ମହିଳା ବିଶ୍ବକପ ପୂର୍ବରୁ ଭାବୁକ ହେଲେ ହରମନପ୍ରୀତ, ଟିମକୁ ଦେଲେ ସଫଳତାର ମନ୍ତ୍ର

ମୁମ୍ବାଇ : ଆଜି ଆଇସିସି ମହିଳା ବିଶ୍ବକପରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଫାଇନାଲ ମ୍ୟାଚ୍ ଖେଳାଯିବ । ମ୍ୟାଚଟି ନଭି ମୁମ୍ବାଇର ଡିୱାଇ ପାଟିଲ ସ୍ପୋର୍ଟ୍ସ ଏକାଡେମୀରେ ଅପରାହ୍ନ ୩ଟାରେ ଆରମ୍ଭ ହେବ । ଫାଇନାଲ ମ୍ୟାଚ୍ ପୂର୍ବରୁ ଭାରତୀୟ ଟିମର ଅଧିନାୟକ ହରମନପ୍ରୀତ କୌର କହିଛନ୍ତି, ଏଥର ପଛ ପରାଜୟକୁ ଭୁଲି ବିଶ୍ବକପ ଜିତିବାର ସମୟ ଆସିଯାଇଛି । ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ କେବଳ ମହିଳା ଦିନିକିଆ ବିଶ୍ବକପ ଜିତିଛନ୍ତି । କିନ୍ତୁ ଏଥର ମହିଳା ଦିନିକିଆ କ୍ରିକେଟକୁ ୪ର୍ଥ ନୂଆ ଚାମ୍ପିଅନ ମିଳିବ ।

ହରମନପ୍ରୀତ ଭାବୁକ ହୋଇ କହିଛନ୍ତି, ଆମେ ଜାଣିଛୁ ଯେ, ପରାଜୟ ପରେ କିଭଳି ଅନୁଭବ ହୁଏ । କିନ୍ତୁ ଏଥର ବିଜୟ ପରେ କିଭଳି ଅନୁଭବ ହୁଏ, ତାହା ଜାଣିବାକୁ ଚାହୁଁଛୁ । ଆଶା କରୁଛି, ଏହି ଦିନ ଆମ ପାଇଁ ଖାସ୍ ହେବ । ଆମେମାନେ ବହୁତ ପରିଶ୍ରମ କରିଛୁ ଆମେ ଟିମ ପାଇଁ ଜୀବନ ଲଗାଇ ପରିଶ୍ରମ କରିବୁ । ଏହା ମୋ ପାଇଁ ଆଉ ଟିମ ପାଇଁ ଗୌରବର ସମୟ । ମୁଁ ଜାଣିଛି ଯେ, ଗତ ୨ ମ୍ୟାଚରେ ଆମର ପ୍ରଦର୍ଶନ ଦେଖି ସମଗ୍ର ଦେଶ ଆମ ଉପରେ ଗର୍ବ କରୁଛି ।

ବିଶ୍ବକପ ଫାଇନାଲକୁ ନେଇ ଉତ୍ସାହିତ ଅଛନ୍ତି ଉଭୟ ଦଳ । ଚଳିତ ମହିଳା ଦିନିକିଆ ବିଶ୍ବକପରେ ଅଷ୍ଟ୍ରେଲିଆ ବିପକ୍ଷରେ ବିଜୟ ସହ ଫାଇନାଲରେ ପ୍ରବେଶ କରିଛି ଭାରତୀୟ ଦଳ । ୭ ଥର ବିଜେତା ଅଷ୍ଟ୍ରେଲିଆକୁ ୫ ୱିକେଟରେ ହରାଇ ତୃତୀୟ ଥର ପାଇଁ ଫାଇନାଲ ଖେଳିବ ଭାରତ । ଭାରତ କିମ୍ବା ଦକ୍ଷିଣ ଆଫ୍ରିକା ଏପର୍ଯ୍ୟନ୍ତ ମହିଳା ବିଶ୍ବକପ ଜିତିନାହାନ୍ତି । ଏହା ବିଜେତା ଦଳ ପାଇଁ ଏକ ଐତିହାସିକ ମୁହୂର୍ତ୍ତ ହେବ ।

Also Read : ମହିଳା ବିଶ୍ବକପ ଫାଇନାଲ ପୂର୍ବରୁ ଡ୍ରେସିଂ ରୁମରେ ଜେମିମାଙ୍କ ଭିଡିଓ ଭାଇରଲ, ଟିମରେ ଭରିଲେ ଉତ୍ସାହ