ଭାରତ-ବାଂଲାଦେଶ ଦ୍ୱିତୀୟ ଟେଷ୍ଟ ମ୍ୟାଚ: ଇଣ୍ଟରନ୍ୟାସନାଲ କ୍ରିକେଟରେ ୨୭,୦୦୦ ରନ ପୂରଣ କଲେ କୋହଲି, ଭାରତ ୨୮୫/୯ରେ ଘୋଷଣା କଲା ଇନିଂସ
ଇତିହାସ ରଚିଲେ ବିରାଟ କୋହଲି । କାନପୁରରେ ଚାଲିଥିବା ଭାରତ-ବାଂଲାଦେଶ ଟେଷ୍ଟ ମ୍ୟାଚରେ ବିରାଟ କୋହଲି ୨୭,୦୦୦ ରନ ପୂରଣ କରିଛନ୍ତି । ଇଣ୍ଟରନ୍ୟାସନାଲ କ୍ରିକେଟରେ ସଚିନ ତେନ୍ଦୁଲକର ଏହି ରେକର୍ଡ କରିଥିଲେ, ହେଲେ ଏବେ ବିରାଟ କୋହଲି ଲକ୍ଷ୍ୟ ହାସଲ କରିନେଇଛନ୍ତି । ବିରାଟ କୋହଲି ସଚିନଙ୍କ ତୁଳନାରେ ବହୁତ କମ୍ ଇନିଂସରେ ରନ କରି ଇତିହାସ ରଚିଛନ୍ତି ।
ସଚିନ ତେନ୍ଦୁଲକର ପ୍ରଥମେ ଇଣ୍ଟରନ୍ୟାସନାଲ କ୍ରିକେଟରେ ୨୭ ହଜାର ରନ ପୂରଣ କରିଥିଲେ । ଏଥିପାଇଁ ୬୨୩ ଇନିଂସ ଖେଳିଥିଲେ । କିନ୍ତୁ କୋହଲି ମାତ୍ର ୫୯୪ ଇନିଂସରେ ୨୭,୦୦୦ ରନ୍ ପୂରଣ କରିଛନ୍ତି । ସଚିନଙ୍କ ଠାରୁ ୨୯ ଇନିଂସ କମରେ କୋହଲି କୀର୍ତ୍ତିମାନ ରଚିଛନ୍ତି ।
ଇଣ୍ଟରନ୍ୟାସନାଲ କ୍ରିକେଟରେ ସବୁଠାରୁ ଅଧିକ ରନ୍ କରିଛନ୍ତି ସଚିନ ତେନ୍ଦୁଲକର । ସଚିନ ୬୬୪ ମ୍ୟାଚରେ ୭୮୨ ଇନିଂସ ଖେଳି ୩୪,୩୫୭ ରନ୍ କରିଛନ୍ତି । ଏହାପରେ ରହିଛନ୍ତି କୁମାର ସଙ୍ଗାକାରା । ସେ ୫୯୪ ମ୍ୟାଚରେ ୬୬୬ ଇନିଂସ ଖେଳି ୨୮,୦୧୬ ରନ୍ କରିଛନ୍ତି । ତା’ ପରେ ରିକି ପଏଣ୍ଟିଂ ୫୬୦ ମ୍ୟାଚରେ ୬୬୮ ଇନିଂସ ଖେଳି ୨୭,୪୮୩ ରନ୍ କରିଛନ୍ତି । ଆଉ ବିରାଟ କୋହଲି ୫୩୪ ମ୍ୟାଚରେ ୫୯୩ ଇନିଂସ ଖେଳି ୨୭,୦୦୦ ରନ ପୂରଣ କରିଛନ୍ତି ।
ସୂଚନାଯୋଗ୍ୟ, ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପ୍ରଥମ ଇନିଂସରେ ଭାରତୀୟ ଟିମ ଟି-୨୦ ଷ୍ଟାଇଲରେ ବ୍ୟାଟିଂ କରିଛି । ପ୍ରଥମେ ବାଂଲାଦେଶକୁ ୨୩୩ରେ ଅଲଆଉଟ କରିବା ପରେ ଭାରତୀୟ ଖେଳାଳି ୩୫ ଓଭରରେ ୨୮୫ ରନ୍ କରି ଇନିଂସ ଘୋଷଣା କରିଛି ।
ଯଶସ୍ୱୀ ଜୈସୱାଲ ୫୧ ବଲରେ ୭୨, ରୋହିତ ଶର୍ମା ୧୧ ବଲରେ ୨୩, ଶୁବମନ ଗିଲ ୩୬ ବଲରେ ୩୯, ଋଷଭ ପନ୍ତ ୧୧ ବଲରେ ୯, ବିରାଟ କୋହଲି ୩୫ ବଲରେ ୪୭, କେଏଲ ରାହୁଲ ୪୩ ବଲରେ ୬୮ ଓ ଆକାଶ ଦୀପ ୫ ବଲରେ ୧୨ ରନ କରିଛନ୍ତି ।
ଭାରତ ସ୍କୋର ୨୮୫/୯ ହୋଇଥିବା ବେଳେ ରୋହିତ ପ୍ରଥମ ଇନିଂସ ଘୋଷଣା କରିଛନ୍ତି। ମାତ୍ର ୩୫ ଓଭର ବ୍ୟାଟିଂ କରି ୫୨ ରନର ଗୁରୁତ୍ୱପୂର୍ଣ୍ଣ ଲିଡ ହାସଲ କରିନେଇଛି ।
ସେପଟେ ବାଂଲାଦେଶ ବ୍ୟାଟିଂ ଆରମ୍ଭ କରି ୨୬ ରନରେ ୨ଟି ଓ୍ୱିକେଟ ହରାଇଛି । ଅଶ୍ୱିନ ଜାକିର ହସନ ଏବଂ ହସନ ମହମ୍ମୁଦଙ୍କ ଓ୍ୱିକେଟ ନେଇଛନ୍ତି । ବର୍ତ୍ତମାନ ସୁଦ୍ଧା ଭାରତ ୨୬ ରନରେ ଆଗୁଆ ରହିଛି । ଆସନ୍ତାକାଲି ମ୍ୟାଚର ଶେଷ ଦିନ ରହିଛି । ଯଦି ଭାରତ ନିର୍ଦ୍ଧାରିତ ସମୟ ଭିତରେ ବାଂଲାଦେଶର ସବୁ ଓ୍ୱିକେଟ ନେବା ପରେ ବ୍ୟାଟିଂ କରି ମ୍ୟାଚ ଜିତିପାରିବ ବୋଲି ଫ୍ୟାନ୍ସ ଆଶା ରଖିଛନ୍ତି ।