ହକି ବିଶ୍ୱକପ: କ୍ବାର୍ଟର ଫାଇନାଲ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ, କଳିଙ୍ଗରେ ଭାରତ-ୱେଲ୍ସ ଲଢ଼େଇ ଆଜି

ହକି ବିଶ୍ୱକପର ପୁଲ୍ ଡିରେ ଆଜି ଗୁରୁତ୍ୱପୂର୍ଣ୍ଣ ମୁକାବିଲା । ଆଜି ଭାରତ-ୱେଲ୍ସ ଓ ଇଂଲଣ୍ଡ-ସ୍ପେନ୍ ମ୍ୟାଚ୍ ଉପରେ ସମସ୍ତଙ୍କର ନଜର ରହିଛି । େଓ୍ଵଲସକୁ ବୃହତ ବ୍ୟବଧାନରେ ହରାଇ ସିଧାସଳଖ କ୍ୱାର୍ଟର ଫାଇନାଲ୍ ଖେଳିବା ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ପୁଲ୍-ଡିରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି । ଉଭୟ ଇଂଲଣ୍ଡ ଓ ଭାରତ ୪ ଲେଖାଏ ପଏଣ୍ଟ ପାଇଥିଲେ ମଧ୍ୟ ଗୋଲ ବ୍ୟବଧାନରେ ପ୍ରଥମ ସ୍ଥାନରେ ଅଛି ଇଂଲଣ୍ଡ । ତୃତୀୟ ସ୍ଥାନରେ ଅଛି ସ୍ପେନ । ଦୁଇଟି ମ୍ୟାଚ୍ ହାରି ଚତୁର୍ଥ ସ୍ଥାନରେ ଅଛି ୱେଲ୍ସ ।
ଆଜିର ମ୍ୟାତ୍ ଜିତି ଯିଏ ପୁଲ୍ ଶୀର୍ଷରେ ରହିବ ସିଧା କ୍ୱାର୍ଟର ଫାଇନାଲକୁ ଏଣ୍ଟ୍ରି ମିଳିବ । ପୁଲ୍-ଡିର ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଥିବା ଟିମ୍ ପୁଲ୍ ସିର ତୃତୀୟ ଓ ଦ୍ୱିତୀୟ ସ୍ଥାନରେ ଥିବା ଟିମ୍ ସହ କ୍ରସ୍ ଓଭର ଖେଳିବେ । ଭାରତ ପ୍ରଥମ ମ୍ୟାଚ୍ରେ ୨-୦ରେ ସ୍ପେନ୍କୁ ହରାଇଥିଲା । ଦ୍ୱିତୀୟ ମ୍ୟାଚ୍ ଇଂଲଣ୍ଡ ସହ ବିନା ଗୋଲ୍ରେ ଡ୍ର ରହିଥିଲା । ସେପଟେ ଇଂଲଣ୍ଡ ପ୍ରଥମ ମ୍ୟାଚ୍ରେ ୱେଲ୍ସକୁ ୫-୦ରେ ହରାଇଥିଲା ଓ ଡ୍ର ରହିଥିଲା ଭାରତ ସହ ଦ୍ୱିତୀୟ ମ୍ୟାଚ୍ । ଟେବୁଲ ଟପ୍ପର ହେବା ପାଇଁ ଭାରତକୁ କେବଳ ୱେଲ୍ସକୁ ହରାଇଲେ ହେବ ନାହିଁ, ବରଂ ବଡ଼ ମାର୍ଜିନରେ ଜିତିବାକୁ ପଡିବ । ନଚେତ ଗ୍ରୁପ୍ରେ ଦ୍ୱିତୀୟ ସ୍ଥାନରେ ରହି ଯାଇପାରେ ଭାରତ । ପୂର୍ବ ମ୍ୟାଚରେ ଏକାଧିକ ପେନାଲଟି କର୍ଣ୍ଣରକୁ ଗୋଲରେ ପରିଣତ କରିବାରେ ଦଳ ବିଫଳ ହୋଇଛି । ଯାହାକି ଦଳ ପାଇଁ ବଡ ସମସ୍ୟା ।