ମହମ୍ମଦ ସିରାଜଙ୍କୁ ଦଣ୍ଡିତ କଲା ଆଇସିସି, କାଟିଲା ୨୦% ମ୍ୟାଚ୍ ଫି
ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ବିତୀୟ ମ୍ୟାଚ ଆଡିଲେଡରେ ଖେଳାଯାଇଥିଲା । ଏହି ପିଙ୍କ ବଲ୍ ଟେଷ୍ଟରେ କଙ୍ଗାରୁ ଟିମ୍ ୧୦ ୱିକେଟରେ ଜିତିଥିଲା । ଜିତିବା ପରେ ଭାରତୀୟ ଦ୍ରୁତବୋଲର ମହମ୍ମଦ ସିରାଜଙ୍କୁ ବଡ଼ ଝଟକା ଲାଗିଛି । ଆଇସିସି ତାଙ୍କ ମ୍ୟାଚ୍ ଫି’ ୨୦% କାଟିଛି ।
ସିରାଜଙ୍କୁ ଏହି ଦଣ୍ଡ ଟ୍ରାଭିସ ହେଡଙ୍କ ଯୋଗୁଁ ମିଳିଛି । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଶେଷ ହୋଇଥିବା ପିଙ୍କ ବଲ ଟେଷ୍ଟରେ ସିରାଜ ଓ ହେଡଙ୍କ ମଧ୍ୟରେ ଏମିତି କିଛି ଦେଖିବାକୁ ମିଳିଥିଲା । ଉଭୟ ପରସ୍ପରକୁ ଆକ୍ଷେପ କରି କିଛି କହିଥିଲେ । ଏଥିପାଇଁ ଆଇସିସି ସିରାଜଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି ଆଉ ହେଡଙ୍କୁ ଅଳ୍ପକେ ଛାଡି ଦେଇଛି ।
ସିରାଜ ଆଇସିସିର ଆଚରଣ ବିଧି ୨.୫କୁ ଉଲ୍ଲଙ୍ଘନ କରିଛନ୍ତି । ଏଥିପାଇଁ ତାଙ୍କୁ ମ୍ୟାଚ ଫି’ ୨୦% କାଟ କରାଯାଇଛି । ହେଡ ମଧ୍ୟ ଧାରା ୨.୧୩ର ଉଲ୍ଲଙ୍ଘନ କରିଛନ୍ତି । ତେଣୁ ତାଙ୍କ ଉପରେ ମଧ୍ୟ କଟକଣା ଲଗାଯାଇଛି । ସିରାଜଙ୍କ ମ୍ୟାଚ୍ ଫି’ ୨୦% କାଟ କରାଯାଇଥିବା ବେଳେ ତାଙ୍କ ଶୃଙ୍ଖଳାଗତ ରେକର୍ଡରେ ଗୋଟିଏ ଡିମେରିଟ ପଏଣ୍ଟ ଯୋଡ଼ି ହୋଇଯାଇଛି । ହେଡଙ୍କୁ ମଧ୍ୟ ଗୋଟିଏ ଡିମେରିଟ ପଏଣ୍ଟ ମିଳିଛି । ଗତ ୨୪ ମାସ ମଧ୍ୟରେ ଏହା ପ୍ରଥମ ଅପରାଧ ।
ସୂଚନାଯୋଗ୍ୟ, ଆଡିଲେଡ ଟେଷ୍ଟରେ ସିରାଜ ଏବଂ ହେଡଙ୍କ ମଧ୍ୟରେ ହାଲକା କଥା କଟାକଟି ଦେଖିବାକୁ ମିଳିଥିଲା । ହେଡଙ୍କୁ ଆଉଟ୍ କରିବା ପରେ ସିରାଜ ତାଙ୍କୁ ଆଖି ଦେଖାଇଥିଲେ ଏବଂ ପାଭିଲିୟନ ଫେରିବାକୁ ଇଶାରା ଦେଇଥିଲେ । ହେଡ ମଧ୍ୟ ପାଭିଲିୟନ ଫେରିବା ବେଳେ ସିରାଜଙ୍କୁ କିଛି କହିଥିଲେ । ଦୁହେଁ ମ୍ୟାଚ ରେଫରୀ ରଂଜନ ମଦୁଗଲେଙ୍କ ସାମ୍ନାରେ ନିଜର ଭୁଲ୍ ମାନି ଅଭିଯୋଗ ସ୍ବୀକାର କରିଥିଲେ । ଏଥିପାଇଁ ଆଇସିସି ତାଙ୍କୁ ଦଣ୍ଡିତ କରିଛି ।
ପିଙ୍କ ବଲ୍ ଟେଷ୍ଟରେ ମହମ୍ମଦ ସିରାଜଙ୍କ ବୋଲିଂକୁ ନେଇ ଚର୍ଚ୍ଚା ଲାଗିଥିଲା । ଯେଉଁଥିରେ ସିରାଜ ଅଷ୍ଟ୍ରେଲିଆ ବ୍ୟାଟର ମାର୍ନସ ଲାବୁସେନଙ୍କ ଉପରେ ରାଗୁଥିବା ନଜର ଆସିଥିଲେ । ଲାବୁସେନ ବ୍ୟାଟିଂ କରୁଥିବା ବେଳେ ସିରାଜ ବୋଲିଂ କରୁଥିଲେ । ସିରାଜ ନିଜ ରନଅପ୍ ପୂରଣ କରି ବୋଲିଂ କରିବାକୁ ରହିଥିବା ବେଳେ ହଠାତ୍ ଲାବୁସେନ କ୍ରିଜରୁ ହଟି ସିରାଜଙ୍କୁ ରହିବାକୁ ଈଶାରା କରୁଛନ୍ତି । ସିରାଜ ପ୍ରଥମେ ରୋକି ହୋଇଥିବା ବେଳେ ହଠାତ୍ ବଲକୁ ଲାବୁସେନଙ୍କ ଆଡକୁ ଥ୍ରୋ କରିଥିଲେ । ବଲ୍ ଥ୍ରୋ କରିବା ପରେ ସିରାଜ ବହୁତ ରାଗିଯାଇଥିଲେ । ତେବେ ଲାବୁସେନ ଖେଳିବାକୁ ପ୍ରସ୍ତୁତ ଥିବା ତାଙ୍କ ସାମ୍ନାରେ ଲାଗିଥିବା ଲାଇଟ ସ୍କ୍ରିନ ଆଗରେ କୌଣସି ବ୍ୟକ୍ତି ଚାଲିଯାଇଥିଲେ । ତେଣୁ ଲାବୁସେନ ହଠାତ୍ କ୍ରିଜରୁ ହଟିଯାଇଥିଲେ ।