ଭାରତୀୟ ବ୍ଯାଟ୍ସମ୍ଯାନଙ୍କ ଦମଦାର ବ୍ଯାଟିଂ ରୋକିଲା ଅଷ୍ଟ୍ରେଲିଆର ବିଜୟ, ଡ୍ର ହେଲା ତୃତୀୟ ଟେଷ୍ଟ ମ୍ଯାଚ୍

ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ସିଡନୀ ଟେଷ୍ଟରେ ଭାରତ ବିଜୟ ଲକ୍ଷ୍ୟର ପିଛା କରି ମ୍ଯାଚ ଡ୍ର ରଖିଛି । ଏପର୍ଯ୍ଯନ୍ତ ଦଳ ୫ଟି ୱିକେଟ ହରାଇ ୩୩୪ ରନ୍ କରିଛି। ଟିମ୍ ଇଣ୍ଡିଆ ପକ୍ଷରୁ ମ୍ଯାଚ ଡ୍ର ରଖିବା ପାଇଁ ହନୁମା ବିହାରୀ ଏବଂ ଅଶ୍ବିନ କ୍ରିଜରେ ରହିଛନ୍ତି। ହନୁମା ବିହାରୀ ୧୫୫ଟି ବଲ୍ ଖେଳି ୧୯ ରନ କରିଥିବା ବେଳେ ଅଶ୍ବିନ ୧୨୮ଟି ବଲ୍ ଖେଳି ୩୯ ରନ କରିଛନ୍ତି। ଦୁହେଁ ୨୪୭ ଟି ବଲ୍ ଖେଳି ୫୦ ରନର ଭାଗିଦାରିତା ମଧ୍ୟ କରିଛନ୍ତି।

ଦ୍ୱିତୀୟ ଇନିଂସରେ କଙ୍ଗାରୁ ଟିମ୍ ୩୧୨ ରନରେ ପାଳି ଘୋଷଣା କରିଥିଲା । କଙ୍ଗାରୁ ଦଳ ୬ ଓ୍ୱିକେଟ୍ ବିନିମୟରେ ୩୧୨ ରନ୍ କରିବା ସହ ଭାରତଠୁ ୪୦୭ ରନରେ ଆଗୁଆ ରହିଥିଲା । ଅର୍ଥାତ ଭାରତକୁ ବିଜୟ ପାଇଁ ୪୦୭ ରନ୍ ଆବଶ୍ୟକ ରହିଥିଲା । ଅଷ୍ଟ୍ରେଲିଆର ଏହି ବିଶାଳ ସ୍କୋରକୁ ପିଛା କରିବା ପାଇଁ ପଡିଆକୁ ଓହ୍ଲାଇଥିଲେ ଭାରତୀୟ ଓପ୍ନର ଶୁଭମନ ଗିଲ୍ ଓ ରୋହିତ ଶର୍ମା । ଉଭୟ ଭଲ ଆରମ୍ଭ କରିଥିଲେ ମଧ୍ୟ ବେଶୀ ସମୟ ପର୍ଯ୍ୟନ୍ତ କ୍ରିଜରେ ରହିବା ସକ୍ଷମ ହୋଇପାରିନଥିଲେ । ରୋହିତ ଶର୍ମା ୫୨ ରନ୍ ଓ ଶୁଭମନ ଗିଲ୍ ୩୧ରନ୍ କରି ପାଭିଲିୟନ ଫେରିଯାଇଥିଲେ ।

ମ୍ୟାଚର ପଞ୍ଚମ ଦିନରେ ଭାରତ ଆଜିଙ୍କ୍ୟ ରାହାଣେଙ୍କ ଓ୍ୱିକେଟ୍ ହରାଇଥିଲା । ସେ ୪ ରନ୍ କରି ପ୍ୟାଭିଲିୟନ ଫେରିଥିଲେ । ତେବେ ପନ୍ତ ଓ ପୂଜାରା ବ୍ୟାଟିଂର ମଙ୍ଗ ସମ୍ଭାଳିଥିଲେ। ପନ୍ତ ୬୫ ବଲରେ ୯୭ ରନ୍ କରି ପ୍ଯାଟ୍ କମିନସଙ୍କ ହାତରେ କ୍ଯାଚ ଆଉଟ ହୋଇଥିଲେ। ପନ୍ତ ଆହତ ହେବା ସତ୍ତ୍ବେ ପଡିଆରେ ଭଲ ପ୍ରଦର୍ଶନ କରିଛନ୍ତି। ଅଷ୍ଟ୍ରେଲିଆ ପକ୍ଷରୁ ଜୋସ୍ ହେଜେଲହୁଡ଼, ପ୍ୟାଟ୍ କମିନ୍ସ ଓ ନାଥନ ଲାୟନ ଗୋଟିଏ ଲେଖାଏଁ ଓ୍ୱିକେଟ୍ ନେଇଛନ୍ତି ।

