ହିଟମ୍ଯାନ୍‌ ସୋ: ୭ ହଜାର ରନ୍ କ୍ଲବରେ ସାମିଲ ରୋହିତ ଶର୍ମା

ଟିମ୍ ଇଣ୍ଡିଆର ହିଟମ୍ଯାନ୍ ରୋହିତ ଶର୍ମା । ଏସିଆ କପରେ ଟପ୍ ଫର୍ମରେ ଅଛନ୍ତି । ସୁପର ଫୋର୍ ମୁକାବିଲାରେ ପାକିସ୍ତାନ ବିପକ୍ଷରେ ଅପରାଜିତ ୧୧୧ ରନ୍ ଖେଳି ସୁପରହିରୋ ସାଜିଛନ୍ତି ରୋହିତ । ଅନେକ ରେକର୍ଡ଼ ଅଧିକାରୀ ବି ହୋଇଛନ୍ତି । ଦିନିକିଆରେ ୧୯ତମ ଶତକ ହାସଲ କରିଛନ୍ତି । ଯଦି ବ୍ଯାଟ୍‌ ବୁଲିଲା, ରୋକିବା ଭାରି ମୁସ୍କିଲ ।

ଦିନିକିଆରେ ଦ୍ରୁତ ୭ହଜାର ରନ୍

ପାକିସ୍ତାନ‌ ବିପକ୍ଷରେ ୧୧୧ ରନ୍ ବଳରେ ଦିନିକିଆରେ ୭ ହଜାର ରନ୍ କ୍ଲବରେ ସାମିଲ ହୋଇଛନ୍ତି ରୋହିତ ଶର୍ମା । ଦ୍ରୁତ ୭ହଜାର ରନ୍ (୧୮୧  ଇନିଂସ) କରିବାରେ ବିଶ୍ଵର ପଞ୍ଚମ କ୍ରିକେଟର । ଦକ୍ଷିଣ ଆଫ୍ରିକାର ହାସିମ ଆମଲାଙ୍କ ନାଁରେ ରହିଛି ବିଶ୍ବ ରେକର୍ଡ  । ୧୫୦ ଇନିଂସରେ ସେ ୭ ହଜାର ରନ୍ ହାସଲ କରିଥିଲେ । ଦ୍ବିତୀୟ ସ୍ଥାନରେ ବିରାଟ କୋହଲି (୧୬୧ ଇନିଂସ), ତୃତୀୟ ଏ. ବି. ଡିଭିଲିୟର୍ସ (୧୬୬ ଇନିଂସ) ଓ ଚତୁର୍ଥ ସ୍ଥାନରେ ସୌରଭ ଗାଙ୍ଗୁଲି (୧୭୪ ଇନିଂସ) ଅଛନ୍ତି । ସେହିପରି ୧୮୧ ଇନିଂସରେ ଦ୍ରୁତ ୭ ହଜାର ରନ୍ କରିବାରେ ତୃତୀୟ ଭାରତୀୟ କ୍ରିକେଟର ହୋଇଛନ୍ତି ରୋହିତ ଶର୍ମା । ନବମ ଭାରତୀୟ ଭାବରେ ୭ ହଜାର ରନ୍ କ୍ଲବରେ ନିଜକୁ ସାମିଲ କରିଛନ୍ତି ରୋହିତ । ପୂର୍ବରୁ ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି, ରାହୁଲ ଦ୍ରାବିଡ, ମହେନ୍ଦ୍ର ସିଂହ ଧୋନି, ବିରାଟ କୋହଲି, ମହମ୍ମଦ ଆଝାରୁଦ୍ଦିନ, ଯୁବରାଜ ସିଂହ ଓ ବୀରେନ୍ଦ୍ର ସେହୱାଗ ୭ ହଜାର ରନ୍ ପୂରଣ କରି ସାରିଛନ୍ତି ।

