ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ ଖେଳିନପାରନ୍ତି ରୋହିତ ଶର୍ମା, ବୁମରା ହୋଇପାରନ୍ତି ଅଧିନାୟକ !

ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଶୋଚନୀୟ ଭାବେ ପରାସ୍ତ ହୋଇଛି ଭାରତୀୟ ଟିମ୍ । ସିରିଜରେ ଅଧିନାୟକ ରୋହିତ ଶର୍ମାଙ୍କ ସମେତ ଭାରତୀୟ ବ୍ୟାଟର ନୈରାଶ୍ୟଜନକ ପ୍ରଦର୍ଶନ କରିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଓ ଦ୍ବିତୀୟ ଟେଷ୍ଟ ଖେଳିନପାରନ୍ତି ରୋହିତ ଶର୍ମା । ରୋହିତ ଲଗାତାର ଦୁଇ ଟେଷ୍ଟ ମ୍ୟାଚରେ ନ ଖେଳିଲେ ତାଙ୍କ ବଦଳରେ ବୁମରାଙ୍କୁ ଅଧିନାୟକ କରିବାକୁ କହିଛନ୍ତି ପୂର୍ବତନ କ୍ରିକେଟର ସୁନୀଲ ଗାଭାସ୍କାର ।

ଗାଭାସ୍କାର  କହିଛନ୍ତି, ଟିମର ଅଧିନାୟକଙ୍କୁ ପ୍ରଥମ ଟେଷ୍ଟ ମ୍ୟାଚ ଖେଳିବା ଆବଶ୍ୟକ ।  ଅଧିନାୟକ ପ୍ରଥମ ଟେଷ୍ଟ ନ ଖେଳିଲେ ଉପ ଅଧିନାୟକଙ୍କୁ ଅଧିନାୟକ କରିବା ଆବଶ୍ୟକ । ତେବେ ରୋହିତ ବ୍ୟକ୍ତିଗତ କାରଣ ଯୋଗୁଁ ପ୍ରଥମ ଦୁଇଟି ମାଚ ନ ଖେଳିପାରନ୍ତି ବୋଲି ଚର୍ଚ୍ଚା ଚାଲିଛି ।

ଏପଟେ ନ୍ୟୁଜିଲାଣ୍ଡ ବିପକ୍ଷ ଐତିହାସିକ ପରାଜୟ ପରେ କୋଚ ଗମ୍ଭୀରଙ୍କ କୋଚିଂ ନେଇ ଚର୍ଚ୍ଚା ଲାଗି ରହିଛି ।  ଟିମର ବଡ ବିପର୍ଯ୍ୟୟ ପରେ କୋଚ ଗୌତମ ଗମ୍ଭୀରଙ୍କ ଦକ୍ଷତା ଓ ଦଳ ପରିଚାଳନା ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।  ଅନେକ କ୍ରିକେଟ ପଣ୍ଡିତ ତାଙ୍କୁ କଟାକ୍ଷ କରିଛନ୍ତି। ବିସିସିଆଇ ମଧ୍ୟ ଭାରତୀୟ ଟିମର ପ୍ରଦର୍ଶନକୁ ତର୍ଜମା କରି ଗମ୍ଭୀରଙ୍କ ଠାରୁ ସ୍ପଷ୍ଟୀକରଣ ମାଗିବ ବୋଲି ସଙ୍କେତ ଦେଇଛି ।

୨୪ ବର୍ଷ ପରେ ଘରୋଇ ମଇଦାନରେ ଟେଷ୍ଟ ସିରିଜ୍‌ ହାରିଛି ଭାରତୀୟ ଟିମ୍‌ । ଏହାପୂର୍ବରୁ ୨୦୦୦ରେ ସାଉଥ୍‌ ଆଫ୍ରିକା ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ସିରିଜ୍‌ରେ ହରାଇଥିଲା । ଏହାସହିତ ପ୍ରଥମଥର ପାଇଁ ଭାରତୀୟ ଟିମ୍‌ ନିଜ ଘରୋଇ ମାଟିରେ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ ହାରିଛି । ତୃତୀୟ ଟେଷ୍ଟରେ ଭାରତ ୨୫ ରନରେ ହାରିବା ପରେ ବିଶ୍ୱ ଟେଷ୍ଟ ଚାମ୍ପିୟନ୍ସଶିପ ପଏଣ୍ଟ ଟେବୁଲରେ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ଅଷ୍ଟ୍ରେଲିଆ ଏବେ ୧ନଂ ସ୍ଥାନରେ ରହିଥିବା ବେଳେ ଭାରତ ଦ୍ୱିତୀୟ ଓ ଶ୍ରୀଲଙ୍କା ତୃତୀୟ ସ୍ଥାନରେ ରହିଛି । ନ୍ୟୁଜିଲାଣ୍ଡ ସିରିଜ ବିଜୟ ସହ ୪ର୍ଥକୁ ଉଠିଛି।

You might also like