ଆଜି ହକି ବିଶ୍ୱକପ୍ ଫାଇନାଲ୍: ମୁହାଁମୁହିଁ ହେବେ ବେଲ୍ଜିୟମ-ଜର୍ମାନୀ
ଭୁବନେଶ୍ବର(କେନ୍ୟୁଜ୍): ଆଜି ହକି ବିଶ୍ୱକପ୍ ଫାଇନାଲ୍ । ମୁହାଁମୁହିଁ ହେବେ ବେଲ୍ଜିୟମ-ଜର୍ମାନୀ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ରେ ସନ୍ଧ୍ୟା ୭ଟାରେ ଖେଳାଯିବାକୁ ଥିବା ଫାଇନାଲରେ ଦୁଇ ୟୁରୋପୀୟ ଦେଶଙ୍କ ମଧ୍ୟରେ ଲଢ଼େଇ ହେବ। ୨୦୧୮ ବିଶ୍ୱକପ୍ରେ ଚାମ୍ପିୟନ୍ ବେଲଜିୟମ୍ ପୁଣି ଥରେ ବିଶ୍ୱ ବିଜୟୀ ହେବାକୁ ଲକ୍ଷ୍ୟ ରଖିଛି । ଜର୍ମାନୀ ମଧ୍ୟ କଡା ଟକ୍କର ଦେବାକୁ ତୟାର। ଯଦି ଆଜି ଫାଇନାଲ ମ୍ୟାଚ୍ ବେଲଜିୟମ୍ ଜିତେ ତେବେ ବିଶ୍ୱର ଚତୁର୍ଥ ଦଳ ଭାବେ ଲାଗାତର ଟ୍ରଫି ଜିତିବାର ରେକର୍ଡ ବେଲଜିୟମ୍ ନାଁରେ ରହିବ।
ସେପଟେ ପ୍ରତି ମ୍ୟାଚ୍ରେ ସଂଘର୍ଷ କରି ଫାଇନାଲ ଟିକେଟ୍ ହାତେଇ ଥିବା ଜର୍ମାନୀ ବେଲଜିୟମକୁ ମାତ୍ ଦେଇ ବିଶ୍ୱ ବିଜୟୀ ହେବାକୁ ଯୋଜନା ପ୍ରସ୍ତୁତ କରିଛି। ଦୀର୍ଘ ୧୭ ବର୍ଷ ପରେ ଟ୍ରଫି ଜିତିବା ଟାର୍ଗେଟରେ ରହିଛି ଜର୍ମାନୀ। ପ୍ରଥମ ସେମିଫାଇନାଲ୍ରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ୪-୩ ଗୋଲ୍ରେ ହରାଇ ଫାଇନାଲ୍କୁ ପ୍ରବେଶ କରିଛି ଜର୍ମାନୀ । ଏପଟେ ଗତଥର ରନର୍ସଅପ୍ ନେଦରଲାଣ୍ଡସ୍କୁ ହରାଇ ଫାଇନାଲ୍କୁ ଏଣ୍ଟ୍ରି ମାରିଛି ବେଲଜିୟମ । ଅଢେଇ ସପ୍ତାହ ଧରି ଚାଲିଥିବା ହକି ମହାକୁମ୍ଭ ଆଜି ଶେଷ ହୋଇଯିବ। ଆଜିର ଫାଇନାଲ ମ୍ୟାଚ୍ ଦେଖିବାକୁ ଦର୍ଶକଙ୍କ ମନରେ ଉତ୍କଣ୍ଠା ଭରିରହିଛି।