ଭାରତର ଦମଦାର ବିଜୟ,୧୪୨ ରନରେ ଇଂଲଣ୍ଡ ଧରାଶାୟୀ; ୩-୦ରେ ଭାରତର ସିରିଜ୍ କ୍ଲିନ ସୁଇପ୍

ବ୍ୟାଟରଙ୍କ ପରେ ବୋଲରଙ୍କ କମାଲ । ୧୪୨ ରନରେ ହାରିଲା ଇଂଲଣ୍ଡ। ୩-୦ରେ ଭାରତର ସିରିଜ୍ କ୍ଲିନ ସୁଇପ୍ । ତୃତୀୟ ଦିନିକିଆରେ ଇଂଲଣ୍ଡକୁ ୧୪୨ ରନରେ ହରାଇଛି ଭାରତ । ଏହି ବିଜୟ ସହ ଭାରତ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜକୁ ୩-୦ରେ କ୍ଲିନ ସୁଇପ୍ କରିଛି । ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୫୦ ଓଭରରେ ୩୫୬ ରନ କରିଥିଲା ।
ଦଳ ପକ୍ଷରୁ ଶୁଭମନ ଗିଲ୍ ୧୧୨ ରନର ଶତକୀୟ ଇନିଂସ ଖେଳିଥିବା ଶ୍ରେୟସ ଆୟର ୭୮ ରନ ଓ ବିରାଟ କୋହଲି ୫୨ ରନ କରିଥିଲେ। ଜବାବରେ ଇଂଲିଶ ଟିମ ଭାରତୀୟ ବୋଲରଙ୍କ ମୁକାବିଲା କରି ନପାରି ୩୪.୨ ଓଭରରେ ୨୧୪ ରନରେ ଅଲଆଉଟ୍ ହୋଇଛି । ଦଳ ପକ୍ଷରୁ ଟମ୍ ବ୍ୟାଣ୍ଟନ ୩୮ ରନ ଓ ଗସ୍ ଅଟିଙ୍କସନ ୩୮ ରନ କରିଥିଲେ ।
ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଭାରତୀୟ ଦଳ ବଡ଼ ବିଜୟ ହାସଲ କରିଛି। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିବାକୁ ମଇଦାନକୁ ଓହ୍ଲାଇଥିବା ଭାରତର ଆରମ୍ଭ ନୈରାଶ୍ୟଜନକ ଥିଲା। ଅଧିନାୟକ ରୋହିତ ଶର୍ମା ୧ ରନ କରି ଦ୍ଵିତୀୟ ଓଭରରେ ଆଉଟ୍ ହୋଇଥିଲେ। ପରେ ଶୁଭମନ ଗିଲ୍ ଓ ବିରାଟ କୋହଲି ଦଳର ବ୍ୟାଟିଂ ମଙ୍ଗ ସମ୍ଭାଳିଥିଲେ।
ଦୀର୍ଘ ଦିନ ଧରି ଖରାପ ଫର୍ମ ଦେଇ ଗତି କରୁଥିବା ବିରାଟ କୋହଲି ୫୫ ବଲରୁ ୭ ଚୌକା ଓ ୧ ଛକା ସହ ୫୨ ରନ କରି ଆଉଟ୍ ହୋଇଥିଲେ। ଗିଲ୍ ଓ ଶ୍ରେୟସ ଆୟରଙ୍କ ମଧ୍ୟରେ ଆଉ ଏକ ଶତକୀୟ ଭାଗିଦାରୀ ଦେଖିବାକୁ ମିଳିଥିଲା। ଗିଲ୍ ଦିନିକିଆରେ ନିଜର ଚମତ୍କାର ଫର୍ମ ଜାରି ରଖି ଦିନିକିଆରେ ସପ୍ତମ ଶତକ ପୂରଣ କରିଥିଲେ।
ଏହି ଶତକ ଜରିଆରେ ସେ ଅନେକ ରେକର୍ଡ ଭାଙ୍ଗିଛନ୍ତି। ଶତକ ହାସଲ କରି ଦିନିକିଆ ଇତିହାସରେ ୨୫୦୦ ରନ୍ ସ୍କୋର କରିବାରେ ଦ୍ରୁତତମ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି ଶୁବମନ ଗିଲ୍। ଦିନିକିଆ ମ୍ୟାଚ୍ ର ୫୦ତମ ଇନିଂସରେ ଶୁଭମନ ଗିଲ ଏହି ସଂଖ୍ୟା ଛୁଇଁଥିଲେ। ଏହାପୂର୍ବରୁ ଏହି ରେକର୍ଡ ଦକ୍ଷିଣ ଆଫ୍ରିକାର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ହାସିମ ଆମଲାଙ୍କ ନାମରେ ଥିଲା।