FIH ହକି ପ୍ରୋ ଲିଗ୍: ରାଜଧାନୀ ବାସୀଙ୍କ ପାଇଁ ଖୁସି ଖବର, କଳିଙ୍ଗ ଷ୍ଟାଡିୟମ୍‌ ମାଗଣାରେ ମ୍ୟାଚ୍‌ ଦେଖିବାକୁ ସୁଯୋଗ

ଭୁବନେଶ୍ୱର : ରାଜଧାନୀବାସୀଙ୍କ ପାଇଁ ବଡ ଖୁସି ଖବର । ଖାସ୍ କରି ଖେଳ ପ୍ରେମୀଙ୍କ ପାଇଁ । ଏଫ୍‌ଆଇଏଚ୍‌(FIH) ହକି ପ୍ରୋ ଲିଗ୍ ୨୦୨୪-୨୫କୁ ନେଇ ଆସିଛି ମନ ଖୁସି କରିଦେଲା ଭଳି ଏକ ଖୁସି ଖବର । ଖବରଟି ହେଲା କି ଆଉ ଦେବାକୁ ପଡିବନି ଟିକେଟ ପାଇଁ ପାଉଣା । ମାଗରେ ହକି ଖେଳ ଦେଖିବାର ସୁଯୋଗ ପାଇବେ ଦର୍ଶକ । ତାପୁଣି ଷ୍ଟାଡିୟମ ଭିତରେ ।

ହଁ ଆଜ୍ଞା ଆପଣ ତ ନିହାତୀ ଜାଣିଥିବେ କି, ଆସନ୍ତା ଫେବୃଆରୀ ୧୫ରୁ ୨୫ ପର୍ଯ୍ୟନ୍ତ ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ ପୁରୁଷ ଓ ମହିଳା ହକି ଟୁର୍ଣ୍ଣାମେଣ୍ଟର କିଛି ମ୍ୟାଚ୍‌ ଖେଳାଯିବ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍‌ ରେ ଥିବା ହକି ଷ୍ଟାଡିୟମ୍‌ରେ । ତେବେ ଏହି ଟୁର୍ଣ୍ଣାମେଣ୍ଟରେ ସମସ୍ତ ମ୍ୟାଚ୍‌ ଦେଖିବା ପାଇଁ ଦର୍ଶକଙ୍କୁ ଟଙ୍କାଟେବି ଦେବାକୁ ପଡିବନି । ଯାହା ଶୁଣୁଛନ୍ତି ପୁରା ଠିକ୍ । ଆପଣଙ୍କୁ ଟଙ୍କା ଦେଇ ଟିକେଟ କିଣିବାକୁ ପଡ଼ିବ ନାହିଁ । ଯେଉଁମାନେ ମ୍ୟାଚ୍ ଦେଖିବାକୁ ଚାହୁଁଛନ୍ତି ସେମାନେ ଅନ୍‌ଲାଇନ୍‌ରେ ମାଗଣାରେ ଟିକେଟ ବୁକ୍‌ କରିବେ ଏବଂ ଏହାର ପ୍ରିଣ୍ଟ୍‌ ଆଉଟ୍‌କୁ ଦେଖାଇ ଷ୍ଟାଡିୟମ୍‌ ଭିତରେ ପ୍ରବେଶ କରି ମ୍ୟାଚ୍‌କୁ ଉପଭୋଗ କରିପାରିବେ । ରବିବାର ହକି ଇଣ୍ଡିଆ ପକ୍ଷରୁ ଏହି ଘୋଷଣା କରାଯାଇଛି । ତେବେ ମାଗଣା ଟିକଟ ଦେବା ଦ୍ୱାରା ଷ୍ଟାଡିୟମ୍‌ରେ ଭରପୂର ଉତ୍ସାହର ବାତାବରଣ ଦେଖିବାକୁ ମିଳିବ।

