ଭାରତ-ଅଷ୍ଟ୍ରେଲିଆ ପିଙ୍କ ବଲ୍ ଟେଷ୍ଟ :  ଦ୍ବିତୀୟ ଇନିଂସରେ ଭାରତର ବ୍ୟାଟିଂ ଫ୍ଲପ୍, ୧୨୮/୫

ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଆଡଲେଡରେ ଦ୍ବିତୀୟ ଟେଷ୍ଟ ମ୍ୟାଚ ଚାଲିଛି । ଆଜି ଦ୍ବିତୀୟ ଦିନରେ ଷ୍ଟମ୍ପ ଅପସାରଣ ହେବା ବେଳକୁ ଅଷ୍ଟ୍ରେଲିଆ ଅଲଆଉଟ ହୋଇସାରିଥିବା ବେଳେ ଭାରତ ଦ୍ବିତୀୟ ଇନିଂସରେ ୫ ୱିକେଟ ହରାଇ ୧୨୮ ରନ୍ କରିଛି । ଭାରତ ଦ୍ବିତୀୟ ଇନିଂସରେ ୨୯ ରନରେ ପଛୁଆ ରହିଛି । ହେଲେ ଭାରତର ଟପ୍ ବ୍ୟାର ଆଉଟ୍ ହୋଇଯାଇଛନ୍ତି । ଯଶସ୍ବୀ ଜୟସୱାଲ, କେଏଲ ରାହୁଲ, ଶୁବମନ ଗିଲ୍, ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ୱିକେଟ ହରାଇଛି ଭାରତ । ରିଷଭ ପନ୍ତ ଏବଂ ନୀତିଶ କୁମାର ରେଡ୍ଡୀ ବ୍ୟାଟିଂ କରୁଛନ୍ତି ।

ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୩୩୭ ରନ କରି ଅଲଆଉଟ ହେବା ପରେ ଭାରତ ବ୍ୟାଟିଂ କରିବାକୁ ଆସିଥିଲା । କେଏଲ ରାହୁଲ ୭ ରନ୍, ଯଶସ୍ବୀ ଜୟସୱାଲ ୨୪ ରନ, ଶୁବମନ ଗିଲ୍ ୨୮ ରନ, ବିରାଟ କୋହଲି ୧୧ ରନ ଏବଂ ରୋହିତ ଶର୍ମା ୬ ରନ କରି ଆଉଟ ହୋଇଯାଇଥିଲେ । ଷ୍ଟମ୍ପ ଅପସାରଣ ବେଳକୁ ଭାରତ ୧୨୮ ରନରେ ୫ ୱିକେଟ ହରାଇଛି । ଅଷ୍ଟ୍ରେଲିଆ ପକ୍ଷରୁ ମାଇକେଲ ଷ୍ଟାର୍କ ଗୋଟିଏ, ପାଟ କେମିନ୍ସ ୨, ଏବଂ ସ୍କଟ ବୋଲାଣ୍ଡ ୨ ଟି ୱିକେଟ ନେଇଛନ୍ତି ।

ଭାରତ ୧୮୦ ରନରେ ଅଲଆଉଟ ହେବା ପରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ବ୍ୟାଟିଂରେ ନିଜର ଜଲୱା ଦେଖାଇଥିଲା । ଟ୍ରାଭିସ ହେଡଙ୍କ ଦମଦାର ୧୪୦ ଓ ମାନର୍ସ ଲାବୁଶେନଙ୍କ ୬୪ ରନ ବଳରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୩୩୭ ରନ କରି ଅଲଆଉଟ ହୋଇଯାଇଥିଲା । ଫଳରେ ଟିମକୁ ଆଡିଲେଡରେ ୧୫୭ ରନର ଲିଡ ମିଳିଛି ।

ଭାରତ ପକ୍ଷରୁ ଯଶପ୍ରୀତ ବୁମରା ଓ ମହମ୍ମଦ ସିରାଜ ୪ଟି ଲେଖାଏ ୱିକେଟ । ନୀତୀଶ କୁମାର ରେଡ୍ଡୀ ଓ ରବି ‌ଅଶ୍ୱିନଙ୍କୁ ଗୋଟିଏ ଲେଖାଏ ୱିକେଟ ମିଳିଥିଲା ।