ଭାରତୀୟ ପୁରୁଷ ହକି କୋଚ୍‌ ପଦରୁ ହଟିଲେ ହରେନ୍ଦ୍ର ସିଂ

କେନ୍ୟୁଜ୍ : ଭାରତୀୟ ପୁରୁଷ ହକି କୋଚ୍‌ ପଦରୁ ହଟିଲେ ହରେନ୍ଦ୍ର ସିଂ। ଓଡ଼ିଶା ହକି ପୁରୁଷ ବିଶ୍ୱକପରେ ଟିମ୍‌ ଇଣ୍ଡିଆର ନୈରାଶ୍ୟଜନକ ପ୍ରଦର୍ଶନ ପରେ ହରେନ୍ଦ୍ରଙ୍କୁ ମୁଖ୍ୟ କୋଚ୍‌ ପଦରୁ ଅବ୍ୟାହତି ଦିଆଯାଇଥିବା କୁହାଯାଉଛି। ଆସନ୍ତା ମାର୍ଚ୍ଚ ୨୩ ତାରିଖରୁ ଆରମ୍ଭ ହେଉଛି ସୁଲତାନ୍‌ ଆଜଲାନ୍‌ ଶାହ କପ୍‌। ତାପୂର୍ବରୁ ହରେନ୍ଦ୍ରଙ୍କୁ ମୁଖ୍ୟ କୋଚ୍‌ ପଦରୁ ହଟାଇ ଦିଆଯାଇଛି। ଖୁବ ଶୀଘ୍ର ତାଙ୍କ ସ୍ଥାନରେ ମୁଖ୍ୟ କୋଚ୍‌ ନିଯୁକ୍ତି ନେଇ ଆବେଦନ ଆହ୍ଵାନ କରାଯିବ ବୋଲି ହକି ଇଣ୍ଡିଆ ପକ୍ଷରୁ କୁହାଯାଇଛି। ଏହାପରେ ଫେବ୍ରୁଆରୀ ମାସରୁ ନୂଆ କୋଚଙ୍କ ତତ୍ତ୍ୱାବଧାନରେ ଆରମ୍ଭ ହେବ ପ୍ରଶିକ୍ଷଣ ଶିବିର। ବର୍ତ୍ତମାନ ହକି ଇଣ୍ଡିଆ ନିର୍ଦ୍ଦେଶକ ଡେଭିଡ୍‌ ଜନ୍‌ ଓ ଆନାଲିଟିକାଲ୍‌ କୋଚ୍‌ କ୍ରିସ୍‌ ସିରିଏଲୋଙ୍କୁ ମଧ୍ୟବର୍ତ୍ତିକାଳୀନ କୋଚ୍‌ ଦାୟିତ୍ୱ ଦିଆଯାଇଛି। ହରେନ୍ଦ୍ରଙ୍କୁ ଦିଆଯାଇଛି ଭାରତୀୟ କନିଷ୍ଠ ହକି ଟିମ୍‌ର ଦାୟିତ୍ୱ। ୨୦୨୧ ଜୁନିଅର ବିଶ୍ୱକପ୍‌, ୨୦୨୦ ଓ ୨୦୨୪ ଅଲିମ୍ପିକ୍ସକୁ ଦୃଷ୍ଟିରେ ରଖି ହରେନ୍ଦ୍ରଙ୍କୁ ଗୁରୁ ଦାୟିତ୍ୱ ଦିଆଯାଇଛି। ବାରମ୍ବାର କୋଚ୍‌ ପରିବର୍ତ୍ତନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହି ଆସିଛି ଭାରତୀୟ ହକି।