ବିସିସିଆଇକୁ ଆଇସିସିର ଧମକ : ୧୬୦ କୋଟି ଦିଅ ନହେଲେ ବିଶ୍ୱ କପ୍‌ ମିଳିବ ନାହିଁ

ମୁମ୍ବାଇ : ବିସିସିଆଇକୁ ଆଇସିସିର ତାଗିଦ । ୧୬୦ କୋଟି ଟଙ୍କାର ଟିକସ ଛାଡ଼ ଅର୍ଥ ପଇଠ କର । ନଚେତ ବିଶ୍ୱ କପ୍‌ ଆୟୋଜନ ଦାୟିତ୍ୱ କାଢ଼ି ନିଆଯିବ । ଆନ୍ତର୍ଜାତିକ କ୍ରିକେଟ୍‌ ପରିଷଦ (ଆଇସିସି) ୨୦୧୬ ଟି-୨୦ ବିଶ୍ୱ କପ୍‌ ପ୍ରସାରଣ ବାବଦ ଟିକସ ଛାଡ଼ ଅର୍ଥ ମାଗିଛି । ଡିସେମ୍ବର ୩୧ ସୁଦ୍ଧା ଏହି ଅର୍ଥ ପଇଠ ନକଲେ ଆଗାମୀ ୨୦୨୧ ଚାମ୍ପିଅନ୍ସ ଟ୍ରଫି ଓ ୨୦୨୩ ଆଇସିସି ବିଶ୍ୱକପ୍‌ ଆୟୋଜନ ଦାୟିତ୍ୱ ପ୍ରତ୍ୟାହାର କରି ନିଆଯିବ । ଏଭଳି ଚେତାବନୀ ଦେଇଛନ୍ତି ଆଇସିସି ମୁଖ୍ୟ ଭାରତରର ଶଶାଙ୍କ ମନୋହର । ଦୁଇ ବର୍ଷ ତଳେ ଭାରତ ଆୟୋଜନ କରିଥିବା ଟି-୨୦ ବିଶ୍ୱ କପ୍‌ ପାଇଁ ସଂପୃକ୍ତ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଟିକସ ଛାଡ଼ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ତେବେ ସେ ବାବଦ ୧୬୦ କୋଟି ଟଙ୍କା ଏପର୍ଯ୍ୟନ୍ତ ବିସିସିଆଇ ଆଇସିସିକୁ ଦେଇ ନାହିଁ ବୋଲି ମନୋହର କହିଛନ୍ତି ।
ଅନ୍ୟପକ୍ଷରେ ସୁପ୍ରିମ କୋର୍ଟଙ୍କ ଦ୍ୱାରା ଗଠିତ କମିଟି ଏବେ ବିସିସିଆଇର ପରିଚାଳନା ଦାୟିତ୍ୱରେ ରହିଛି । ଏହାର ମୁଖ୍ୟ ଅଛନ୍ତି ଏନ୍‌. ଶ୍ରୀନିବାସ । ସେ କହିଛନ୍ତି, ମନୋହର ଜାଣିଶୁଣି ନିଜ ବ୍ୟକ୍ତିଗତ କାରଣରୁ ବିସିସିଆଇକୁ ଟାର୍ଗେଟ୍‌ କରିଛନ୍ତି । ଏପଟେ ଆଉ ମାତ୍ର ଅର୍ଥ ପଇଠ କରିବାକୁ ଆଉ ସପ୍ତାହେ ବାକି ଥିବା ବେଳେ ବିସିସିଆଇ କି ପଦକ୍ଷେପ ନେଉଛି ତା ଉପରେ ଏବେ ସମସ୍ତଙ୍କ ନଜର ରହିଛି ।

You might also like