ପ୍ରେମ କରି ବାହା ହେଲେ ଓ ପିଲା କଲେ, ଚାରି ବର୍ଷ ପରେ ଅଲଗା : ଇଏ ହାର୍ଦ୍ଦିକ ପାଣ୍ଡ୍ୟା ଓ ନତାଶାଙ୍କ ଲଭ୍ଷ୍ଟୋରୀ

ଅଲଗା ହେଲେ ହାର୍ଦ୍ଦିକ-ନତାଶା । ଛାଡପତ୍ର ନେଇ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା । ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଓ ବଲିଉଡ ଅଭିନେତ୍ରୀ ନତାଶା ଷ୍ଟେନକୋବିକଙ୍କ ଛାଡପତ୍ର ହେବାକୁ ଯାଉଛନ୍ତି । ଗତ କିଛି ଦିନ ହେବ ଉଭୟଙ୍କ ବିବାହ ବିଚ୍ଛେଦ ନେଇ ଚର୍ଚ୍ଚା ହେଉଥିଲା । ଉଭୟଙ୍କ ମଧ୍ୟରେ ପାରିବାରିକ ସମ୍ପର୍କ ଠିକ ନଥିବା ବେଳେ ଷ୍ଟାର କପଲ୍ ଖୁବଶୀଘ୍ର ଛାଡପତ୍ର ଦେବାକୁ ଯାଉଛନ୍ତି ବୋଲି ଆଲୋଚନା ଜୋରଧରିଥିଲା। ଏମିତିକି କିଛି ଦିନ ତଳେ ନତାଶା ନିଜର ଇନଷ୍ଟାଗ୍ରାମ ଆଇଡିରୁ ନିଜ ନାଁରୁ ପାଣ୍ଡ୍ୟା ସରନେମ୍ ହଟାଇବାରୁ ଚର୍ଚ୍ଚା ଆହୁରି ବଢ଼ିଥିଲା । ନତାଶା ମଧ୍ୟ କିଛିଦିନ ତଳେ ନିଜ ଘରକୁ ଚାଲିଯାଇଥିଲେ । ସେପଟେ ଅନନ୍ତ ଅମ୍ବାନୀଙ୍କ ବିବାହରେ ହାର୍ଦ୍ଦିକଙ୍କୁ ଏକାକୀ ଦେଖିବାକୁ ମିଳିଥିଲା ।
ତେବେ ସବୁ ଚର୍ଚ୍ଚାର ଅନ୍ତ ଘଟିଛି ଏବେ ଅଲଗା ହେବେ ହାର୍ଦ୍ଦିକ-ନତାଶା । ଏନେଇ ହାର୍ଦ୍ଦିକ ପାଣ୍ଡ୍ୟା ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ ସୂଚନା ଦେଇଛନ୍ତି । ପୋଷ୍ଟ ଶେୟାର କରି ହାର୍ଦ୍ଦିକ ଲେଖିଛନ୍ତି, ୪ ବର୍ଷ ସାଥିରେ ରହିବା ପରେ ନତାଶା ଆଉ ମୁଁ ଅଲଗା ହେବାକୁ ନିଷ୍ପତ୍ତି ନେଇଛୁ । ଆମେ ପୂରା ଚେଷ୍ଟା କରିଥିଲୁ ଏହି ସମ୍ପର୍କକୁ ରକ୍ଷା କରିବାକୁ । ହେଲେ ଆମକୁ ଲାଗୁଛି ଆମ ଦୁହିଁଙ୍କ ପାଇଁ ଏହା ସଠିକ ନିଷ୍ପତ୍ତି । ଏହା ଆମ ପାଇଁ ବହୁତ କଠିନ ନିଷ୍ପତ୍ତି । ଆମେ ଆମ ଜୀବନରେ ଅଗସ୍ତ୍ୟକୁ ପାଇ ବହୁତ ଖୁସି । ଆମେ ଦୁହେଁ ମିଶି ତାର ଲାଳନପାଳନ କରିବୁ । ଆମେ ତାକୁ ଦୁନିଆର ସବୁ ଖୁସି ଦେବୁ ।