ଛକା ମାରିବାରେ ଆଫ୍ରିଦିଙ୍କ ରେକର୍ଡ଼ ଭାଙ୍ଗିଲେ କ୍ରିସ୍‌ ଗେଲ୍‌, ଏବେ ବିଶ୍ୱ ଶୀର୍ଷରେ

କିଙ୍ଗଷ୍ଟନ୍‌ ଓଭାଲ : ଅନ୍ତର୍ଜାତୀୟ କ୍ରିକେଟ୍‌ରେ ସର୍ବାଧିକ ଛକା ମାରିବାରେ ନୂଆ ରେକର୍ଡ଼ କରିଛନ୍ତି େଓ୍ଵଷ୍ଟଇଣ୍ଡିଜ୍‌ର କ୍ରିସ୍‌ ଗେଲ୍‌ । ସେ ପାକିସ୍ତାନର ସାହିଦ ଆଫ୍ରିଦିଙ୍କ ରେକର୍ଡ଼ ଭାଙ୍ଗିଛନ୍ତି ।
ଏଠାରେ ବୁଧବାର ଦିନ ଇଂଲଣ୍ଡ ସହିତ ଦିନିକିଆ ମ୍ୟାଚ୍‌ରେ ଗେଲ୍‌ ୧୨୯ ବଲ୍‌ ଖେଳି ୧୩୫ ରନ୍‌ କରିଥିଲେ । ପୂରା ପ୍ରାଧାନ୍ୟ ବିସ୍ତାର କରି ମାତ୍ର ୩ଟି ଚୌକା ମାରିଥିବା ବେଳେ ୧୨ଟି ଛକା ମାରିଥିଲେ । ଏହି କ୍ରମରେ ସେ ସର୍ବାଧିକ ୪୭୭ଟି ଛକା ମାରିଛନ୍ତି ।

CHRIS GAYEL-1

ଆଫ୍ରିଦିଙ୍କ ନାଁରେ ରହିଛି ୪୭୬ଟି ଛକା । ଗେଲ୍‌ ୪୪୪ଟି ମ୍ୟାଚ୍‌ରେ ଏହି ସଫଳତା ଲାଭ କରିଥିବା ବେଳେ ଆଫ୍ରିଦି ୫୨୪ଟି ମ୍ୟାଚ୍‌ରେ ତାଙ୍କ ଠାରୁ ଗୋଟିଏ କମ୍‌ ଛକା ମାରିଛନ୍ତି । ତାଙ୍କ ପଛକୁ ଅଛନ୍ତି ନ୍ୟୁଜିଲାଣ୍ଡର ବ୍ରେଣ୍ଡନ୍‌ ମ୍ୟାକ୍‌କୁଲମ (୩୯୮) । ଚତୁର୍ଥରେ ଶ୍ରୀଲଙ୍‌କାର ପୂର୍ବତନ ଓପ୍ନର ସନତ୍‌ ଜୟସୁରିୟା (୩୫୨) ଏବଂ ପଞ୍ଚମରେ ରହିଛନ୍ତି ଭାରତର ରୋହିତ ଶର୍ମା (୩୪୯ ଛକା) ।
ଗେଲ୍‌ ଏକଦିବସୀୟ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ୨୭୬ଟି, ଟି-୨୦ରେ ୧୦୩ ଏବଂ ଟେଷ୍ଟ କ୍ରିକେଟ୍‌ରେ ୯୮ଟି ଛକା ମାରିଛନ୍ତି । ତେବେ ଗତକାଲିର ଏହି ଚମତ୍କାର ଶତକ ସତ୍ତ୍ୱେ ତାଙ୍କ ଦଳ ଇଂଲଣ୍ଡ ଠାରୁ ୬ ଓ୍ଵିକେଟ୍‌ରେ ହାରି ଯାଇଥିଲା ।