ଏସିଆ କପ୍ : ବହୁ କଷ୍ଟରେ ୧୦୦ ରନ୍ ଟପିଲା ହଂକଂ

ଦୁବାଇ :  ପାକିସ୍ତାନ ବୋଲରଙ୍କ ଆଗରେ ଅତି ସହଜରେ ହାର ମାନିଗଲେ ହଂକଂ ବ୍ୟାଟ୍ସମ୍ୟାନ୍ । ବହୁ କଷ୍ଟରେ ଗୋଟିଏ ଭଲ ଭାଗିଦାରୀ ଯୋଗୁଁ ୧୦୦ ରନ୍ ଟପି ପାରିଛି । ୩୭.୧ ଓଭରରେ ସମସ୍ତ ୱିକେଟ୍ ହରାଇ କରିଛି ୧୧୬ ରନ୍ ।  ଦୁବାଇରେ ଆୟୋଜିତ ଏସିଆ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆଜି ଦ୍ବିତୀୟ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିଲା ହଂକଂ ଦଳ । ପାକିସ୍ତାନ ବିପକ୍ଷରେ ଟସ୍ ଜିତିଥିଲେ ହଂକଂ ଦଳର ଅଧିନାୟକ ତଥା ଓଡ଼ିଆ ପୁଅ ଅଂଶୁମାନ ରଥ । ତେବେ ଆରମ୍ଭରୁ ଦଳ ବ୍ୟାଟିଂ ବିପର୍ଯ୍ୟୟର ସାମନା କରିଥିଲା । ଓପ୍ନର ନିଜାକତ ଖାନ୍ ୧୩ ଓ ଅଧିନାୟକ ଅଂଶୁମାନ ୩୪ ବଲରେ ୧୯ ରନ୍ କରି ଆଉଟ୍ ହୋଇଥିଲେ ।

hong-kong bating

ତେବେ ୪୪ ରନରେ ୫ଟି ୱିକେଟ ପଡ଼ିଯିବା ପରେ ଏଜାଜ ଖାନ୍ ଓ କିଞ୍ଚିତ ଶାହଙ୍କ ଯୋଡ଼ି ଭଲ ଲଢ଼େଇ କରିଥିଲେ ।  ସେମାନେ ଷଷ୍ଠ ୱିକେଟରେ ୫୩ ରନ୍ ଯୋଡ଼ିବାରୁ ଦଳର ସମ୍ମାନ ରହିଥିଲା । ଏଜାଜ୍ ସର୍ବାଧିକ ୨୭ ରନ୍ ଓ ଧୈର୍ଯ୍ୟର ସହ କ୍ରିଜ୍ ଉପରେ ରହି ଲଢ଼େଇ କରିଥିବା କିଞ୍ଚିତ ଶାହା ୨୬ ରନ୍ କରିଥିଲେ । ତେବେ ଶେଷ ୱିକେଟରେ ୧୭ ରନ୍ ଭାଗିଦାରୀ ଦଳକୁ ଶହେ ରନ୍ ଟପାଇ ଦେଇଥିଲା । ପାକିସ୍ତାନ ପକ୍ଷରୁ ଉସମାନ ଖାନ୍ ୧୯ ରନରେ ୩ଟି ଏବଂ ଶାହବାଦ ଖାନ୍ ଓ ହାସନ ଅଲୀ ୨ଟି ଲେଖାଏଁ ୱକେଟ୍ ଦଖଲ କରିଛନ୍ତି ।

ସ୍କୋର : ହଂକଂ-୧୧୬/୧୦, ୩୭.୧ ଓଭର (ନିଜାକତ ୧୩, ଅଂଶୁମାନ ୧୯,  କିଞ୍ଚିତ ଶାହ ୨୬, ଏଜାଜ ୨୭, ଉସମାନ ଖାନ୍ ୩/୧୯)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like