ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ୩ଟି ମ୍ୟାଚ ବିଶିଷ୍ଟି ଟି୨୦ ସିରିଜ । ଆଜି ପ୍ରଥମ ମ୍ୟାଚ୍ ଭାରତୀୟ ସମୟ ରାତି ୭ଟାରେ ଆରମ୍ଭ ହେବ । ନୂଆ କୋଚ୍ ଗୌତମ ଗମ୍ଭୀର ଓ ନୂଆ ଟି୨୦ ଅଧିନାୟକ ସୂର୍ଯ୍ୟ କୁମାର ଯାଦବଙ୍କ ନେତୃତ୍ୱରେ ଆଜି ଭାରତୀୟ ଟିମ୍ ଖେଳିବ । ଏହି ମ୍ୟାଚ୍ ପଲ୍ଲେକେଲର ପଲ୍ଲେକେଲ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବ। ଟି-୨୦ ସିରିଜ୍ ର ତିନିଟି ଯାକ ମ୍ୟାଚ୍ ପଲ୍ଲେକେଲ୍ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବ ।
ସୂର୍ଯ୍ୟକୁମାର ଯାଦବ ପୂର୍ବରୁ ୭ଟି ମ୍ୟାଚରେ ନେତୃତ୍ବ ନେଇ ସାରିଛନ୍ତି । ଟି-୨୦ ବିଶ୍ୱକପ୍ ବିଜୟ ପରେ ଅବସର ନେଇଥିବା ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ନେତୃତ୍ୱ ସ୍ଥାନ ନେବା ସୂର୍ଯ୍ୟଙ୍କ ପାଇଁ ଚ୍ୟାଲେଞ୍ଜ ରହିଛି । କାରଣ ବିଶ୍ୱକପରେ ଉପଅଧିନାୟକ ଥିବା ଅଲ୍ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଦଳରେ ସୂର୍ଯ୍ୟଙ୍କ ଉପରେ ଚୟନକର୍ତ୍ତା ଭରସା କରିଛନ୍ତି ।
ରୋହିତ ଶର୍ମା ଓ ବିରାଟ କୋହଲି ଟି- ୨୦ରୁ ଅବସର ନେଇ ସାରିଥିବା ବେଳେ ଏଥର ଦୁଇ ଯୁବ ବ୍ୟାଟର ଯଶସ୍ବୀ ଜୟସ୍ୱାଲ ଓ ଶୁବମନ ଗିଲ୍ ଇନିଂସ ଆରମ୍ଭ କରିବେ । ତେବେ ଏହି ସିରିଜ ପୂର୍ବରୁ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସିରାଜ ଆହତ ହୋଇଥିଲେ । ଅଭ୍ୟାସ ସମୟରେ ସିରାଜ ଆହତ ହୋଇଥିଲେ । ସିରାଜଙ୍କ ଡାହାଣ ଗୋଡ଼ରେ ଆଘାତ ଲାଗିଥିଲା । ସିରାଜ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଖେଳିବେ କି ନାହିଁ ସେ ନେଇ ଏପର୍ଯ୍ୟନ୍ତ କୌଣସି ସୂଚନା ସାମ୍ନାକୁ ଆସିନାହିଁ । ଶ୍ରୀଲଙ୍କାର କିଛି ପ୍ରମୁଖ ଖେଳାଳି ଆହତ ହୋଇଥିବା ବେଳେ କିଛି ବାଦ ପଡ଼ିଛନ୍ତି ।
ଟି୨୦ ଟିମ୍ : ସୂର୍ଯ୍ୟକୁମାର ଯାଦବ ( ଅଧିନାୟକ), ଶୁଭମନ ଗିଲ୍ (ଉପ ଅଧିନାୟକ), ଯଶସ୍ୱୀ ଜୟସଓ୍ଵାଲ, ରିଙ୍କୁ ସିଂ, ରିୟାନ ପରାଗ, ରିଷଭ ପନ୍ତ(ଓ୍ଵିକେଟ କିପର), ସଞ୍ଜୁ ସାମସନ(ଓ୍ଵିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ରା, ଶିବମ ଦୁବେ, ଅକ୍ଷର ପଟେଲ, ଓ୍ଵାଶିଟନ ସୁନ୍ଦର, ରବି ବିଷ୍ଣୋଇ, ଅର୍ଶଦୀପ ସିଂ, ଖଲୀଲ ଅହମଦ, ମହମ୍ମଦ ସିରାଜ ।
ଭାରତ-ଶ୍ରୀଲଙ୍କା ଖେଳସୂଚୀ :
୨୭ ଜୁଲାଇ: ପ୍ରଥମ ଟି୨୦, ପଲ୍ଲେକେଲ
୨୮ ଜୁଲାଇ: ଦ୍ୱିତୀୟ ଟି୨୦, ପଲ୍ଲେକେଲ
୩୦ ଜୁଲାଇ : ତୃତୀୟ ଟି୨୦, ପଲ୍ଲେକେଲ