ଇଂଲଣ୍ଡ ବିପକ୍ଷରେ କନକସନ୍ ସବଷ୍ଟିଚ୍ୟୁଟ୍ ରୁଲ୍ ବ୍ୟବହାର କଲା ଟିମ୍ ଇଣ୍ଡିଆ, ଜାଣନ୍ତୁ କ’ଣ ଏହି ନିୟମ

ପୁଣେରେ ଖେଳାଯାଉଥିବା ଚତୁର୍ଥ ଟି୨୦ ମ୍ୟାଚ୍ ଜିତି ସିରିଜି ଜିତିଛି ଟିମ୍ ଇଣ୍ଡିଆ । ଟିମ୍ ଇଣ୍ଡିଆ ୫ଟି ମ୍ୟାଚ ବିଶିଷ୍ଟ ସିରିଜକୁ ୩-୧ରେ ଜିତି ଆଗୁଆ ରହିଛି । ଏହି ମ୍ୟାଚରେ ଟିମ୍ ଇଣ୍ଡିଆ ବୋଲର ହର୍ଷିତ ରାଣା ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ । ଟି୨୦ ଇଣ୍ଟରନ୍ୟାସନାଲରେ ଡେବ୍ୟୁ କରି ଧମାଲ କରିଛନ୍ତି ହର୍ଷିତ ରାଣା ।
ହର୍ଷିତ ରାଣା ଏହି ମ୍ୟାଚରେ ଶିବମ ଦୁବେଙ୍କ ବଦଳରେ ଖେଳିଥିଲେ । ବ୍ୟାଟିଂ କରୁଥିବା ସମୟରେ ଶିବମ ଦୁବେଙ୍କ ମୁଣ୍ଡରେ ବଲ୍ ବାଗିଥିଲା । ଟିମ୍ ଇଣ୍ଡିଆର ବ୍ୟାଟିଂ ଇନିଂସର ଶେଷ ଓଭରରେ ଜେମି ଆର୍ବଟନଙ୍କ ୫ମ ବଲ ଶିବମ ଦୁବେଙ୍କ ହେଲମେଟରେ ବାଜିଥିଲା । ଫଳରେ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା । ତେଣୁ ମ୍ୟାଚରେ ଶିବମଙ୍କ ସ୍ଥାନରେ ହର୍ଷିତ ରାଣାଙ୍କୁ ଖେଳିବାକୁ ସୁଯୋଗ ଦିଆଯାଇଥିଲା ।
ଆଇସିସିର ବର୍ତ୍ତମାନର ନିୟମ ଅନୁଯାୟୀ, କୌଣସି ଖେଳାଳି ମ୍ୟାଚ ସମୟରେ ମୁଣ୍ଡ କିମ୍ବା ଆଖିରେ ଆଘାତ ଲାଗିଲେ, (କନକସନ୍ ସବଷ୍ଟିଚ୍ୟୁଟ୍ ରୁଲ୍) ଲାଗୁ ହୁଏ । ଆଉ ଯଦି କୌଣସି ବ୍ୟାଟର ଆହତ ହୁଏ, ତେବେ ତାଙ୍କ ସ୍ଥାନରେ ବ୍ୟାଟର କିମ୍ବା ବୋଲର ଆହତ ହେଲେ ତାଙ୍କ ସ୍ଥାନରେ ବୋଲର ଟିମରେ ସାମିଲ କରାଯାଏ । ଶିବମ ଦୁବେ ଅଲରାଉଣ୍ଡର ରହିଥିବା ବେଳେ ହର୍ଷିତ ରାଣା ଜଣେ ବୋଲର ।
ଆଇସିସି ଜୁଲାଇ ୧, ୨୦୧୯ ରୁ ନିୟମ ଲାଗୁ କରିଛି । ଏହା ଅଧିନରେ କୌଣସି ଖେଳାଳି ଲାଇଭ ମ୍ୟାଚରେ ଆହତ ହୁଅନ୍ତି, ତେବେ ତାଙ୍କୁ ତୁରନ୍ତ ମେଡିକାଲ ଯାଞ୍ଚ କରାଯିବ । ତା’ର କିଏ ମ୍ୟାଚ ଖେଳିବ ତାର ନିଷ୍ପତ୍ତି ରେଫରୀ ନିଅନ୍ତି ।
ସୂଚନାଯୋଗ୍ୟ, ପୁଣେରେ ଖେଳାଯାଇଥିବା ଚତୁର୍ଥ ଟି-୨୦କୁ ୧୫ ରନରେ ଜିତିନେଇଛି ଭାରତ । ଭାରତ ରଖିଥିବା ୧୮୨ ରନ ଟାର୍ଗେଟକୁ ପିଛାକରି ଇଂଲଣ୍ଡ ଦଳ ୧୬୬ ରନ୍ ଅଲ୍ଆଉଟ୍ ହୋଇଯାଇଥିଲା । ରବି ବିଷ୍ଣୋଇ ଓ ହର୍ଷିତ ରାଣାଙ୍କ ଦମଦାର ବୋଲିଂ ଆଗରେ ଧରାଶାୟୀ ହୋଇଥିଲା ଇଂଲଣ୍ଡ । ଉଭୟ ୩ଟି ଲେଖାଏଁ ୱିକେଟ ନେଇଥିଲେ । ଟସ୍ ଜିତି ଫିଲଡିଂ ନିଷ୍ପତ୍ତି ନେଇଥିଲା ଇଂଲଣ୍ଡ । ଆଉ ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ଓଭରରେ ୯ ୱିକେଟ ହରାଇ ୧୮୧ ରନ୍ କରିଥିଲା । ଏକଦା ୧୨ ରନରେ ୩ଟି ୱିକେଟ ହରାଇ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଟିମ୍ ଇଣ୍ଡିଆ, ଅଭିଷେକ ଶର୍ମା ଓ ରିଙ୍କୁ ସିଂଙ୍କ ଯୋଗୁଁ ମ୍ୟାଚରେ ରହିଥିଲା । ପରେ ଶିବମ ଦୁବେ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅର୍ଦ୍ଧଶତକ ବଳରେ ଦଳ ଏକ ସମ୍ମାନଜନକ ସ୍କୋର କରିବାକୁ ସମର୍ଥ ହୋଇଥିଲା ।
Also Read : ICC Ranking ଟି୨୦ ବୋଲିଂ ରାଙ୍କିଂ: ଏକା ସାଥିରେ ୨୫ ଖେଳାଳିଙ୍କୁ ପଛରେ ପକାଇ ଟପ୍ ୫ରେ ସାମିଲ ହେଲେ ବରୁଣ…