ଏପଟେ ଓଡ଼ିଶାରେ ହେବାକୁ ଥିବା ଏଫଆଇଏଚ୍ ପ୍ରୋ ଲିଗ୍ ପାଇଁ ଭାରତୀୟ ହକି ଦଳ ଘୋଷଣା ହୋଇସାରିଛି । ଗୁରୁବାର ହକି ଇଣ୍ଡିଆ ପକ୍ଷରୁ ୩୨ ଜଣିଆ ଭାରତୀୟ ପୁରୁଷ ଦଳ ଘୋଷଣା କରାଯାଇଛି । ଦଳରେ ୩ ଜଣ ଓଡ଼ିଆ ଖେଳାଳି ରହିଛନ୍ତି । ଓଡ଼ିଶାର ଶିଳାନନ୍ଦ ଲାକ୍ରା, ନିଲପ ସଞ୍ଜିପ୍ ଖେସ ଓ ଅମିତ ରୋହିଦାସ ଭାରତୀୟ ଦଳରେ ସାମିଲ ହୋଇଛନ୍ତି । ରାଜଧାନୀ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଫେବ୍ରୁଆରୀ ୧୫ରୁ ହେବାକୁ ଥିବା ଏହି ଏଫଆଇଏଚ୍ ପ୍ରୋ ଲିଗ୍ ରେ ଭାରତ ତାର ପ୍ରଥମ ମ୍ୟାଚ୍‌ରେ ସ୍ପେନ୍‌କୁ ଭେଟିବ । ମିଳିଥିବା ସୂଚନା ମୁତାବକ, ନିକଟରେ ସମାପ୍ତ ହୋଇଥିବା ପୁରୁଷ ଓ ମହିଳା ହକି ଇଣ୍ଡିଆ ଲିଗ୍‌ ରାଉରକେଲା ଓ ରାଞ୍ଚିରେ ଖେଳା ଯାଇଥିଲା । ଦର୍ଶକ ବିନା ପଇସାରେ ଷ୍ଟାଡିୟମ୍‌ରେ ମ୍ୟାଚ୍‌ ଦେଖିଥିଲେ ।

ତେବେ ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ ହକି ୨୦୨୪-୨୫ ସଂସ୍କରଣରେ ରାଜଧାନୀ ଭୁବନେଶ୍ୱରେ ପୁରୁଷ ବର୍ଗରେ ବିଶ୍ୱର ୫ଟି ନାମୀ ଦଳ ଖେଳିବେ । ଆୟୋଜକ ଭାରତ ସହ ଇଂଲଣ୍ଡ, ସ୍ପେନ୍‌, ଜର୍ମାନୀ ଓ ଆୟରଲାଣ୍ଡ ଏହି ଟୁର୍ଣ୍ଣାମେଣ୍ଟ ଖେଳିବେ । ପ୍ରତି ଦଳ ପରସ୍ପର ବିପକ୍ଷରେ ୨ ଥର ଲେଖାଏଁ ଖେଳିବେ । ପୁରୁଷ ବର୍ଗର ମ୍ୟାଚ୍‌ ଫେବୃଆରୀ ୧୫ରୁ ଆରମ୍ଭହୋଇ ୧୯ରେ ସମାପ୍ତ
ହେବ ।

୧୫ ଓ ୧୬ରେ ଭାରତୀୟ ଦଳ ସ୍ପେନ୍‌ ବିପକ୍ଷରେ, ୧୮ ଓ ୧୯ରେ ଜର୍ମାନୀ ବିପକ୍ଷରେ, ୨୧ ଓ ୨୨​‌ରେ ଆୟରଲାଣ୍ଡ ବିପକ୍ଷରେ ଏବଂ ୨୪ ଓ ୨୫ରେ ଇଂଲଣ୍ଡ ବିପକ୍ଷରେ ୨ଟି ଲେଖାଏଁ ମ୍ୟାଚ୍‌ ଖେଳିବ । ମହିଳା ବର୍ଗରେ ଆୟୋଜକ ଭାରତ ସହ ନେଦରଲାଣ୍ଡ୍‌ସ, ଜର୍ମାନୀ, ଇଂଲଣ୍ଡ ଓ ସ୍ପେନ୍‌ ଖେଳିବେ । ପ୍ରତି ଦଳ ପରସ୍ପର ବିପକ୍ଷରେ ୨ ଥର ଲେଖାଏଁ ଖେଳିବେ । ୧୫ ଓ ୧୬ରେ ଭାରତୀୟ ମହିଳା ଦଳ ଇଂଲଣ୍ଡ ବିପକ୍ଷରେ, ୧୮ ଓ ୧୯ରେ ସ୍ପେନ୍‌ ବିପକ୍ଷରେ, ୨୧ ଓ ୨୨ରେ ଜର୍ମାନୀ ବିପକ୍ଷରେ ଏବଂ ୨୪ ଓ ୨୫ରେ ନେଦରଲାଣ୍ଡ୍‌ସ ବିପକ୍ଷରେ ୨ଟି ଲେଖାଏଁ ମ୍ୟାଚ୍‌ ଖେଳିବ ।

