ଭାରତ-ନ୍ୟୁଜିଲାଣ୍ଡ ୩ୟ ଟି୨୦: ଭାରତ ପାଇଁ କର ବା ମର ସ୍ଥିତି, ଅନ୍ତିମ ମ୍ୟାଚରେ ହେବ ଜୋରଦାର ଲଢେଇ

ଭାରତୀୟ କ୍ରିକେଟ ଟିମ୍‌ ଆଜି ତୃତୀୟ ଟି-୨୦ ମ୍ୟାଚ୍‌ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବ । ସିରିଜ ୧-୧ରେ ବରାବର ରହିଛି । ଆଜି ଅହମଦାବାଦ ଷ୍ଟାଡିୟମରେ ଶେଷ ମ୍ୟାଚ ଖେଳାଯିବ । ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ତୃତୀୟ ତଥା ଶେଷ ଟି-୨୦। ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ମ୍ୟାଚ୍।

ସିରିଜର ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡ ୨୧ ରନରେ ଜିତିଥିଲା। ଦ୍ୱିତୀୟ ମୁକାବିଲାରେ ଟିମ୍ ଇଣ୍ଡିଆ ୬ ୱିକେଟରେ ବିଜୟୀ ହୋଇଥିଲା। ସିରିଜ୧-୧ରେ ବରାବର ରହିଛି। ତେଣୁ ଶେଷ ମ୍ୟାଚ୍ ଜିତି ଉଭୟ ଦଳ ସିରିଜ୍ କବ୍ଜା କରିବାକୁ ଚେଷ୍ଟା କରିବ। ଶୃଙ୍ଖଳା ଜିତିବା ପାଇଁ ଏହି ମ୍ୟାଚ୍ ଉଭୟ ଦଳ ପାଇଁ ‘କର ବା ମର’ ପାଲଟିଯାଇଛି। ଯଦି ଭାରତ ଜିତେ ତାହେଲେ ଘରୋଇ ମାଟିରେ ଶୃଙ୍ଖଳା ବିଜୟ ଧାରା ବଜାୟ ରଖିବ ।

ନ୍ୟୁଜିଲାଣ୍ଡ ବିପକ୍ଷରେ ଟି୨୦ ସିରିଜରେ ଭାରତୀୟ ଟପ୍‌ ଅର୍ଡର ବ୍ୟାଟସମ୍ୟାନ ସଂପୂର୍ଣ୍ଣ ବିଫଳ ରହିଛନ୍ତି । ଟିମ୍‌ ଇଣ୍ଡିଆ ତରଫରୁ ଈଶାନ କିଶନ ଏବଂ ଶୁଭମନ ଗିଲ୍‌ ଭଲ ପ୍ରଦର୍ଶନ କରିନଥିଲେ । ସେହିପରି ରାହୁଲ ତ୍ରିପାଠୀ ମଧ୍ୟ ଭଲ ପ୍ରଦର୍ଶନ କରିନାହାନ୍ତି । ଏମିତିରେ ହାର୍ଦ୍ଦିକ ପାଣ୍ଡ୍ୟା ଟପ୍‌ ଅର୍ଡରରେ ପରିବର୍ତ୍ତନ କରିପାରନ୍ତି ।

ଅନ୍ୟପକ୍ଷରେ ଭାରତରେ ପ୍ରଥମ ଦ୍ଵିପାକ୍ଷିକ ଶୃଙ୍ଖଳା ଜିତିବା ଲକ୍ଷ୍ୟ ରଖିଛି ନ୍ୟୁଜିଲାଣ୍ଡ୍। ପିଚକୁ ଦେଖି ଭାରତ ତା’ର ଚୂଡ଼ାନ୍ତ ଏକାଦଶରେ ସାମାନ୍ୟ ପରିବର୍ତ୍ତନ କରିପାରେ। ପୃଥ୍ଵୀ ଶ’ ଓ ଉମ୍ରାନ୍ ମଲିକ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇପାରନ୍ତି । ସେପଟେ ନ୍ୟୁଜିଲାଣ୍ଡ ତା’ର ଏକାଦଶରେ ବିଶେଷ ପରିବର୍ତ୍ତନ କରିବା ଯୋଜନାରେ ନାହିଁ । ୨୦୧୨ରେ ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା ଏକମାତ୍ର ଟି-୨୦କୁ ଜିତିବା ବ୍ୟତୀତ ନ୍ୟୁଜିଲାଣ୍ଡ କେବେ ବି କେଣସି ଫର୍ମାଟରେ ଦ୍ଵିପାକ୍ଷିକ ଶୃଙ୍ଖଳାରେ ଭାରତକୁ ପରାସ୍ତ କରିପାରିନାହିଁ। ଗତ ୧୦ ବର୍ଷ ମଧ୍ୟରେ ସମସ୍ତ ଫର୍ମାଟରେ ଉଭୟ ଦଳ ମୋଟ ୫୫ ଦ୍ଵିପାକ୍ଷିକ ଶୃଙ୍ଖଳା ଖେଳିଥିଲା ବେଳେ ସେଥିରୁ ଭାରତ ୪୭ଟି ଜିତିଛି।