ସତ୍ୟବ୍ରତ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ : ଫାଇନାଲରେ ଇଣ୍ଡିପେଣ୍ଡେଣ୍ଟ ଓ ୟୁନିଟ୍-୬

ଭୁବନେଶ୍ବର (କେନ୍ୟୁଜ) : ୟୁନିଟ୍-୧ ଠାରେ ଚାଲିଥିବା ୨୨ତମ ସତ୍ୟବ୍ରତ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଫାଇନାଲରେ କଟକର ଇଣ୍ଡିପେଣ୍ଡେଣ୍ଟ କ୍ଲବକୁ ଭେଟିବ ଭୁବନେଶ୍ବରର ୟୁନିଟ୍-୬ କ୍ଲବ ।

ଆଜି ପ୍ରଥମ ସେମିଫାଇନାଲରେ ୟୁନିଟ୍-୬ କ୍ଲବ୍ ଫୁଲବାଣୀ ଫୁଟବଲ ଏକାଡେମୀକୁ ୬-୧ ଗୋଲରେ ପରାସ୍ତ କରିଥିଲା । ମ୍ୟାଚଟି ସମ୍ପୂର୍ଣ୍ଣ ରୂପେ ଏକତରଫା ହୋଇଥିଲା । ବିଜୟୀ ଦଳ ପକ୍ଷରୁ ଅବିନାଶ ସାମଲ ୩, ଚିଣ୍ଟୁ ସାମଲ, ସୁରେଶ ଓ ଚନ୍ଦନ ନାୟକ ଗୋଟିଏ ଲେଖାଏଁ ଗୋଲ୍ ସ୍କୋର କରିଥିଲେ । ଅବିନାଶ ସାମଲଙ୍କୁ ମ୍ୟାନ୍ ଅଫ୍ ମ୍ୟାଚ ପୁରସ୍କାର ପ୍ରଦାନ କରିଥିଲେ କ୍ଲବ୍-୭୩ର ଉପସଭାପତି ସିଦ୍ଧାର୍ଥ ପାଢ଼ୀ ।

ସେହିପରି ଦ୍ବିତୀୟ ସେମିଫାଇନାଲରେ କଟକର ଦୁଇ କ୍ଲବ ସନରାଇଜ ଓ ଇଣ୍ଡିପେଣ୍ଡେଣ୍ଟ ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା । ଏଥିରେ ଇଣ୍ଡିପେଣ୍ଡେଣ୍ଟ କ୍ଲବ ୧-୦ ଗୋଲରେ ବିଜୟୀ ହୋଇ ଫାଇନାଲକୁ ଉନ୍ନୀତ ହୋଇଛି । ଏହି ଏକମାତ୍ର ଗୋଲ୍ ଦଳର ଅଜୟ ସୋରେନ ଦେଇଥିଲେ । ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଛି । ପୂର୍ବତନ ସନ୍ତୋଷ ଟ୍ରଫି ଖେଳାଳି ବିକ୍ରମ ମହାନ୍ତି ପୁରସ୍କାର ପ୍ରଦାନ କରିଥିଲେ । ଏହି ମ୍ୟାଚରେ ପୂର୍ବତନ ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଏବଂ ଡି.ଆର ପଟ୍ଟନାୟକ ଅତିଥି ଭାବେ ଯୋଗ ଦେଇଥିଲେ ।