ଆଇସିସି ଟେଷ୍ଟ ବ୍ୟାଟିଂ ରାଙ୍କିଙ୍ଗ : ଟପ୍‌ ୫ରେ ରୋହିତ ଶର୍ମା, ଟପ ୧୦ ରେ ବିରାଟ ଓ ଯଶସ୍ବୀ

ଆଇସିସି ଟେଷ୍ଟ ବ୍ୟାଟିଂ ରାଙ୍କିଙ୍ଗ ଟପ୍‌ ୫ରେ ରୋହିତ ଶର୍ମା । ୨୦୨୧ ସେପ୍ଟେମ୍ବର ପରେ ପ୍ରଥମଥର ପାଇଁ ରୋହିତ ଶର୍ମା ରାଙ୍କିଙ୍ଗର ଟପ୍‌ ୫ ଖେଳାଳିଙ୍କ ମଧ୍ୟରେ ରହିଛନ୍ତି । ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଭାରତୀୟ ଟିମ୍କୁ ମିଳିଛି ଉପହାର । ଆଇସିସି ପକ୍ଷରୁ ଜାରି ସଂଶୋଧିତ ରାଙ୍କିଙ୍ଗରେ ବିରାଟ ୭ନଂ ଓ ଯଶସ୍ବୀ ଜୈସୱାଲ ୬ନଂ ସ୍ଥାନରେ ରହିଛନ୍ତି । ଟପ ୧୦ ଜଣଙ୍କ ଭିତରେ ତିନି ଭାରତୀୟ ଖେଳାଳି ରହିଛନ୍ତି ।

ସେପ୍ଟେମ୍ବର ୧୯ରୁ ବାଂଲାଦେଶ ବିପକ୍ଷରେ ଭାରତ ତା’ର ପ୍ରଥମେ ଟେଷ୍ଟ ଖେଳିବ । ଏହି ମ୍ୟାଚ୍‌ ଓ ପରେ ୨୭ରୁ ଆରମ୍ଭ ହେବାକୁ ଥିବା ଟେଷ୍ଟରେ ରୋହିତ, ବିରାଟ ଓ ଜୈସୱାଲ ଦମଦାର ପ୍ରଦର୍ଶନ କରି ରାଙ୍କିଙ୍ଗରେ ସୁଧାର ଆଣିବାକୁ ସୁଯୋଗ ପାଇବେ ।

ଆଜି ଆଇସିସି ଜାରି କରିଥିବା ରାଙ୍କିଙ୍ଗ ତାଲିକାରେ ଶ୍ରୀଲଙ୍କା ବ୍ୟାଟର୍ସଙ୍କୁ ବଡ଼ ସଫଳତା ମିଳିଛି । ଶ୍ରୀଲଙ୍କାର ଅଧିନାୟକ ଧନଞ୍ଜୟ ଡି ସିଲଭା, କାମିନ୍ଦୁ ମେଣ୍ଡିସ ଓ ଓପନର ପଥୁମ ନିଶାଙ୍କା ଇଂଲଣ୍ଡ ବିପକ୍ଷରେ ଦମଦାର ପ୍ରଦର୍ଶନ କରିଥିଲେ । ଧନଞ୍ଜୟ ତାଙ୍କ କ୍ୟାରିୟରର ଶ୍ରେଷ୍ଠ ପ୍ରଦର୍ଶନ ସହ ରାଙ୍କିଙ୍ଗର ୧୩ତମ ସ୍ଥାନରେ ପହଞ୍ଚିଛନ୍ତି । ମେଣ୍ଡିସ ୬ଟି ସ୍ଥାନ ଉପରକୁ ଉଠି ୧୯ତମ ଓ ୧୨୭ର ଅପରାଜି ଇନିଂସ ଖେଳିଥିବା ନିଶାଙ୍କା ୪୨ଟି ସ୍ଥାନ ଉପରକୁ ଉଠି ୩୯ ନମ୍ବରରେ ପହଞ୍ଚିଛନ୍ତି ।

ଇଂଲଣ୍ଡର ଜୋ ରୁଟ ପୂର୍ବଭଳି ବ୍ୟାଟିଂ ରାଙ୍କିଙ୍ଗର ୧ନଂ ସ୍ଥାନରେ ରହିଛନ୍ତି । ଦ୍ୱିତୀୟ ସ୍ଥାନରେ କେନ ୱିଲିୟମସନ, ତୃତୀୟରେ ଡାରେଲ ମିଚେଲ, ୪ର୍ଥରେ ଷ୍ଟିଭ ସ୍ମିଥ, ୫ମରେ ରୋହିତ ଶର୍ମା, ୬ଷ୍ଠରେ ଜୈସୱାଲ, ୭ମରେ ବିରାଟ କୋହଲି, ୮ମରେ ଉସମାନ ଖାଜ୍ୱା, ୯ମରେ ମହମ୍ମଦ ରିଜୱାନ ଓ ୧୦ମ ସ୍ଥାନରେ ମାର୍ନସ ଲାବୁଶେନ ରହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like