ROHIT SHARMA-2

ପାକିସ୍ତାନକୁ ଲଗାତର ହରାଇଲେ

ଆଗରୁ କୌଣସି ଭାରତୀୟ କ୍ୟାପଟେନ ପାକିସ୍ତାନ ବିପକ୍ଷରେ ଲଗାତାର ଦୁଇଟି ଦିନିକିଆ ମ୍ଯାଚ୍ ଜିତାଇ ନଥିଲେ । ଏ କାମ କରି ଦେଖାଇଛନ୍ତି ରୋହିତ । ପାକିସ୍ତାନ ବିପକ୍ଷରେ ଲଗାତର ‌ଦୁଇଟି ମ୍ୟାଚ୍ ଜିତାଇଥିବା ପ୍ରଥମ ଭାରତୀୟ କ୍ୟାପଟେନ ହୋଇଛନ୍ତି । ଚଳିତ ଏସିଆ କପର ପ୍ରଥମ ମ୍ଯାଚରେ ରୋହିତ ଶର୍ମା ୫୨ ରନ୍ କରିଥିଲେ । ମ୍ୟାଚ୍ ଜିତିଥିଲା ଟିମ୍ ଇଣ୍ଡିଆ । ଏହା ସହିତ ସେ ଅଧିନାୟକ ଭାବେ ଲଗାତର ୪ଟି ମ୍ୟାଚରେ ଦଳକୁ ଜିତାଇଛନ୍ତି ।

୧୯ତମ ଦିନିକିଆ ଶତକ

ଦିନିକିଆରେ ୧୯ତମ ଶତକ ହାସଲ କରିଛନ୍ତି ରୋହିତ ଶର୍ମା । ପାକିସ୍ତାନ ସହ ମ୍ଯାଚରେ ଯେତେବେଳେ ୯୪ ରନ୍ କରିଥିଲେ ସେତେବେଳେ ୭ହଜାର ରନ୍ ପୂରଣ କରିଥିଲେ ରୋହିତ । ଏହାପରେ ଆଉ ୬ ରନ୍ ଯୋଡି କ୍ଯାରିଅରର ୧୯ତମ ଶତକ ନିଜ ନାଁରେ କରିଥିଲେ । ଏହା ସହ ନ୍ୟୁଜିଲାଣ୍ଡର ରସ୍ ଟେଲର୍, ଓ୍ବେଷ୍ଟଇଣ୍ଡିଜ‌ର କିମ୍ବଦନ୍ତୀ ଖେଳାଳି ବ୍ରାଏନ୍ ଲାରା ଓ ଶ୍ରୀଲଙ୍କାର ମାହେଲା ଜୟବର୍ଦ୍ଧନେଙ୍କ ସହ ସମାନ ହୋଇଛନ୍ତି ରୋହିତ ।

ସେଞ୍ଚୁରୀ ଲିଷ୍ଟର ଟପ୍-୨୦ରେ ହିଟମ୍ଯାନ୍

ସର୍ବାଧିକ ଶତକ ହାସଲକାରୀ ୨୦ ଜଣ  କ୍ରିକେଟରଙ୍କ ଭିତରେ ଆସୁଛନ୍ତି ରୋହିତ ଶର୍ମା । ତାଙ୍କ ନମ୍ବର ରହିଛି ୧୯ରେ । ସର୍ବାଧିକ ୪୯ଟି ଦିନିକିଆ ଶତକ ସହ ପ୍ରଥମ ସ୍ଥାନରେ ସଚିନ ତେନ୍ଦୁଲକର ଅଛନ୍ତି । ତାଙ୍କ ପଛକୁ ବିରାଟ କୋହଲି (୩୫ ଶତକ) ଯୁଗ୍ମ ଭାବେ ଦ୍ବିତୀୟରେ ଅଛନ୍ତି । ଟପ୍ କେନ୍ଦ୍ର ଭିତରେ ଆସୁଛନ୍ତି ପୂର୍ବତନ କ୍ୟାପଟେନ ତଥା କ୍ରିକେଟର ବେଙ୍ଗଲ ଟାଇଗର୍ ସୌରଭ ଗାଙ୍ଗୁଲି ।

ସିକ୍ସ ମାଷ୍ଟର

ଛକା ମାରିବାରେ ଓସ୍ତାଦ୍ ରୋହିତ ଶର୍ମା । ଏପର୍ଯନ୍ତ ଅନ୍ତର୍ଜାତୀୟ କ୍ରିକେଟରେ ୩ଶହ ଛକା ମାରି ସାରିଲେଣି । ଗତକାଲି ପାକିସ୍ତାନ ବିପକ୍ଷରେ ଚାରିଟି ଛକା ମାରିଥିଲେ ରୋହିତ । ଏହାସହ ଦ୍ବିତୀୟ ଭାରତୀୟ କ୍ରିକେଟର ଭାବରେ ଅଧିକ ଛକା ମାରିଛନ୍ତି । ଟିମ୍ ଇଣ୍ଡିଆର ସର୍ବାଧିକ ଛକା ମାରିଥିବା ରେକର୍ଡ ରହିଛି ମହେନ୍ଦ୍ର ସିଂହ ଧୋନିଙ୍କ ନାଁରେ ।

