ବିଶ୍ୱକପ୍ରେ ଯଦି ପାକିସ୍ତାନ ସହ ଭାରତ ନଖେଳେ, ତେବେ କଣ ହେବ ?

ଭାରତ-ପାକିସ୍ତାନ ରାଜନୈତିକ ସମ୍ପର୍କ ଉପରେ ସବୁବେଳେ ନିର୍ଭରଶୀଳ ହୋଇଛି ଏହାର କ୍ରିକେଟ୍ ସମ୍ବନ୍ଧ । ଏହି କ୍ରମରେ ଏବେ ପୁଲଓ୍ଵାମା ଆତଙ୍କବାଦୀ ହମଲା ପରେ ୨୦୧୯ ଆଇସିସି କ୍ରିକେଟ୍ ବିଶ୍ୱକପ୍ରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଦଳ ପରସ୍ପରକୁ ସାମନା କରିବେ କି ନାହିଁ ତାକୁ ନେଇ ଏବେ ଜୋର୍ ଧରିଛି ଚର୍ଚ୍ଚା । ଅନେକ ସିନିୟର ଖେଳାଳି ଏବଂ ବୁଦ୍ଧିଜୀବୀ ଓ ଜନସାଧାରଣ ଭାରତୀୟ ଦଳ ପାକିସ୍ତାନ ସହ ନଖେଳିବା ଉଚିତ ବୋଲି ମତ ରଖୁଛନ୍ତି । ସେପଟେ ବିସିସିଆଇ କିନ୍ତୁ ସମ୍ପୂର୍ଣ୍ଣ ନିଷ୍ପତ୍ତି ଭାରତ ସରକାରଙ୍କ ଉପରେ ଛାଡ଼ିି ଦେଇଛି । କାରଣ ଏଠି ରହିଛି ରାଜନୈତିକ ପ୍ରସଙ୍ଗ । ତେବେ ଏସବୁ ଭିତରେ ଆସନ୍ତୁ ଦେଖିବା ଯଦି ଦୁଇ ପଡ଼ୋଶୀ ରାଷ୍ଟ୍ର ବିଶ୍ୱକପ୍ରେ ନଖେଳନ୍ତି ତେବେ କଣ ହେବ ଭାରତର ସ୍ଥିତି ।
୧- ଚଳିତ ବର୍ଷ ବିଶ୍ୱକପ୍ରେ ଭାଗ ନେଉଛନ୍ତି ୧୦ଟି ଦଳ । ତେବେ ଏଥର ଟିମ ଗୁଡ଼ିକୁ ଗ୍ରୁପରେ ବଣ୍ଟା ଯାଇନାହିଁ । ଅର୍ଥାତତ୍ସବୁ ଦଳ ଗ୍ରୁପ୍ ନୁହେଁ, ଲିଗ୍ରେ ଖେଳିବେ । ପରସ୍ପର ବିପକ୍ଷରେ ୯ଟି ଲେଖାଏଁ ମ୍ୟାଚ୍ରେ ମୁହାଁମୁହିଁ ହେବେ । ଶ୍ରେଷ୍ଠ ୪ଟି ଟିମ ପ୍ରବେଶ କରିବେ ନକଆଉଟ୍ ପର୍ଯ୍ୟାୟକୁ । ଠିକ୍ ଏଇ ଫର୍ମାଟ୍ରେ ୧୯୯୨ ବିଶ୍ୱକପ୍ ଖେଳା ଯାଇଥିଲା । ତେଣୁ ସବୁ ଦଳ ପାଇଁ ପ୍ରତିଟି ମ୍ୟାଚ୍ ରହିବ ଗୁରୁତ୍ୱପୂର୍ଣ୍ଣ । ଏଭଳି ସ୍ଥିତିରେ ଭାରତ ଯଦି ପାକିସ୍ତାନ ବିପକ୍ଷରେ ନ ଖେଳେ ତେବେ ପାକିସ୍ତାନକୁ ମାଗଣାରେ ପଏଣ୍ଟ ମିଳିଯିବ । ଅବଶ୍ୟ ହେଲେ ଟିମ୍ ଇଣ୍ଡିଆ ପାଇଁ ବିକଳ୍ପ ଅଛି ।
ଦଳ ଚାହିଁଲେ ଅନ୍ୟ ଆଠଟି ମ୍ୟାଚ୍ରେ ଚମତ୍କାର ପ୍ରଦର୍ଶନ କରି ଟପ୍ ଫୋରକୁ ଯାଇ ପାରିବ । ୨୦୧୯ ବିଶ୍ୱକପରେ ଜୁନ ୧୬ ତାରିଖରେ ଅଛି ଭାରତ ପାକିସ୍ତାନ ମୁକାବିଲା । ଯଦି ପ୍ରାରମ୍ଭରୁ ଭାରତ ବିଜୟ ଧାରା ଜାରି ରଖେ, ତେବେ ପାକିସ୍ତାନ ବିପକ୍ଷରେ ନଖେଳିଲେ ବି କିଛି କ୍ଷତି ହେବ ନାହିଁ । ଅବଶ୍ୟ କ୍ରିକେଟ୍ ଭଳି ଏକ ଅନିଶ୍ଚିତତାର ଖେଳରେ ଏବେଠାରୁ କେବଳ ଅନୁମାନ ହିଁ ଲଗାଯାଇ ପାରିବ ।
