ଆଇପିଏଲ ୨୦୨୨: ଅହମଦାବାଦ ପାଇଁ ଖେଳିବେ ରାଶିଦ ଖାନ୍‌, ଶୁଭମନ ଗିଲ, ହାର୍ଦ୍ଦିକ ପାଣ୍ଡ୍ୟା

ଆଇପିଏଲର ୧୫ତମ ସିଜିନ ଖୁବଶୀଘ୍ର ହେବାକୁ ଯାଉଛି। ହାର୍ଦ୍ଦିକ ପାଣ୍ଡ୍ୟା, ରଶିଦ ଖାନ ଏବଂ ଶୁଭମାନ ଗିଲ୍‌ ଆଗାମୀ ଆଇପିଏଲ ସିଜିନ୍ ପାଇଁ ଅହମ୍ମଦାବାଦ ଫ୍ରାଞ୍ଚାଇଜ ପକ୍ଷରୁ ଖେଳିବେ। ଇଏସପିଏଲ କ୍ରିକଇନଫୋ ଅନୁଯାୟୀ, ଆଇପିଏଲର ନୂତନ ଫ୍ରାଞ୍ଚାଇଜି ଅହମ୍ମଦାବାଦ ନିଜର ତିନି ଖେଳାଳି ଭାବେ ହାର୍ଦ୍ଦିକ ପାଣ୍ଡ୍ୟା, ରଶିଦ ଖାନ ଏବଂ ଶୁଭମାନ ଗିଲ୍‌ଙ୍କୁ ଆଇପିଏଲ ୨୦୨୨ ନିଲାମ ପୂର୍ବରୁ ଚୟନ କରିଛି। ଅହମ୍ମଦାବାଦ ହାର୍ଦ୍ଦିକ ଏବଂ ରଶିଦଙ୍କୁ ୧୫-୧୫ କୋଟି ଟଙ୍କାରେ ଚୁକ୍ତି କରିଥିବା ବେଳେ ଶୁଭମାନ ଗିଲ୍‌ଙ୍କ ପାଇଁ ୭ କୋଟି ଟଙ୍କା ଖର୍ଚ୍ଚ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ଭାବେ ଚୟନ କରିଛି ଅହମଦାବାଦ।

ଅହମ୍ମଦାବାଦ ଫ୍ରାଞ୍ଚାଇଜି ନିଜର କୋଚିଂ ଷ୍ଟାଫଙ୍କୁ ମଧ୍ୟ ଚୂଡାନ୍ତ ରୂପ ଦେଇଛି। ଭାରତର ପୂର୍ବତନ ଦ୍ରୁତ ବୋଲର ଆଶିଷ ନେହେରା ଏବଂ ଦକ୍ଷିଣ ଆଫ୍ରିକାର ପୂର୍ବତନ ବ୍ୟାଟସମାନ ତଥା ମୁଖ୍ୟ କୋଚ୍ ଗ୍ୟାରି କର୍ଷ୍ଟନ ଦଳର କୋଚିଂ ଷ୍ଟାଫର ନେତୃତ୍ଵ ନେବେ। ଇଂଲଣ୍ଡର ପୂର୍ବତନ ବ୍ୟାଟସମ୍ୟାନ ବିକ୍ରମ ସୋଲାଙ୍କି ଦଳର ନିର୍ଦ୍ଦେଶକ ରହିବେ।

ଆଇପିଏଲ ତିନି ଖେଳାଳିଙ୍କୁ ଚୟନ କରିବା ପାଇଁ ଫ୍ରାଞ୍ଚାଇଜି ପାଇଁ ୧୫ କୋଟି, ୧୧ କୋଟି ଏବଂ ୭ କୋଟି ନିର୍ଦ୍ଧାରିତ କରିଛି। ତେବେ ଅହମ୍ମଦାବାଦ ହାର୍ଦ୍ଦିକ ଏବଂ ରଶିଦଙ୍କୁ ସମାନ ୧୫ କୋଟି ଦେବାକୁ ନିର୍ଣ୍ଣୟ ନେଇଛି।

ପ୍ରଥମ ଥର ହାର୍ଦ୍ଦିକ ଏବଂ ରଶିଦ ଗୋଟିଏ ଫ୍ରାଞ୍ଚାଇଜି ପକ୍ଷରୁ ଖେଳିବେ। ଦୁଇ ଖେଳାଳି ପୂର୍ବେ କ୍ରମଶଃ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଖେଳୁଥିଲେ। ୨୦୧୫ରେ ମାତ୍ର ୧୦ ଲକ୍ଷ ଟଙ୍କାରେ ମୁମ୍ବାଇରେ ସାମିଲ୍ ହୋଇଥିବା ହାର୍ଦ୍ଦିକ ନିଜର ଦମଦାର ପ୍ରଦର୍ଶନ ବଳରେ ଆଇପିଏଲରେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।

 

Leave A Reply

Your email address will not be published.