ଇତିହାସ ସୃଷ୍ଟି, କଳିଙ୍ଗରେ ଉଦ୍ଘାଟିତ ହେଲା ହକି ମହାକୁମ୍ଭ

ଭୁବନେଶ୍ୱର (କେ ନ୍ୟୁଜ୍) : ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରୁ କିଙ୍ଗ ଖାନ୍ ଶାହାରୁଖଙ୍କ ପ୍ରେରଣାଦାୟୀ ଡାଇଲଗ୍, ମାଧୁରୀଙ୍କ ଶାସ୍ତ୍ରୀୟ ନୃତ୍ୟ କଳା ଏବଂ ଏ.ଆର. ରେହମାନଙ୍କ ସଂଗୀତର ଯାଦୁ ଖେଳିଗଲା ସାରା ବିଶ୍ୱକୁ । ତାରି ଭିତରେ ଉଦ୍ଘାଟିତ ହୋଇଛି ଚତୁର୍ଦ୍ଦଶ ହକି ବିଶ୍ୱ କପ୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିଛନ୍ତି । ଆଜି ପ୍ରାୟ ସାଢ଼େ ୬ଟା ବେଳେ ଆରମ୍ଭ ହେଲା ଉଦଘାଟନ ଉତ୍ସବ । ଓଲିଉଡ୍ ଷ୍ଟାର ସବ୍ୟସାଚୀ ଓ ଅର୍ଚ୍ଚିତା ଆଙ୍କରିଂ ଆରମ୍ଭ କରିଥିଲେ । ପ୍ରଥମେ ୧୯୭୫ ବିଶ୍ୱ କପ୍ ବିଜେତା ଦଳ ଖେଳାଳିକୁ ସମ୍ବର୍ଦ୍ଧନା ଓ ତା ପରେ କୋରିଓ ଗ୍ରାଫର ସିଆମକ ଦାଭର ନୃତ୍ୟ ଶିଖାଇ ଦେଲେ ଷ୍ଟାଡିୟମରେ ବସିଥିବା ଦର୍ଶକଙ୍କୁ ।
ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଷ୍ଟାଡିୟମ୍ ‘କଳିଙ୍ଗ’
ଏମାନଙ୍କ ପରେ ଜଣାଶୁଣା ସ୍ପୋର୍ଟସ ଆଙ୍କର ଗୌରବ କପୁର ଆସିଥିଲେ ମଞ୍ଚକୁ । କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ପ୍ରଥମେ ଡାକିଥିଲେ ଅନ୍ତର୍ଜାତୀୟ ହକି ଫେଡେରେସନ୍ର ମୁଖ୍ୟ ନରିନ୍ଦର ବତ୍ରାଙ୍କୁ । ସେ କଳିଙ୍ଗ ଷ୍ଟାଡିୟମର ଭିତ୍ତିଭୂମିକୁ ପ୍ରଶଂସା କରିଥିଲେ । ବିଶ୍ୱର ଶ୍ରେଷ୍ଠ ୩ଟି ଷ୍ଟାଡିୟମ୍ ଭିତରେ ରହିଛି କଳିଙ୍ଗ ଷ୍ଟାଡିୟମ୍ । ତା ସହିତ ପ୍ରଶଂସା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ । ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ସ୍ୱାଗତ କରିବା ପରେ ହକି ମହାକୁମ୍ଭର ଉଦ୍ଘାଟନ ଘୋଷଣା କରିଥିଲେ । ଏତିକି ବେଳେ ଆତସାଜିରେ କମ୍ପି ଉଠିଲା ପୂରା ଷ୍ଟାଡିୟମ୍ ପରିସର । ପରେ ମଞ୍ଚକୁ ଆସିଥିଲେ ୧୬ଟି ଟିମ୍ର ଅଧିନାୟକ ।
ଶାହାରୁଖ ନଇଁ ଗଲେ ନବୀନଙ୍କ ଆଗରେ