୨-ପାକିସ୍ତାନ ବିପକ୍ଷରେ ନ ଖେଳିବା ଦ୍ୱାରା ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଭାରତୀୟ ଦଳ ଉପରେ ଜରିମାନା ଲଗାଇ ପାରେ । ଅତି ବେଶିରେ ଟିମ୍ ଉପରେ ‘ବ୍ୟାନ୍’ର ଖଣ୍ଡା ମଧ୍ୟ ଝୁଲିପାରେ । ହେଲେ ବିଶ୍ୱ କ୍ରିକେଟରେ ବିସିସିଆଇର ଦବ୍ଦବା ଯେତିକି ଭାରତ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେବା ଆଗରୁ ଆଇସିସି ଶହେ ଥରେ ଚିନ୍ତା କରିବ ।
୩-ପୂର୍ବରୁ ହିଁ ଉଭୟ ଭାରତ ପାକିସ୍ତାନ ଦଳ ପାରମ୍ପରିକ ପ୍ରତିଦ୍ୱନ୍ଦୀ ଭାବେ ଜଣା ଯାଆନ୍ତି । ୨ଦଳ ଭିତରେ ପ୍ରତ୍ୟେକଟି ମ୍ୟାଚ୍ ଥାଏ ହାଇଭୋଲଟେଜ୍ । ଦର୍ଶକଙ୍କ ଡିମାଣ୍ଡ ଦୃଷ୍ଟିରୁ ଏଥିରୁ ବଢ଼ିଆ ରୋଜଗାର କରିଥାଏ ଆଇସିସି । ଯଦି ଉଭୟ ଦଳ ପରସ୍ପରକୁ ନଭେଟନ୍ତି ତେବେ ଏହାର ପ୍ରଭାବ ଆଇସିସିର ଆୟ ଉପରେ ମଧ୍ୟ ପଡ଼ିପାରେ ।
୪-ଅବଶ୍ୟ କ୍ରିକେଟ୍ ବିଶ୍ୱକପ୍ରେ ପୂର୍ବରୁ ମଧ୍ୟ ଏଭଳି ପରିସ୍ଥିତି ଉପୁଜିଥିଲା । ଏହା ପ୍ରଥମ ବିଶ୍ୱକପ୍ ହେବନି ଯେବେ କୌଣସି ଦଳ ଅନ୍ୟ ଦଳ ସହିତ ଖେଳିବାକୁ ମନା କରିଦେଇଥିବ । ୧୯୯୬ ବିଶ୍ୱକପରେ ବି ଏଭଳି ଚିତ୍ର ସାମ୍ନାକୁ ଆସଛି । ଯେବେ ସୁରକ୍ଷା କାରଣରୁ ଅଷ୍ଟ୍ରେଲିଆ ଓ େଓ୍ଵଷ୍ଟଇଣ୍ଡିଜ୍ ଦଳ ଶ୍ରୀଲଙ୍କା ମାଟିରେ ଖେଳିବାକୁ ମନା କରି ଦେଇଥିଲେ । ଯାହାର ଫାଇଦା ଶ୍ରୀଲଙ୍କା ନେଇଥିଲା । ବିନା କୌଣସି ଅସୁବିଧାରେ ପହଞ୍ଚିଯାଇଥିଲା କ୍ୱାର୍ଟର୍ ଫାଇନାଲ ।
୫-୨୦୦୩ ବିଶ୍ୱକପ୍ରେ ମଧ୍ୟ ଏଭଳି କିଛି ଘଟିଥିଲା । ସୁରକ୍ଷା କାରଣରୁ ଇଂଲଣ୍ଡ ଦଳ ଜିମ୍ବାେଓ୍ଵ ସହ ଖେଳିବାକୁ ମନା କଲା । ଏଠି ବି ଜିମ୍ବାେଓ୍ଵ ଫାଇଦା ନେଇଥିଲା ଅଧିକ ପଏଣ୍ଟ ସାଉଁଟି ।
ତେଣୁ ଏବେ ସମସ୍ତଙ୍କ ନଜର ଭାରତ ସରକାରଙ୍କ ଉପରେ । ୨୦୧୯ ଇଂଲଣ୍ଡ ବିଶ୍ୱକପ୍ରେ ବିସିସିଆଇକୁ ପାକିସ୍ତାନ ବିପକ୍ଷରେ ଖେଳିବାକୁ ସରକାର ଅନୁମତି ଦେଉଛନ୍ତି ନା ନାହିଁ ।