ପ୍ରତିଶୋଧ ନେଲା ଅଷ୍ଟ୍ରେଲିଆ, ୧୦ ୱିକେଟରେ ଜିତିନେଲା ଆଡିଲେଡ ଟେଷ୍ଟ
ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଆଡିଲେଡରେ ଚାଲିଥିବା ଦ୍ବିତୀୟ ଟେଷ୍ଟକୁ ଜିତିନେଇଛି ଅଷ୍ଟ୍ରେଲିଆ । ତୃତୀୟ ଦିନରେ ଅଷ୍ଟ୍ରେଲିଆ ପିଙ୍କ ବଲ୍ ଟେଷ୍ଟକୁ ୧୦ ୱିକେଟରେ ଜିତିନେଇଛି । ଭାରତ ତୃତୀୟ ଦିନରେ ବ୍ୟାଟିଂ କରି ମାତ୍ର ୧୮ ରନ ବିଜୟ ପାଇଁ ଦେଇଥିଲା । ଯାହାକୁ ଅଷ୍ଟ୍ରେଲିଆ ଅତି ସହଜରେ କରି ୧୦ ୱିକେଟରେ ଦ୍ବିତୀୟ ଟେଷ୍ଟ ଜିତିନେଇଛି । ଫଳରେ ସିରିଜ ୧-୧ରେ ବରାବର ରହିଛି ।
ପର୍ଥରେ ଟେଷ୍ଟ ୨୯୫ ରନ୍ରେ ପରାସ୍ତ ହୋଇଥିବା ଅଷ୍ଟ୍ରେଲିଆକୁ ଆଡିଲେଡ୍ ଓଭାଲରେ ଭାରତ ଦେଇଥିଲା ମାତ୍ର ୧୯ ରନ୍ର ବିଜୟ ଲକ୍ଷ୍ୟ । ଅଷ୍ଟ୍ରେଲିଆ ଏହାକୁ କୌଣସି ୱିକେଟ୍ ନହରାଇ ୩.୨ ଓଭରରେ ହାସଲ କରି ନେଇଥିଲା ।
ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ପ୍ରଥମ ଇନିଂସରେ ଦଳ ମାତ୍ର ୧୮୦ ରନ୍ କରିଥିଲା । ଭାରତ ୧୮୦ ରନରେ ଅଲଆଉଟ ହେବା ପରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ବ୍ୟାଟିଂରେ ନିଜର ଜଲୱା ଦେଖାଇଥିଲା । ଟ୍ରାଭିସ ହେଡଙ୍କ ଦମଦାର ୧୪୦ ଓ ମାନର୍ସ ଲାବୁଶେନଙ୍କ ୬୪ ରନ ବଳରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୩୩୭ ରନ କରି ଅଲଆଉଟ ହୋଇଯାଇଥିଲା । ଫଳରେ ଟିମକୁ ଆଡିଲେଡରେ ୧୫୭ ରନର ଲିଡ ମିଳିଥିଲା ।
ଭାରତ ପକ୍ଷରୁ ଯଶପ୍ରୀତ ବୁମରା ଓ ମହମ୍ମଦ ସିରାଜ ୪ଟି ଲେଖାଏ ୱିକେଟ ମିଳିଥିଲା । ନୀତୀଶ କୁମାର ରେଡ୍ଡୀ ଓ ରବି ଅଶ୍ୱିନଙ୍କୁ ଗୋଟିଏ ଲେଖାଏ ୱିକେଟ ମିଳିଥିଲା ।
ଦ୍ୱିତୀୟ ଇନିଂସରେ ଭାରତର ପ୍ରଦର୍ଶନରେ କୌଣସି ପରିବର୍ତ୍ତନ ଆସି ନଥିଲା । ଦଳର ପ୍ରମୁଖ ବ୍ୟାଟରମାନେ ପୁଣି ଫେଲ୍ ମାରିଥିଲେ । ଦଳର ସ୍କୋର ୧୫୦ ଛୁଇଁବା ପୂର୍ବରୁ ୭ ଜଣ ଆଉଟ୍ ହୋଇଯାଇଥିଲେ । ଗତକାଲି ଦଳ ୫ଟି ୱିକେଟ ହରାଇଥିବା ବେଳେ ଆଜି ଘଣ୍ଟେରୁ ଟିକେ ଅଧିକ ସମୟ ମଧ୍ୟରେ ବାକି ୫ଟି ୱିକେଟ୍ ହରାଇଥିଲା ।
ଦଳ ମାତ୍ର ୩୬.୫ ଓଭରରେ ଦ୍ୱିତୀୟ ଇନିଂସରେ ଅଲ୍ ଆଉଟ୍ ହୋଇଯାଇଥିଲା । ଦଳ ପକ୍ଷରୁ ନୀତୀଶ କୁମାର ରେଡ୍ଡୀ ସର୍ବାଧିକ ୪୨ ରନ୍ କରିଛନ୍ତି । ଅଶ୍ବିନ ୨୨ ରନ, ହର୍ଷିତ ରାଣା ୦, ବୁମରା ୦, ସରାଜ ୪(ଅପରାଜିତ) ରହିଥିଲେ । ଆଉ କୌଣସି ବ୍ୟାଟର ୩୦ ମଧ୍ୟ ଟପି ନାହାନ୍ତି ।