ଭୁବନେଶ୍ୱର ବିଶ୍ୱ ହକିର ପେଣ୍ଠସ୍ଥଳ ପାଲିଟିଛି । ଏଠାରେ ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ ହକି ଆୟୋଜନ କରିବା ଆମ ପାଇଁ ଗର୍ବର ବିଷୟ । କଳିଙ୍ଗ ଷ୍ଟାଡିୟମ୍‌ର ମ୍ୟାଚ୍‌ ପାଇଁ ମାଗଣା ଟିକେଟ ଘୋଷଣା ଅବସରରେ ଏମିତି କିଛି କହିଥିଲେ ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କି । ଏବେ ସାରା ବିଶ୍ୱ ହକି ପ୍ରତି ଓଡ଼ିଶାବାସୀଙ୍କ ଭଲପାଇବା ଦେଖିବ ।

ତେବେ ସୂଚନାଥାଉକି, ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ ହକି ଦେଖିବା ପାଇଁ ଦର୍ଶକଙ୍କୁ ‘ଟିକେଟ୍‌ଜିନି’ ( Ticketgenie) ଆପ୍‌ ଓ ୱେବ୍‌ସାଇଟ୍‌ ଯାଇ ଟିକଟ ବୁକିଂ କରିବାକୁ ପଡ଼ିବ ଏବଂ ଏହାର ପ୍ରିଣ୍ଟଆଉଟ୍‌ ଦେଖାଇ ସେମାନେ ଷ୍ଟାଡିୟମ୍‌ରେ ପ୍ରବେଶ କରିପାରିବେ । ଏନେଇ ହକି ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି ।

କେମିତି କରିବେ ରେଜିଷ୍ଟ୍ରସନ ଆସନ୍ତୁ ଥରେ ପକାଇଦେବା ନଜର :

-ପ୍ରଥମେ Ticketgenie ୱେବ୍‌ସାଇଟ୍‌ କୁ ଯିବେ ।

-ଏହାପରେ ଆପଣଙ୍କ ମୋବାଇଲ୍ ନମ୍ବର ରେଜିଷ୍ଟ୍ରର କରିବେ ।

-ଏହାପରେ ଆପଣ ଦେଇଥିବା ମୋବାଇଲ୍ ନମ୍ବରକୁ ଏକ ଓଟିପି ଆସିବ ।

-ଉକ୍ତ ଓଟିପିକୁ ଏଣ୍ଟର କରିବା ପରେ ଆପଣଙ୍କ ଆକାଉଣ୍ଟ ଭେରିଫାଏ ହେବ ।

-ଏହାପରେ ଆପଣଙ୍କ ସମ୍ପୂର୍ଣ୍ଣ ନାମ ଏବଂ ଇମେଲ୍ ଆଇଡି ଦେବାକୁ ଅପସନ୍ ଆସିବ ।

-ଏହା ଆପଣ ସବମିଟ୍ କରିବା ପରେ ଆପଣଙ୍କ ରେଜିଷ୍ଟ୍ରସନ ସକ୍ସସେସଫୁଲ୍ ବୋଲି ଲେଖା ଆସିବ ।

-ଏହାପରେ ଆପଣଙ୍କ ମେଲ୍ ଆଇଡିକୁ କିଛି ଦିନ ଭିତରେ ଫ୍ରି ଟିକେଟ ଚାଲିଆସିବ ।

-ଯାହାର ପ୍ରିଣ୍ଟ୍‌ ଆଉଟ୍‌ ଆଉଟ୍ ଆପଣ ବାହାର କରିପାରିବେ ।

ଆହୁରି ପଢନ୍ତୁ : ବାରବାଟୀ ଲଢେଇ: ନିରାଶ କଲା ଅନଲାଇନ ଟିକେଟ, ଅଧଘଣ୍ଟା ଭିତରେ ବୁକିଂ ଶେଷ

You might also like