ପାର୍ଟନରସିପରେ ସଚିନ୍-ସୌରଭଙ୍କୁ ଟପିଲେ

ପାକିସ୍ତାନ ମ୍ୟାଚରେ ଶିଖର ଧଓ୍ବନଙ୍କ ସହ ଓପନିଂ ପାର୍ଟନରସିପରେ ରେକର୍ଡ କରିଛନ୍ତି ରୋହିତ ଶର୍ମା । ପ୍ରଥମ ଓ୍ବିକେଟରେ ଦୁହେଁ ୨୧୦ ରନ୍ ଯୋଡିଥିଲେ । ଶତକୀୟ ପାର୍ଟନରସିପରେ ସଚିନ ତେନ୍ଦୁଲକର-ସୌରଭ ଗାଙ୍ଗୁଲିଙ୍କ ରେକର୍ଡକୁ କାଟିଛନ୍ତି । ୧୯୯୮ରେ ଢାକାରେ ସଚିନ-ଗାଙ୍ଗୁଲି ଯୋଡ଼ି ୧୫୯ ରନ୍ କରିଥିଲେ । ସେହିପରି ୧୩ଥର ଶତକୀୟ ଭାଗିଦାରୀ ଇନିଂସ ଖେଳିଛନ୍ତି ରୋହିତ ଶର୍ମା-ଶିଖର ଧଓ୍ବନ। ୮୫ଟି ଇନିଂସରେ ଦୁହେଁ ୧୩ଥର ୧୦୦ରୁ ଅଧିକ ରନ୍ ସଂଗ୍ରହ କରିଛନ୍ତି । ବିଶ୍ବରେ ସର୍ବାଧିକ ଶତକୀୟ ପାର୍ଟନରସିପ୍ କରିବା ତାଲିକାର ଅଷ୍ଟମ ସ୍ଥାନରେ ଆସୁଛନ୍ତି ରୋହିତ-ଶିଖର । ପ୍ରଥମ ସ୍ଥାନରେ ଅଛନ୍ତି ‌ସଚିନ ତେନ୍ଦୁଲକର-ସୌରଭ ଗାଙ୍ଗୁଲି ଯୋଡ଼ି । ୧୭୬ଟି ମ୍ଯାଚରେ ସେମାନେ ୨୬ଥର ଶତକୀୟ ଭାଗିଦାରୀ କରିଛନ୍ତି ।

ROHIT-SIKHAR

 ସେଞ୍ଚୁରୀ ମ୍ଯାନ୍

ତୃତୀୟ ଥର ଦୁଇ ଜଣ ଭାରତୀୟ ବ୍ଯାଟ୍ସମ୍ଯାନ୍ ପାକିସ୍ତାନ ବିପକ୍ଷରେ ଶତକ ହାସଲ କରିଛନ୍ତି । ପୂର୍ବରୁ ୧୯୯୬ରେ ସଚିନ ତେନ୍ଦୁଲକର (୧୧୮ରନ୍) ଓ ନବଜୋତ୍ ସିଂ ସିଦ୍ଧୁ (୧୦୧ରନ୍) କରିଥିଲେ । ଏହାପରେ ୨୦୦୫ରେ କୋଚିରେ ବୀରେନ୍ଦ୍ର ସେହୱାଗ (୧୦୮ ରନ୍) ଓ ରାହୁଲ ଦ୍ରାବିଡ (୧୦୪ରନ୍) ଶତକ କରିଥିଲେ । ଚଳିତ ଏସିଆ କପରେ ପାକିସ୍ତାନ ସହ ଦ୍ବିତୀୟ ମ୍ୟାଚରେ ରୋହିତ ଶର୍ମା (ଅପରାଜିତ ୧୧୧ ରନ୍) ଓ ଶିଖର ଧଓ୍ବନ (୧୧୪ରନ୍) କରିଛନ୍ତି ।

ଅଜିତ କୁମାର ଦେହୁରୀ

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.