୪ ଟ୍ରଫି ରୋହିତଙ୍କ ଅଧିନାୟକ ଭାରତ ଜିତିସାରିଛି । ଫାଇନାଲରେ ସାଉଥ ଆଫ୍ରିକାକୁ ୭ ରନରେ ହରାଇ ଭାରତୀୟ ଟିମ ବିଶ୍ୱବିଜେତା ହୋଇଛି । ବିଶ୍ୱକପ ଜିତିବା ପରେ ରୋହିତ ଶର୍ମା ଟି୨୦ ଫର୍ମାଟରୁ ସନ୍ନ୍ୟାସ ନେବା ପରେ ଟି୨୦ ଅଧିନାୟକ ପଦକୁ ନେଇ ଚର୍ଚ୍ଚା ଚାଲିଛି । ତେବେ ଚର୍ଚ୍ଚା ମଧ୍ୟରେ ହାର୍ଦ୍ଦିକ ପାଣ୍ଡ୍ୟା ନୂଆ ଟି-୨୦ ଅଧିନାୟକ ହୋଇପାରନ୍ତି ।
ବିରାଟ କୋହଲି ଏବଂ ରୋହିତ ଶର୍ମା ଟି୨୦ ଅର୍ନ୍ତରାଷ୍ଟ୍ରୀୟରୁ ବିଦାୟ ନେଇଛନ୍ତି । ତେଣୁ ଅଧିନାୟକ ଭାବେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମିଳିପାରେ ଦାୟିତ୍ବ । ପୂର୍ବରୁ ରୋହିତଙ୍କ ଅନୁପସ୍ଥିତିରେ ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ନେତୃତ୍ବ ଦେଇଛନ୍ତି । ପୂର୍ବରୁ ସେ ୧୬ଟି ଟି-୨୦ ମ୍ୟାଚରେ ଅଧିନାୟକ ଦାୟିତ୍ୱ ତୁଲାଇଛନ୍ତି । ଏଥିରୁ ଭାରତ ୧୦ଟି ମ୍ୟାଚ ଜିତିଥିବା ୫ଟି ହାରିଛି । ଆଉ ଗୋଟିଏ ମ୍ୟାଚ ଟାଇ ରହିଛି । ତେଣୁ ତାଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି । ସେ ହିଁ ହୋଇପାରନ୍ତି ଟି-୨୦ ଅଧିନାୟକ ।
ହାର୍ଦ୍ଦିକ ଜଣେ ଭଲ ଅଲରାଉଣ୍ଡର । ବିଶ୍ୱକପରେ ଭଲ ପ୍ରଦର୍ଶନ କରିଛନ୍ତି । ଫାଇନାଲ ମ୍ୟାଚରେ ଶେଷ ଓଭରରେ କମାଲ୍ ବୋଲିଂ କରିଛନ୍ତି ।
ହାର୍ଦ୍ଦିକ ୧୦୦ଟି ଟି୨୦ ମ୍ୟାଚ ଖେଳିସାରିଛନ୍ତି । ତାଙ୍କ ପାଖରେ ଅଭିଜ୍ଞତା ରହିଛି । ସେ ଆଇପିଏଲରେ ଗୁଜରାଟ ଟାଇଟନ୍ସର ଅଧିନାୟକ ହୋଇ ୨୦୨୨ରେ ଆଇପିଏଲ ଟ୍ରଫି ଜିତାଇଥିଲେ ।
ସୂଚନାଯୋଗ୍ୟ, ଜିମ୍ବାୱେ ବିପକ୍ଷରେ ଆସନ୍ତା ୬ ତାରିଖରୁ ୫ଟି ଟି-ଟ୍ବେଣ୍ଟି ମ୍ୟାଚ ଖେଳିବ ଭାରତ । ଏହି ମ୍ୟାଚରେ ଶୁବମନ ଗିଲ ଭାରତର ଅଧିନାୟକ ଦାୟିତ୍ୱ ନେବେ । ଗିଲ୍ ପ୍ରଥମ ଥର କୌଣସି ସିରିଜରେ ଭାରତୀୟ ଟିମ ପାଇଁ ଅଧିନାୟକତ୍ୱ କରିବେ । ସେହିପରି ଅନେକ ଟିମ୍ ଏମିତି ଅଛନ୍ତି, ଯେଉଁମାନେ ପ୍ରଥମ ଥର ପାଇଁ ଭାରତୀୟ ଟିମ୍ରେ ସାମିଲ ହୋଇଛନ୍ତି । ସେହିପରି ଉପ ଅଧିନାୟକ ଦାୟିତ୍ୱରେ ସଂଜୁ ସାମସନ ରହିଛନ୍ତି ।
ପ୍ରଥମ ଟି୨୦ ମ୍ୟାଚ ଜୁଲାଇ ୬ ତାରିଖ, ଦ୍ୱିତୀୟ ୭, ତୃତୀୟ ୧୦, ଚତୁର୍ଥ ୧୩ ଏବଂ ୫ମ ଟି୨୦ ମ୍ୟାଚ ୧୪ ଜୁଲାଇରେ ହେବ ।
ଜିମ୍ବାୱେ ଟି୨୦ ସିରିଜ ପାଇଁ ଭାରତୀୟ ଟିମ୍ : ଶୁବମନ ଗିଲ୍ (ଅଧିନାୟକ), ଯଶସ୍ୱୀ ଜୟସଓ୍ଵାଲ, ଋତୁରାଜ ଗାଏକ୍ୱାଡ, ଅଭିଷେକ ଶର୍ମା, ରିଙ୍କୁ ସିଂ, ସଂଜୁ ସାମସନ(ଓ୍ଵିକେଟ କିପର), ଧ୍ରୁବ ଜୁରେଲ(ଓ୍ଵିକେଟ କିପର), ନୀତିଶ କୁମାର ରେଡ୍ଡୀ, ରିୟାନ ପରାଗ, ଓ୍ଵାଂଶିଟନ ସୁନ୍ଦର, ରବି ବିଷ୍ନୋଇ, ଆବେଶ ଖାନ, ଖଲିଲ ଅହମଦ, ମୁକେଶ କୁମାର, ତୁଷାର ଦେଶପାଣ୍ଡେ ।