ଇଦ୍ ପରେ ବିବାହ କରିବେ ସାମୀ : ନୂଆ ଅଭିଯୋଗ ଆଣିଲେ ପତ୍ନୀ ହସିନ୍ ଜହାଁ

ନୂଆଦିଲ୍ଲୀ : ଥମୁନି ଭାରତୀୟ କ୍ରିକେଟର ମହମ୍ମଦ ସାମୀ ଏବଂ ପତ୍ନୀ ହସିନ୍ ଜହାଁଙ୍କ ମଧ୍ୟରେ ବିବାଦ । ଦିନକୁ ଦିନ ବଢିବାରେ ଲାଗିଛି ଏହି ବିବାଦ । ତେବେ କିଛି ଦିନ ଉଭୟ ନୀରବ ରହିବା ପରେ ଏବେ ପୁଣି ଏକ ଅଭିଯୋଗ ଆଣିଛନ୍ତି ହସିନ୍ । ଇଦ୍ ପରେ ସାମୀ ଦ୍ବିତୀୟ ବିବାହ କରିବା ପାଇଁ ଯୋଜନା କରୁଛନ୍ତି ବୋଲି କହିଛନ୍ତି ହସିନ୍ । ଏପରିକି ଛାଡପତ୍ର ଦେବା ପାଇଁ ସାମୀ ତାଙ୍କୁ ଟଙ୍କା ମଧ୍ୟ ଯାଚିଥିବା ଅଭିଯୋଗ କରିଛନ୍ତି ହସିନ୍ । ହସିନଙ୍କ କହିବା ଅନୁଯାୟୀ, ସାମୀ ନିଜ ବଡ଼ ଭାଇଙ୍କ ଶାଳୀକୁ ବିବାହ କରିପାରନ୍ତି ।

ଅନ୍ଯପଟେ ଏହି ଅଭିଯୋଗର କଡା ଜବାବ୍ ଦେଇଛନ୍ତି ସାମୀ । ସାମୀ କହିଛନ୍ତି ପ୍ରଥମ ବିବାହ ଯୋଗୁଁ ଅନେକ ସମସ୍ଯାରେ ଅଛି । ଏମିତିରେ ଆପଣ ମାନଙ୍କୁ ଲାଗୁଛି କି ମୁଁ ପୁଣି ଥରେ ବିବାହ କରିବି ? ଏହା ସହ କହିଛନ୍ତି ଗତ କିଛି ମାସ ମଧ୍ୟରେ ହସିନ୍ ମୋ ବିରୋଧରେ ଅନେକ ଅଭିଯୋଗ ଆଣିସାରିଲେଣି । ତେବେ ଭଲ କଥା, ଯଦି ତାଙ୍କ ନୂଆ ଅଭିଯୋଗ ମୂତାବକ ମୁଁ ପୁଣି ଥରେ ବିବାହ କରୁଛି ତେବେ ବିବାହକୁ ନିଶ୍ଚୟ ମୁଁ ତାଙ୍କୁ ନିମନ୍ତ୍ରଣ କରିବି ।

ଉଲ୍ଲେଖଯୋଗ୍ଯ, ଗତ କିଛି ମାସ ଧରି ସାମୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ପତ୍ନୀ ହସିନ୍ । ସାମୀଙ୍କ ବିରୋଧରେ ମାରପିଟ୍, ଦୁଷ୍କର୍ମ , ହତ୍ଯା ଉଦ୍ଯମ, ଘରୋଇ ହିଂସା ଏବଂ ମାଚ୍ ଫିକ୍ସିଂ ଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ହସିନ୍ । ଏହା ବ୍ଯତୀତ ସେ ସାମୀଙ୍କ ବିରୋଧରେ ଶାରୀରିକ ଏବଂ ମାନସିକ ନିର୍ଯାତନା, ଏକ୍ସଟ୍ରା ମାରିଟାଲ୍ ଆଫେୟାର୍ ଭଳି ଅଭିଯୋଗ କରି ମାମଲା ମଧ୍ୟ ରୁଜୁ ମଧ୍ୟ କରିଥିଲେ। ଯଦିଓ ଏଯାଏଁ ଏହି ସବୁ ଅଭିଯୋଗକୁ ପ୍ରମାଣ କରିପାରି ନାହାଁନ୍ତି ହସିନ୍ ।

ଆଇପିଏଲରେ କୋଲକାତା ନାଇଟ୍ ରାଇଡର୍ସର ପାର୍ଟିରେ ମହମ୍ମଦ ସାମୀ ଏବଂ ହସିନ୍ ଜହାଁଙ୍କର ଦେଖାହୋଇଥିଲା । ଏହାର ଦୁଇ ବର୍ଷ ପରେ ୭ ଏପ୍ରିଲ୍ ୨୦୧୪ରେ ଉଭୟ ବିବାହ କରିଥିଲେ । ଉଭୟଙ୍କର ଏକ ଅଢେଇ ବର୍ଷର ଝିଅ ମଧ୍ୟ ଅଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.