ନାଟକୀୟ ଭାବେ ଏଣ୍ଟ୍ରି ମାରିଥିଲେ ସୁପରଷ୍ଟାର ଶାହାରୁଖ ଖାନ୍ । ଭାରତ ସମେତ ସବୁ ଅଂଶଗ୍ରହଣକାରୀ ଦଳକୁ ଶୁଭେଚ୍ଛା ଜଣାଇଥିଲେ । ସମସ୍ତଙ୍କୁ ସ୍ୱାଗତ କରିବା ସହ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଥିଲେ । ତାଙ୍କ ଆଗରେ ମୁଣ୍ଡ ନୁଆଁଇ ଦେଇଥିଲେ । ପୁଣି ତାଙ୍କ ବାପା ଜଣେ ହକି ଖେଳାଳି ଥିଲେ ଏବଂ ସେ ମଧ୍ୟ ସ୍କୁଲରେ ପଢୁଥିବା ବେଳେ ହକି ଖେଳୁଥିଲେ ବୋଲି କହିଥିଲେ । ଓଡ଼ିଶା ଆମ ଦେଶକୁ ବହୁତ ଭଲ ଭଲ କ୍ରୀଡ଼ାବିତ୍ ଦେଇଛି ବୋଲି ସେ କହିଥିଲେ । ତାଙ୍କୁ ସୁଯୋଗ ଦିଆଯାଇଥିବାରୁ ଓଡ଼ିଆରେ ଧନ୍ୟବାଦ ଜଣାଇଥିଲେ । ଶେଷରେ ଚକ୍ ଦେ ଇଣ୍ଡିଆର ଡାଇଲଗ ଦ୍ୱାରା ଭାରତୀୟ ଦଳକୁ ଉତ୍ସାହିତ କରିଥିଲେ ।
ମାଧୁରୀଙ୍କ ନୃତ୍ୟକଳା
ଏହା ପରେ ଆରମ୍ଭ ହୋଇଥିଲା ମାଧୁରୀଙ୍କ ନୃତ୍ୟ । ଭୂଦେବୀରୁ ଆରମ୍ଭ କରି ବିଭିନ୍ନ ଦେଶର ବିଭିନ୍ନ କଳାସଂସ୍କୃତିର ଝଲକ ଦେଇଥିଲେ । କିସ୍ ପିଲାଙ୍କ ସହ ପ୍ରାୟ ୧୧୦୦ ପିଲା ମାଧୁରୀଙ୍କ ସହିତ ନାଚିଲେ ।
ରେହମାନଙ୍କ ସଂଗୀତର ଯାଦୁ
ଏହା ପରେ ରେହମାନଙ୍କ ସଂଗୀତର ଯାଦୁ ଖେଳିଗଲା । ପ୍ରଥମେ ‘ଦିଲସେ’ର ଟାଇଟଲ୍ ଗୀତ, ‘ରୋଜା’ର ଦିଲ ୟୋ ଛୋଟା ସା ଛୋଟିସି ଆଶା…, ବମ୍ବେ ଫିିଲ୍ମର ‘ହମ୍ମା ହମ୍ମା.. ଆଦି ସୁପରହିଟ୍ଗୀତ ସାଙ୍ଗକୁ ବନ୍ଦେ ମାତରମ୍, ଜୟ ହୋ.. ଏବଂ ଶେଷରେ ଜୟ ହିନ୍ଦ ହିନ୍ଦ.. ଗାଇଥିଲେ । ଏହା ପରେ ଶେଷ ହୋଇଥିଲା ଭୁବନେଶ୍ୱର ଉଦ୍ଘାଟନୀ ଉତ୍ସବ ।
ବାରବାଟୀରେ ଦେଖା
ଆସନ୍ତାକାଲି କଟକ ବାରବାଟୀ ଷ୍ଟାଡିୟମରେ ଆୟୋଜିତ ହେବ ଦ୍ୱିତୀୟ ଉଦଘାଟନୀ ଉତ୍ସବ । କାଲି ସନ୍ଧ୍ୟାରେ ଯୋଗ ଦେବେ ସୁପର ଷ୍ଟାର ସଲମାନ ଖାନ୍ । ତା ସହିତ ରେହମାନଙ୍କ ସଂଗୀତର ଯାଦୁ ଖେଳିବ ସିଲଭର ସିଟିରେ ।
ପ୍ରଥମ ମ୍ୟାଚ୍ ୫ଟାରେ
ଏପଟେ କଳିଙ୍ଗ ଷ୍ଟାଡିୟମ ହକି କଂପ୍ଲେକ୍ସରେ ସନ୍ଧ୍ୟା ୫ଟାରେ ପ୍ରଥମ ମ୍ୟାଚ୍ ବେଲଜିୟମ୍ ଓ କାନାଡ଼ା ମଧ୍ୟରେ ଏବଂ ରାତି ୭ଟାରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ମ୍ୟାଚ୍ ଖେଳାଯିବ ।
କାଲି ଠାରୁ ମ୍ୟାଚ୍
କାଲି କଟକ ବାରବାଟୀ ଷ୍ଟାଡିୟମରେ ଆୟୋଜିତ ହେବ ଦ୍ୱିତୀୟ ଉଦଘାଟନୀ ଉତ୍ସବ । ଯୋଗ ଦେବେ ସୁପର ଷ୍ଟାର ସଲମାନ ଖାନ୍ । ତା ସହିତ ରେହମାନଙ୍କ ସଂଗୀତର ଯାଦୁ ଖେଳିବ ସିଲଭର ସିଟିରେ ।