ସମ୍ମାନ ରଖିଲେ ବିହାରୀ-ଅଶ୍ୱିନ୍‌ ଯୋଡ଼ି

ପ୍ରଥମେ ଟାର୍ଗେଟ୍‌ ଦେଖି ଭାରତୀୟ କ୍ରିକେଟ୍‌ ପ୍ରେମୀ ଧରି ନେଇଥିଲେ ଦଳ ହାରିବ ବୋଲି । ତା ସହିତ ଥିଲା ଆହତ ସମସ୍ୟା । ହେଲେ ଠିକଣା ସମୟରେ ଚମତ୍କାର ଲଢ଼େଇ କଲେ ବ୍ୟାଟ୍‌ସମ୍ୟାନ୍‌ମାନେ । ଟିମ୍‌ରେ ନିଜର ସ୍ଥାୟୀ ଜାଗା ବନାଇବାକୁ ଚେଷ୍ଟା କରୁଥିବା ହନୁମା ବିହାରୀ ଆଘାତରେ ମଧ୍ୟ ଶକ୍ତ ଖମ୍ବ ଭଳି ଠିଆ ହେଲେ । ଆଉ ଅଷ୍ଟ୍ରେଲିଆ ବୋଲିଂ ଆକ୍ରମଣର ସାମନା କଲେ । ମ୍ୟାଚ୍‌ର ଶେଷ ଭାଗ ଥିଲା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ସମୟରେ ବିହାରୀ ଏବଂ ରବିଚନ୍ଦ୍ର ଅଶ୍ୱିନ୍‌ ଯେଭଳି ଖେଳିଲେ ତାକୁ ସମସ୍ତେ ପ୍ରଶଂସା କରୁଛନ୍ତି । ଅବଶ୍ୟ ଏକଥା ସତ ଯେ ଆଉ ଟିକେ ଉଦ୍ୟମ କରିଥିଲେ ହୁଏତ ଭାରତ ମ୍ୟାଚ୍‌ ଜିତି ପାରିଥାନ୍ତା । ତେବେ ଡିଫେନ୍‌ସିଭ୍‌ ହୋଇ ଟିମ୍‌ ଇଣ୍ଡିଆ ମ୍ୟାଚ୍‌ ବଞ୍ଚାଇବାକୁ ଚାହିଁଥିଲା । ସେଥିଲାଗି ତ ବିହାର ୧୬୧ ବଲ୍‌ ଖେଳି ମାତ୍ର ୨୩ ରନ୍‌ କରିଥିଲେ । ତେବେ ଗୋଡ଼ ମାଂସପେଶୀ ଟାଣି ଧରିଥିବା ସତ୍ତ୍ୱେ ଏବଂ ରନ୍‌ ନେବାରେ ସମସ୍ୟା ହେଉଥିଲେ ବି ସେ ଦୃଢ଼ ଭାବେ କ୍ରିଜ୍‌ରେ ଜମି ରହିଥିଲେ ଶେଷ ପର୍ଯ୍ୟନ୍ତ ।
ପୂର୍ବରୁ ଚେତେଶ୍ୱର ପୂଜାରାଙ୍କ ୭୭ ରନ୍‌ ଏବଂ ଋଷଭ ପନ୍ତଙ୍କ ଆଟାକିଂ ୯୭ ରନ୍‌ ଭାରତ ପାଇଁ ବହୁତ ଦମ୍‌ଦାର ପ୍ରମାଣିତ ହୋଇଥିଲା ।

SCORE

କ୍ୟାପଟେନ୍‌ଙ୍କ ପ୍ରତିକ୍ରିୟା

ଅବଶ୍ୟ ମ୍ୟାଚ୍‌ରେ ତାଙ୍କର ଚମତ୍କାର ପ୍ରଦର୍ଶନ ପାଇଁ ଅଷ୍ଟ୍ରେଲିଆର ଷ୍ଟିଭ୍‌ ସ୍ମିଥ୍‌ ବନିଛନ୍ତି ‘ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌’ । ଭାରତୀୟ ଦଳର ଅଧିନାୟକ ଅଜିଙ୍କ୍ୟ ରାହାଣେ କହିଛନ୍ତି, ଆମେ ଶେଷ ପର୍ଯ୍ୟନ୍ତ ଲଢ଼େଇ କରିବୁ ବୋଲି ସ୍ଥିର କରିଥିଲୁ ଏବଂ ତାହାହିଁ କଲୁ । ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଦଳର ଅଧିନାୟକ ଟିମ ପାଇନ୍‌ କହିଛନ୍ତ, ଶେଷ ଦୁଇଟି ମ୍ୟାଚ୍‌ରେ ଆମେ ଆଶାନୁରୂପ ଖେଳିନାହୁଁ । ପରବର୍ତ୍ତୀ ବ୍ରିସ୍‌ବେନ୍‌ ଟେଷ୍ଟରେ ଜିତିବାକୁ ପୂରା ଦମ୍‌ରେ ଲାଗି ପଡ଼ିବ । ତେବେ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ସ୍ମିଥ୍‌ଙ୍କ କହିବା ହେଲା, ଆମ ବୋଲର ସବୁମତେ ଚେଷ୍ଟା କରିଥିଲେ ବି ଭାରତୀୟ ବ୍ୟାଟ୍‌ସମ୍ୟାନ୍‌ ବହୁତ ଭଲ ଖେଳିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.