ହକି ବିଶ୍ବକପ୍‌: ଶୀର୍ଷ ସ୍ଥାନ ପାଇଁ ଲଢ଼େଇ, ବିର୍ସା ମୁଣ୍ଡା ଷ୍ଟାଡିୟମରେ ଆଜି ଭାରତ-ଇଂଲଣ୍ଡ ଟକ୍କର

ରାଉରକେଲା (କେନ୍ୟୁଜ): ହକି ବିଶ୍ୱକପରେ ଆଜି ଭାରତ-ଇଂଲଣ୍ଡ ମୁକାବିଲା । ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ଏହି ମ୍ୟାଚ୍‌ ଖେଳାଯିବ । ବିଶ୍ୱ ରାକିଂ ତାଲିକାରେ ପଞ୍ଚମ ସ୍ଥାନରେ ରହିଛି ଇଂଲଣ୍ଡ । ଷଷ୍ଠ ସ୍ଥାନରେ ରହିଛି ଭାରତ । ଗ୍ରୁପ୍‌-ଡିର ଦୁଇ ଶକ୍ତିଶାଳୀ ଦଳ ମଧ୍ୟରେ କଡ଼ା ମୁକାବିଲା ଆଶା କରାଯାଉଛି । ଏହି ମ୍ୟାଚ ଜିତି ଗ୍ରୁପ୍‌ର ଶୀର୍ଷ ସ୍ଥାନ ଦଖଲ କରି ନକ୍‌ଆଉଟ ପାଇଁ ଯୋଗ୍ୟତା ପାଇବାକୁ ଉଭୟ ଦଳ ଚେଷ୍ଟା କରିବେ । ଗ୍ରୁପ୍‌ର ଶୀର୍ଷ ସ୍ଥାନ ଦଖଲକାରୀ ଦଳ ସିଧାସଳଖ କ୍ୱାର୍ଟର ଫାଇନାଲ ପର୍ଯ୍ୟାୟକୁ ଯିବ । େଓ୍ଵଲସ୍‌ ବିପକ୍ଷରେ ଏକତରଫା ଭାବେ ୫-୦ ଗୋଲରେ ବିଜୟୀ ହୋଇଥିଲା ଇଂଲଣ୍ଡ ।

ଆଜିର ମ୍ୟାଚ୍‌ରେ ଇଂଲିଶ ବାହିନୀକୁ ମାତ ଦେବା ଭାରତ ପାଇଁ ଏତେ ସହଜ ହେବ ନାହିଁ । କିନ୍ତୁ ଘରୋଇ ପରିବେଶରେ ଖେଳୁଥିବାରୁ ଉତ୍ସାହିତ ରହିଛି ଭାରତୀୟ ଦଳ । ସ୍ପେନ୍‌ ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଜିତିଥିବାରୁ ଦଳର ମନୋବଳ ବି ଦୃଢ଼ ରହିଛି । ଓଡ଼ିଆ ପୁଅ ଅମିତ ରୋହିଦାସ ଓ ନିଲମ୍‌ ସଞ୍ଜୀବ ଖେସଙ୍କ ଉପରେ ରହିଛି ସମସ୍ତଙ୍କ ନଜର । ଆଜିର ମ୍ୟାଚରେ ବଡ଼ ଧରଣର ପରିବର୍ତ୍ତନ ସମ୍ଭାବନା ନାହିଁ । ଇଂଲଣ୍ଡର ଫରଓ୍ଵାର୍ଡ ଲିଆମ୍‌ ଆନସେଲ୍‌ ଭାରତ ପାଇଁ ସମସ୍ୟା ସୃଷ୍ଟି କରି ପାରନ୍ତି ।

ହକିରେ ଭାରତ ଓ ଇଂଲଣ୍ଡ ୧୩୫ ଥର ମୁହାଁମୁହିଁ ହୋଇଛନ୍ତି । ଏଥିରୁ ଭାରତ ଜିତିଛି ୨୬ଟି ମ୍ୟାଚ୍‌ । ଇଂଲଣ୍ଡ ୮୬ଟି ମ୍ୟାଚରେ ବିଜୟୀ ହୋଇଛି । ୨୩ଟି ମ୍ୟାଚ୍‌ ଅମୀମାଂସିତ ରହିଛି । ସେହିପରି ହକି ବିଶ୍ୱକପରେ ଉଭୟ ଦଳ ଖେଳିଛନ୍ତି ୮ଟି ମ୍ୟାଚ୍‌ । ଏଥିରୁ ଭାରତ ୩ଟି ଓ ଇଂଲଣ୍ଡ ଜିତିଛି ୪ଟି । ଗୋଟିଏ ମ୍ୟାଚ୍‌ ଅମୀମାଂସିତ ରହିଛି । ତେଣୁ ଆଜିର ମ୍ୟାଚରେ କଡ଼ା ମୁକାବିଲା ଆଶା କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.