ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ : ଦ୍ବିତୀୟ ପାଳିରେ ଭାରତ ଭଲ ଖେଳିଲା, ତଥାପି ଟଳିନି ବିପଦ

ବେଙ୍ଗାଲୁରୁ : ନ୍ୟୁଜିଲାଣ୍ଡର ପ୍ରଥମ ପାଳି ସ୍କୋରକୁ ଟପିବା ପାଇଁ ଭାରତକୁ ଆଉ ଦରକାର ୧୨୫ ରନ୍ । ବେଙ୍ଗାଲୁରୁ ଠାରେ ଚାଲିଥିବା ବର୍ଷା ବାଧାପ୍ରାପ୍ତ ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟର ଆଜି ତୃତୀୟ ଦିନ ଖେଳ ଶେଷ ହୋଇଛି । ପ୍ରଥମ ପାଳିରେ ମାତ୍ର ୪୬ ରନ୍ କରିଥିବା ଭାରତୀୟ ଦଳ ଆଜିର ଖେଳ ଶେଷ ସୁଦ୍ଧା ୩ ୱିକେଟ୍ ହରାଇ ୨୩୧ ରନ୍ କରିଛି । ବିରାଟ କୋହଲି ୭୦ ରନ୍ କରି ଶେଷ ଖେଳାଳି ଭାବେ ଆଉଟ୍ ହୋଇଥିବା ବେଳେ ଯୁବ ବ୍ୟାଟର ସର୍ଫରାଜ ଖାନ୍ ୭୦ ରନ୍ କରି ଅପରାଜିତ ଅଛନ୍ତି ।

ପ୍ରଥମ ପାଳିରେ ନ୍ୟୁଜିଲାଣ୍ଡ ଭାରତୀୟ ବାଟିଂ ଦୁର୍ଗକୁ ଧରାଶାୟୀ କରିବା ପରେ ରଚିନ ରବୀନ୍ଦ୍ରଙ୍କ ଶତକ ବଳରେ ୪୦୨ ରନ୍ କରିଥିଲା । ରବୀନ୍ଦ୍ର ୧୫୭ ବଲରେ ୧୩୪ ରନ୍ ସ୍କୋର କରିଥିଲେ । ଅନମାନଙ୍କ ମଧ୍ୟରେ କନୱେ ୯୧, ୱିଲ ୟଙ୍ଗ ୩୩, ଟିମ୍ ସାଉଦି ୬୫ ରନ୍ ସଂଗ୍ରହ କରିଥିଲେ । ଭାରତ ପକ୍ଷରୁ ସ୍ପିନର ରବୀନ୍ଦ୍ର ଜାଡେଜା ଓ କୁଲଦୀପ ଯାଦବ ୩ଟି ଲେଖାଏଁ ଏବଂ ପେସ୍ ବୋଲର ମହମ୍ମଦ ସିରାଜ ୨ଟି ୱିକେଟ୍ ଦଖଲ କରିଥିଲେ ।

ପରେ ଭାରତ ୩୫୬ ରନ୍ ପଛରେ ରହି ଦ୍ବିତୀୟ ପାଳି ଆରମ୍ଭ କରିଥିଲା । ଓପ୍ନର ଯଶସ୍ବୀ ଜୟସ୍ବାଲ ୩୫, ଅଧିନାୟକ ରୋହିତ ଶର୍ମା ୫୨ ରନ୍ କରି ଆଉଟ୍ ହୋଇଥିଲେ । ଏହାପରେ ଇନିଂସ୍ ସମ୍ଭାଳି ଥିଲେ କୋହଲି ଓ ସର୍ଫରାଜ । ସେମାନେ ୩ୟ ୱିକେଟରେ ୧୩୬ ରନ୍ ଯୋଡ଼ିଥିଲେ । କୋହଲି ୧୦୨ ବଲରେ ୭୦ ରନ୍ (୧ ଛକା, ୮ ଚୌକା) କରି ଆଉଟ୍ ହୋଇଥିଲେ । ତେବେ ଏହି ପାଳି ବେଳେ ସେ ଟେଷ୍ଟ କ୍ରିକେଟରେ ୯ ହଜାର ରନ୍ ପୂର୍ଣ୍ଣ କରିଛନ୍ତି । ଅନ୍ୟପଟେ ସର୍ଫରାଜ ମାତ୍ର ୭୮ ବଲ ଖେଳି ୩ ଛକା ଓ ୭ ଚୌକା ସହ ୭୦ ରନରେ ଅପରାଜିତ ଅଛନ୍ତି । ନିଜର ଚତୁର୍ଥ ଟେଷ୍ଟ ଖେଳୁଥିବା ଏହି ଯୁବ ଖେଳାଳିଙ୍କର ଏହା ହେଉଛି ସର୍ବାଧିକ ବ୍ୟକ୍ତିଗତ ସ୍କୋର ।

ମ୍ୟାଚର ଆଉ ଦୁଇ ଦିନ ବାକି ଥିବାରୁ ଘରୋଇ ଦଳ ଉପରେ ଖୁବ୍ ଚାପ ରହିଛି । ନ୍ୟୁଜିଲାଣ୍ଡର ପ୍ରଥମ ଇନିଂସ ସ୍କୋରକୁ ଟପି ବଡ଼ ସ୍କୋର କରିବା ରୋହିତଙ୍କ ଟିମ୍ ପାଇଁ ଏବେ ବଡ଼ ଚ୍ୟାଲେଞ୍ଜ ।

 

ସ୍କୋର : ଭାରତ ୪୬ ଓ ୨୩୧/୩ । ନ୍ୟୁଜିଲାଣ୍ଡ-୪୦୨

You might also like