ଅର୍ଶଦୀପଙ୍କୁ ଖଲିସ୍ତାନୀ ସଂଗଠନ ସହ ସଂପର୍କ ଥିବା ନେଇ ଓ୍ଵିକିପିଡିଆକୁ ସମନ କଲା ଆଇଟି ମନ୍ତ୍ରଣାଳୟ

ଗତକାଲି ଏସିଆ କପର ସୁପର ୪ର ଏକ ରୋମାଞ୍ଚକର ମୁକାବିଲାରେ ପାକିସ୍ତାନ ଭାରତକୁ ୫ ଓ୍ଵିକେଟରେ ହରାଇଛି। ଦଳର ଏହି ପରାଜୟ ପରେ କ୍ରିକେଟ୍ ଫ୍ୟାନ୍ସ ଅର୍ଶଦୀପ ସିଂହଙ୍କ ଉପରେ ବର୍ଷିଛନ୍ତି। କାରଣ ଅର୍ଶଦୀପ ମ୍ୟାଚର ଶେଷ ଆଡକୁ ଏକ ସହଜ କ୍ୟାଚ୍ ଛାଡିଥିଲେ। ଏବେ ଅର୍ଶଦୀପଙ୍କ ଓ୍ଵିକିପିଡିଆ ପେଜକୁ ଏଡିଟ୍ କରାଯାଇ ଖଲିସ୍ତାନ ସହିତ ଯୋଡା ଯାଇଛି। କ୍ରିକେଟର ଅର୍ଶଦୀପ ସିଂଙ୍କ ୱିକିପିଡିଆ ପେଜରେ ଖଲିସ୍ତାନୀ ସଂଗଠନ ସହ ସଂପର୍କ ଥିବା ଯୋଡା ହେବା ପରେ ୱିକିପିଡିଆର ଅଧିକାରୀଙ୍କୁ ସମନ ଜାରି କରିଛି ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ।

ଗତକାଲି ଭାରତ ଓ ପାକିସ୍ତାନ ମଧ୍ୟରେ କ୍ରିକେଟ ମ୍ୟାଚରେ ୨୩ ବର୍ଷୀୟ ଅର୍ଶଦୀପ ସିଂହ ଅର୍ଶଦୀପ କ୍ୟାଚ ଛାଡ଼ିବା ପରେ ତାଙ୍କ ୱିକିପିଡିଆ ପେଜରେ ପରିବର୍ତ୍ତନ ଦେଖାଯାଇଥିଲା। ତାଙ୍କୁ ଖଲିସ୍ତାନ ସଂଗଠନ ସହ ଯୋଡ଼ାଯାଇଥିଲା। ଏନେଇ ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ୱିକିପିଡିଆର ବରିଷ୍ଠ ଅଧିକାରୀଙ୍କୁ ସମନ କରିଛନ୍ତି। ଆଇଟି ସଚିବ ଅଲ୍କେଶ ଶର୍ମାଙ୍କ ନେତୃତ୍ୱରେ ଗଠିତ ଏକ ଉଚ୍ଚସ୍ତରୀୟ ପ୍ୟାନେଲ ୱିକିପିଡିଆ ଅଧିକାରୀଙ୍କୁ ଭେଟି ପେଜରେ ଏଡିଟ ନେଇ ପ୍ରଶ୍ନ କରିବେ। ୱେବସାଇଟର ଜାଣତରେ ନା ଅଗୋଚରରେ ଅର୍ଶଦୀପଙ୍କ ପେଜରେ ପରିବର୍ତ୍ତନ କରାଯାଇଛି ସେନେଇ ପଚାରି ବୁଝିବେ।

ଓ୍ଵିକିପିଡିଆ ପେଜରେ ଲେଖା ହୋଇଥିଲା ଯେ, ଅର୍ଶଦୀପ ସିଂହ ୨୦୧୮ରେ ୧୯ ବର୍ଷରୁ କମ ବିଶ୍ଵ କପରେ ଖାଲିସ୍ତାନ ଦଳ ପକ୍ଷରୁ ଡେବ୍ୟୁ କରିଥିଲେ। ୨୦୨୨ ଜୁଲାଇରେ ସେ ଖାଲିସ୍ତାନ ପକ୍ଷରୁ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିବା ଆରମ୍ଭ କରିଥିଲେ। ୨୦୨୨ ଅଗଷ୍ଟରେ ତାଙ୍କୁ ଖାଲିସ୍ତାନ ଏସିଆ କପ ଦଳରେ ଚୟନ କରାଯାଇଥିଲା।

ସେପଟେ ଏହି ଘଟଣାକୁ କଡ଼ା ନିନ୍ଦା କରିଛନ୍ତି ପୂର୍ବତନ କ୍ରିକେଟର ହରଭଜନ ସିଂ। ଯୁବ କ୍ରିକେଟର ଅର୍ଶଦୀପ ସିଂଙ୍କୁ ନିନ୍ଦା କରିବା ବନ୍ଦ କରନ୍ତୁ ବୋଲି ସେ କହିଛନ୍ତି। କେହି ଜାଣିଶୁଣି କ୍ୟାଚ ଛାଡ଼ନ୍ତିନି ବୋଲି କହିଛନ୍ତି ହରଭଜନ। ଆମେ ଆମ ଖେଳାଳିଙ୍କୁ ନେଇ ଗର୍ବିତ ବୋଲି ସେ କହିଛନ୍ତି।

ସେହିପରି ବିଜେପି ନେତା ମନଜିନ୍ଦର ସିଂହ ସିରସା ଏହି ଘଟଣାକୁ ନିନ୍ଦା କରି କହିଛନ୍ତି, ଅର୍ଶଦୀପ ସିଂହଙ୍କ ବିରୋଧରେ ପାକିସ୍ତାନ ଏବଂ ଆଇଏସଆଇ ଦ୍ଵାରା ଟୁଇଟରରେ ଖାଲିସ୍ତାନୀ ବୋଲି ଟ୍ରେଣ୍ଡ କରାଯାଉଛି। ପ୍ରତ୍ୟେକ ଭାରତୀୟ #arshdeepsinghଙ୍କ ସହିତ ଛିଡା ହୋଇଥିବା ମନଜିନ୍ଦର କହିଛନ୍ତି।

Also Read : ‘ଟେଷ୍ଟ ଅଧିନାୟକ ପଦ ଛାଡିବା ବେଳେ ମୋତେ କେବଳ ଧୋନି ହିଁ ମେସେଜ କରିଥିଲେ’ : ବିରାଟ କୋହଲି