ସଚିନ୍ ତେନ୍ଦୁଲକରଙ୍କ ନାଁକୁ ଠିକ୍ ଭାବେ ଉଚ୍ଚାରଣ କରିପାରିଲେନି ଡୋନାଲ୍ଡ ଟ୍ରମ୍ପ, ଭିଡିଓ ସେୟାର କରି ମଜାକ୍ ଉଡ଼ାଇଲା ICC; ଦେଖନ୍ତୁ ଭିଡିଓ
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଭାରତ ଗସ୍ତରେ ଅଛନ୍ତି। ସେ ନିଜ ପରିବାର ସହ ସୋମବାର ଅହମ୍ମଦାବାଦରେ ପହଞ୍ଚିଥିଲେ। ଡୋନାଲ୍ଡ ଟ୍ରମ୍ପ ଗତକାଲି ମୋଟେରା ଷ୍ଟାଡିୟମ୍ରେ ଲକ୍ଷାଧିକ ଲୋକଙ୍କୁ ସମ୍ବୋଧିତ କରିଥିଲେ। ଏ ଅବସରରେ ସେ ସଚିନ ତେନ୍ଦୁଲକର ଓ ବିରାଟ କୋହଲିଙ୍କୁ ପ୍ରଶଂସା କରିବା ସହ ତାଙ୍କୁ ମହାନ୍ କ୍ରିକେଟରର ଆଖ୍ୟା ଦେଇଥିଲେ। ଭାଷଣରେ ସେ ସଚିନ ତେନ୍ଦୁଲକରଙ୍କ ନାଁକୁ ଠିକ୍ ଭାବେ ଉଚ୍ଚାରଣ କରିପାରିନଥିଲେ। ଏଥିପାଇଁ ତାଙ୍କୁ ଟ୍ରୋଲ କରାଯାଉଥିବା ଦେଖିବାକୁ ମିଳିଛି।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବଲିଉଡ୍ରୁ ଆରମ୍ଭ କରି ଖେଳ ପର୍ଯ୍ୟନ୍ତ ଭାରତର ସମସ୍ତ କଳା ସଂସ୍କୃତିକୁ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ ଏହା ଏଭଳି ଏକ ଦେଶ ଯେଉଁଠାରେ ପ୍ରତିବର୍ଷ ପ୍ରାୟ ୨୦୦୦ରୁ ଊର୍ଦ୍ଧ୍ୱ ଫିଲ୍ମ ନିର୍ମାଣ କରାଯାଉଛି। ଭାରତକୁ ସେ ରଚନାତ୍ମକ ତଥା ଯୋଗ୍ୟ ଲୋକଙ୍କ ହବ୍ ବୋଲି କହିଥିଲେ।
ଡୋନାଲ୍ଡ ଟ୍ରମ୍ପ କହିଥିଲେ ଯେ ଭାରତରେ ସଚିନ ତେନ୍ଦୁଲକର ଓ ବିରାଟ କୋହଲିଙ୍କ ଭଳି ବିରାଟ କ୍ରିକେଟର ଜନ୍ମ ନେଇଛନ୍ତି। ଟ୍ରମ୍ପ ଏ ଅବସରରେ ସଚିନ ତେନ୍ଦୁଲକରଙ୍କ ନାଁକୁ ଠିକ୍ ଭାବେ ଉଚ୍ଚାରଣ କରିପାରିନଥିଲେ। ସେ ସଚିନ ଜାଗାରେ ସୁଚିନ୍ କହିଥିଲେ। ଏହା ପରେ ସୋସିଆଲ ମିଡିଆରେ ଫ୍ୟାନ୍ମାନେ ଟ୍ରମ୍ପଙ୍କ ଉଚ୍ଚାରଣକୁ ନେଇ ମଜାକ୍ ଉଡ଼ାଉଥିବା ଦେଖାଯାଇଛି।
ଇଣ୍ଟରନ୍ୟାସନାଲ କ୍ରିକେଟ କାଉନ୍ସିଲ (ICC) ମଧ୍ୟ ଟ୍ରମ୍ପଙ୍କ ଉଚ୍ଚାରଣକୁ ନେଇ ମଜାକ ଉଡ଼ାଇବାରେ ପଛରେ ରହିନାହିଁ। ସେ ଟ୍ଵିଟରରେ ଏକ ଭିଡିଓ ସେୟାର କରିଛନ୍ତି।
ଦେଖନ୍ତୁ ଭିଡିଓ:
Sach-
Such-
Satch-
Sutch-
Sooch-Anyone know? pic.twitter.com/nkD1ynQXmF
— ICC (@ICC) February 24, 2020
ଏହି ଭିଡିଓରେ ଗୁଗଲର ସର୍ଚ୍ଚ ଇଞ୍ଜିନ୍ ଦେଖାଯାଇଛି। ଏଥିରେ ସଚିନ ତେନ୍ଦୁଲକରଙ୍କ ନାମକୁ ସଂଶୋଧିତ କରି ସୁଚିନ୍ ଲେଖାଯାଉଛି ଓ ପୁଣି ଏହାକୁ ସେଭ୍ କରାଯାଉଛି। ଆଇସିସିର ଏହି ଭିଡିଓକୁ ଲୋକମାନେ ଖୁବ୍ ପସନ୍ଦ କରୁଥିବା ଦେଖାଯାଇଛି।