ଭାରତ- ନ୍ୟୁଜିଲାଣ୍ଡ ଦ୍ବିତୀୟ ଟେଷ୍ଟ : ଭାରତୀୟ ଟିମର ବଢୁଛି ମୁସ୍କିଲ, ନ୍ୟୁଜିଲାଣ୍ଡ ୩୦୧ ରନରେ ଆଗୁଆ

ପୁଣେରେ ଭାରତ- ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଦ୍ବିତୀୟ ଟେଷ୍ଟରେ ନ୍ୟୁଜିଲାଣ୍ଡ ୩୦୧ ରନରେ ଆଗୁଆ ରହିଛି । ଆଜି ଷ୍ଟମ୍ପ ଅପସାରଣ ପରେ ଦ୍ବିତୀୟ ଦିନରେ ୫ ୱିକେଟ ହରାଇ ୧୯୮ ରନ୍ କରିସାରିଛି । ଗ୍ଲେନ ଫିଲିପ୍ସ ୯ ରନ ଏବଂ ଟମ୍ ବ୍ଲେଣ୍ଡଲ ୩୦ ରନ୍ କରି ଅପରାଜିତ ରହିଛନ୍ତି । ଟମ୍ ଲାଥମ ୮୬ ରନରେ ବଢିଆ ଇନିଂସ ଖେଳିଛନ୍ତି । ୱିଲ ୟଙ୍ଗ ୨୩ ରନ୍ ଏବଂ ଡେରିଲ ମିଶେଲ ୧୮ ରନ୍ କରିଛନ୍ତି ।
ଭାରତ ତରଫରୁ ୱାଂଶିଟନ ସୁନ୍ଦର ୱିକେଟ ନେଇଥିବା ବେଳେ ଅଶ୍ବିନ ୧ଟି ୱିକେଟ ନେଇଛନ୍ତି । ଏହି ଟେଷ୍ଟ ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ୨୫୯ ରନ ସଂଗ୍ରହ କରିଥିଲା । ଜବାବରେ ପ୍ରଥମ ପାଳିରେ ୧୫୬ ରନ୍ କରି ସମସ୍ତ ୱିକେଟ ହରାଇଥିଲା ରୋହିତ ବାହିନୀ ।
ପ୍ରଥମ ଦିନ ଭାରତୀୟ ସ୍ପିନର ୱାଶିଂଟନ ସୁନ୍ଦର ଓ ରବିଚନ୍ଦ୍ରନ ଅଶ୍ୱିନଙ୍କ ଘାତକ ବୋଲିଂର ସାମ୍ନା କରିନପାରି ୨୫୯ ରନରେ ସମସ୍ତ ୱିକେଟ ହରାଇଥିଲା ନ୍ୟୁଜିଲାଣ୍ଡ । ଏହାପରେ ବ୍ୟାଟିଂ ଆରମ୍ଭ କରି ପ୍ରଥମ ଦିନରେ ୧୧ ଓଭର ଖେଳି ଭାରତ ୧୬ ରନ୍ କରି ଗୋଟିଏ ୱିକେଟ ହରାଇଥିଲା । ଅଧିନାୟକ ରୋହିତ ଶର୍ମା ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିଲେ । ପ୍ରଥମ ଦିନର ଷ୍ଟମ୍ପ ଅପସାରଣ ବେଳକୁ ଶୁବମନ ଗିଲ୍ ୧୦ ରନ ଓ ଯଶସ୍ୱୀ ଜୟସ୍ୱାଲ ୬ ରନ କରି ଅପରାଜିତ ରହିଥିଲେ ।
ଦ୍ୱିତୀୟ ଦିନ ଖେଳ ଆରମ୍ଭରୁ ଘରୋଇ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଗିଲ୍ ଓ ଜୟସ୍ୱାଲ ୩୦ ରନ ଲେଖାଏଁ କରି ଆଉଟ ହୋଇଥିଲେ । ଏହାପରେ ବିରାଟ କୋହଲି ମଧ୍ୟ ମାତ୍ର ୧ ରନ କରି ପାଭିଲିଅନ ଫେରିଥିଲେ । ଜାଡେଜାଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟର ୨୦ ରନ ବି କରିପାରି ନଥିଲେ । ଜାଡେଜା ୪୬ ବଲରେ ୩୮ ରନ୍ କରିଥିଲେ । ଫଳରେ ୧୦୩ ରନ ଲିଡ୍ ନେଇ ଦ୍ୱିତୀୟ ପାଳି ବ୍ୟାଟିଂ ଆରମ୍ଭ କରିଥିଲା ନ୍ୟୁଜିଲାଣ୍ଡ ।