ICC ଟେଷ୍ଟ ର୍ୟାଙ୍କିଂ : ରାହାଣେଙ୍କୁ ମିଳିଲା ଫାଇଦା, ଦ୍ବିତୀୟ ସ୍ଥାନରେ କୋହଲି

ଆଇସିସି ପକ୍ଷରୁ ୨୦୨୦ର ଅନ୍ତିମ ଟେଷ୍ଟ ମାନ୍ୟତା ତାଲିକା ଘୋଷଣା ହୋଇଛି । ନ୍ୟୁଜିଲାଣ୍ଡ ଅଧିନାୟକ କେନ୍ ୱିଲିୟମସନ୍ ଅଷ୍ଟ୍ରେଲିଆର ଷ୍ଟିଭେନ୍ ସ୍ମିଥ୍ ଓ ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କୁ ପଛରେ ପକାଇ ଶୀର୍ଷ ସ୍ଥାନରେ ବାଜି ମାରିନେଇଛନ୍ତି। କୋହଲି ଦ୍ୱିତୀୟ ସ୍ଥାନ ବଜାୟ ରଖିଥିବାବେଳେ ସ୍ମିଥ୍ ତୃତୀୟକୁ ଖସି ଆସିଛନ୍ତି । ସେହିପରି ଅଜିଙ୍କ୍ୟ ରାହାଣେ ଷଷ୍ଠ ସ୍ଥାନକୁ ଉନ୍ନୀତ ହୋଇଥିବାବେଳେ ବୋଲିଂ ମାନ୍ୟତାରେ ରବିଚନ୍ଦ୍ରନ ଅଶ୍ୱିନୀ ସପ୍ତମ ଓ ଯଶପ୍ରୀତ୍ ବୁମ୍ରା ନବମ ସ୍ଥାନ ଦଖଲ କରିଛନ୍ତି । ଅଷ୍ଟ୍ରେଲିଆ ପେସ୍ ବୋଲର ପ୍ୟାଟ୍ କମିନ୍ସ ଏକନମ୍ବର ବୋଲର ସ୍ଥାନ ପାଇଛନ୍ତି।
ପାକିସ୍ତାନ ବିପକ୍ଷ ପ୍ରଥମ ଟେଷ୍ଟରେ ଶତକୀୟ ଇନିଂସ୍ ଖେଳି ୱିଲୟମସନ୍ (୮୯୦ପଏଣ୍ଟ) ମାନ୍ୟତା ତାଲିକାର ୨ଟି ସ୍ଥାନ ଉନ୍ନତି ଘଟାଇ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି । ୨୦୧୫ ପରେ ସେ ପ୍ରଥମ ଥର ଏକନମ୍ବର ସ୍ଥାନ ହାସଲ କରିଛନ୍ତି । ପୂର୍ବରୁ ସ୍ମିଥ୍ ଓ କୋହଲିଙ୍କ ମଧ୍ୟରେ ଏହି ସ୍ଥାନ ରହିଆସିଥିଲା । ବର୍ଡ଼ର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜ୍ ର ପ୍ରଥମ ୨ଟି ଯାକ ମ୍ୟାଚ୍ ରେ ସ୍ମିଥ୍ ଦୁଇଅଙ୍କ ଛୁଇଁ ପାରିନଥିଲେ । ଏହା ତାଙ୍କ ମାନ୍ୟତାରେ ପ୍ରଭାବ ପକାଇଛି । କୋହଲିଙ୍କ ଅନୁପସ୍ଥିତିରେ ଟିମ୍ ଇଣ୍ଡିଆ ନେତୃତ୍ୱ ନେଉଥିବା ରାହାଣେ ୫ଟି ସ୍ଥାନ ଉନ୍ନତି ଘଟାଇ ଷଷ୍ଠରେ ପହଞ୍ଚିଛନ୍ତି । ବକ୍ସିଂ ଡେ’ ଟେଷ୍ଟରେ ସେ ଶତକ ହାସଲ କରିଥିଲେ । ଟେଷ୍ଟ ବ୍ୟାଟିଂ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା ୨ଟି ସ୍ଥାନ ଖସି ଦଶମରେ ରହିଛନ୍ତି।
☝️ A shift at the top in the batting rankings
🇮🇳🇦🇺 Gains for India and Australia bowlers
🇿🇦 Big leaps for South Africa players🗞️ READ about the latest @MRFWorldwide ICC Test Rankings update 👇
— ICC (@ICC) December 31, 2020
ବୋଲିଂ ମାନ୍ୟତା ତାଲିକାରେ ଅଶ୍ୱିନ ଓ ବୁମ୍ରାଙ୍କ ଉନ୍ନତି ଘଟିଛି। ଅଶ୍ୱିନ ୨ଟି ସ୍ଥାନ ଉଠି ସପ୍ତମ ଏବଂ ବୁମ୍ରା ଗୋଟିଏ ସ୍ଥାନ ଉନ୍ନୀତ ହୋଇ ନବମରେ ପହଞ୍ଚିଛନ୍ତି ।