ଆଜିଠୁ ବିଶ୍ୱକପ ହକି ଟୁର୍ଣ୍ଣାମେଣ୍ଟର ଅସଲ ଲଢେଇ

ଆଜିଠୁ ବିଶ୍ୱକପ ହକି ଟୁର୍ଣ୍ଣାମେଣ୍ଟର ଅସଲ ଲଢେଇ । କଳିଙ୍ଗ ଷ୍ଟାଡିୟମରେ ଦୁଇଟି ମ୍ୟାଚ ଖେଳାଯିବ । ପୁଲ ‘ସି’ର ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ବେଲଜିୟମ ଓ କାନାଡା । ଅପରାହ୍ନ ୫ଟାରେ ମ୍ୟାଚ ଖେଳାଯିବ । ସେପଟେ ରାତି ୭ଟାରେ ଆୟୋଜକ ଭାରତକୁ ଭେଟିବ ଦକ୍ଷିଣ ଆଫ୍ରିକା । ବିଶ୍ୱ ମାନ୍ୟତାର ୫ମ ସ୍ଥାନରେ ଥିବା ଭାରତ ୧୫ ନମ୍ବର ଟିମ୍ ଦକ୍ଷିଣ ଆଫ୍ରିକାକୁ ଭେଟିବ । କୋଚ୍ ହରେନ୍ଦ୍ର ସିଂହଙ୍କ ତତ୍ତ୍ୱାବଧାନ ଓ ମନପ୍ରୀତ୍ ସିଂହଙ୍କ ନେତୃତ୍ୱରେ ବିଶ୍ୱ ବିଜୟୀ ହେବାକୁ ଜୋରଦାର ଲଢ଼େଇ କରିବ ଟିମ୍ ଇଣ୍ଡିଆ ।

ପୁଲ୍ ପର‌୍ୟ୍ୟାୟ ବିଜୟୀ ହୋଇ ସିଧାସଳଖ କ୍ୱାର୍ଟର ଫାଇନାଲ୍ ଏଣ୍ଟ୍ରି ଲକ୍ଷ୍ୟ ରଖିଥିବା ଭାରତକୁ ସ୍ୱତନ୍ତ୍ର ରଣନୀତି ସହ ଡିଫେଣ୍ଡ କରିବାକୁ ହେବ । ଭାରତ ଏପର‌୍ୟ୍ୟନ୍ତ ୧୩ଟି ବିଶ୍ୱକପ୍ ଖେଳିଥିବା ବେଳେ ମାତ୍ର ଥରେ ଚାମ୍ପିଅନ୍ ହେବାର ଗୌରବ ହାସଲ କରିଛି । ଅଜିତ୍ ପାଲ ସିଂହଙ୍କ ନେତୃତ୍ୱରେ ୧୯୭୫ରେ ଭାରତ ପ୍ରଥମ ଓ ଶେଷ ଥର ବିଶ୍ୱବିଜୟୀ ହୋଇଥିଲା । ୮ ଥର ଅଲିମ୍ପିକ୍ସ ଚାମ୍ପିଅନ୍ ଭାରତ ୧୯୭୩ ବିଶ୍ୱକପ୍ରେ ରୌପ୍ୟ ଓ ୧୯୭୧ରେ ଜିତିଥିଲା ବ୍ରୋଞ୍ଜ ମେଡାଲ୍ ।

ଚଳିତବର୍ଷ ଜାକର୍ତ୍ତା ଏସିଆନ୍ ଗେମ୍ସରେ ପାକିସ୍ତାନକୁ ହରାଇ ବ୍ରୋଞ୍ଚ ଜିତିଥିଲା ଟିମ୍ ଇଣ୍ଡିଆ । ନିକଟରେ ମସ୍କାଟରେ ଚାମ୍ପିଅନ୍ସ ଟ୍ରଫିରେ ପାକିସ୍ତାନ ସହ ଯୁଗ୍ମ ବିଜେତା ହୋଇଥିଲା । ବିଶ୍ୱକପ୍ ଦଳରେ ୧୮ ଅଛନ୍ତି ଯୁବ ଓ ଅଭିଜ୍ଞ ତାରକା । ହୋମ୍ ଗ୍ରାଉଣ୍ଡରେ ଦର୍ଶକଙ୍କ ସମର୍ଥନ ଓ ସୁହାଇଲା ଭଳି ପରିବେଶରେ ଚାମ୍ପିଅନ୍ ହେବା ଲକ୍ଷ୍ୟରେ ଭାରତୀୟ ଖେଳାଳି ।

ହକି ବିଶ୍ୱକପ୍‌ – ୨୦୧୮
ଆଜିର ଲଢେଇ
ବେଲଜିୟମ୍‌ ବନାମ କାନାଡା
ସମୟ – ଅପରାହ୍ନ ୫ଟା

ହକି ବିଶ୍ୱକପ୍‌ – ୨୦୧୮
ଆଜିର ଲଢେଇ
ଭାରତ ବନାମ ଦକ୍ଷିଣ ଆଫ୍ରିକା
ସମୟ – ରାତି ୭ଟା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.