ଇଏ କି ଫାର୍ସ ? ହକି ଉଦଘାଟନୀ ଉତ୍ସବ ପାଇଁ ମିଳିଲାନି ଟିକେଟ୍ ଖଣ୍ଡିଏ, ଘଣ୍ଟା ଘଣ୍ଟା ଅନ୍ଲାଇନ୍ କ୍ୟୁରେ ରହିବା ପରେ ବି ନିରାଶ
ଭୁବନେଶ୍ବର : ମିଳିଲାନି ଟିକେଟ୍ । ଖଣ୍ଡିଏ ଟିକେଟ୍ ପାଇଁ କଲବଲ ହେଲେ ଦର୍ଶକ । ହକି ବିଶ୍ୱକପ୍ ପାଇଁ ଆଜି ୧୨ଟାରୁ ଅନ୍ଲାଇନ୍ ଟିକେଟ୍ ବିକ୍ରି ଆରମ୍ଭ ହୋଇଛି । www.ticketgenie.in ରେ ଟିକେଟ୍ ଉପଲବ୍ଧ ହୋଇଛି । ଟିକେଟ୍ ପାଇଁ ୧୨ଟା ହେବା ମାତ୍ରେ ସମସ୍ତେ ସାଇଟ୍ ଖୋଲିଥିଲେ । ହେଲେ ଟିକେଟ୍ ମିଳିବା ତ ଦୂରର କଥା ସାଇଟ୍ ହିଁ ଖୋଲିନଥିଲା । କିଛି ସମୟ ପରେ ଦର୍ଶକଙ୍କୁ କ୍ୟୁରେ ରହିବା ପାଇଁ କୁହାଯାଥିଲା । ଦୀର୍ଘ ସମୟ ଧରି ଅପେକ୍ଷା କରି ରହିଥିଲେ ଦର୍ଶକ । କ୍ୟୁରେ ଯାଇ ପହଞ୍ଚିବା ପରେ ଆଉ କିଛି ଅପସନ୍ ଦେଖାଇନଥିଲା । କିଛି ସମୟ ପରେ ଭୁବନେଶ୍ୱର ପାଇଁ ଅପସନ୍ ଆସିଥିଲା ସୋଲ୍ଡ ଆଉଟ୍ । ଫଳରେ ନିରାଶ ହୋଇଥିଲେ ଦର୍ଶକ । କିଛି ଦର୍ଶକ ଟିକେଟ୍ ପାଇଛନ୍ତି ।
ସେପଟେ ଏହା ଉପରେ ହକି ଇଣ୍ଡିଆ ପକ୍ଷରୁ ସ୍ପଷ୍ଟୀକରଣ ରଖାଯାଇଛି । କୁହାଯାଇଛି, ଟିକେଟ୍ର ଚାହିଦା ଅଧିକ ରହିଛି । କିଛି ସମୟ ପାଇଁ ୱେବସାଇଟ୍ ସ୍ଲୋ ହୋଇଥିଲା । ଏବେ ଅନ୍ଲାଇନ୍ରେ କ୍ୟୁ ବ୍ୟବସ୍ଥା କରାଯାଇଛି । ସହଯୋଗ କରିବାକୁ ଅନୁରୋଧ କରାଯାଇଛି ।
ଆସନ୍ତା ୨୭ ତାରିଖରେ କଳିଙ୍ଗ ଷ୍ଟାଡିୟମ ଓ ୨୮ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ହେବ ପୁରୁଷ ବିଶ୍ୱକପ ହକି ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ଉତ୍ସବ । ୨୭ ତାରିଖ କଳିଙ୍ଗ ଷ୍ଟାଡିୟମରେ ଉଦ୍ଘାଟନୀ ଉତ୍ସବରେ କିଙ୍ଗ୍ ଖାନ୍ଙ୍କ ସହ ଦର୍ଶକ ଶୁଣିବାକୁ ପାଇବେ ଏ.ଆର୍ ରେହମାନ୍ଙ୍କ ଗୀତ । କଳିଙ୍ଗ ଷ୍ଟାଡିୟମର ଉଦ୍ଘାଟନୀ ସମାରୋହ ପାଇଁ ୧୨ ହଜାର ଟିକେଟ୍ ରହିଛି । ସେହିପରି ୨୮ ତାରିଖରେ କଟକ ବାରବାଟୀରେ ହେବାକୁ ଥିବା ଏଆର.ରେହେମାନଙ୍କ ସୋ ପାଇଁ ୩୦ ହଜାର ଟିକେଟ୍ ରହିଛି । ପୂର୍ବରୁ ମଧ୍ୟ ଲାଇନ୍ରେ ଛିଡା ହୋଇ ଦର୍ଶକ ଟିକେଟ୍ ନପାଇବାରୁ କଳିଙ୍ଗ ଷ୍ଟାଡିୟମ୍ରେ ଭଙ୍ଗାରୁଜା କରିଥିଲେ ।