୩ୟ ଟେଷ୍ଟ : ପୂଜାରା ଓ କୋହଲିଙ୍କ ଅର୍ଦ୍ଧଶତକ, ଭାରତ ହାତରେ ୩୬୨ ରନର ଲିଡ୍

ନଟିଂହାମ : ୩ୟ ଟେଷ୍ଟର ଆଜି ୩ୟ ଦିନ ଲଞ୍ଚ ସୁଦ୍ଧା ଭାରତ ଆଉ କୌଣସି ୱିକେଟ୍ ହରାଇ ନାହିଁ । ଗତକାଲିଠାରୁ ଅପରାଜିତ ଥିବା ଅଧିନାୟକ ବିରାଟ କୋହଲି ଏବଂ ଚେତେଶ୍ବର ପୂଜାରା ଅତି ସତର୍କତାର ସହ ବ୍ୟାଟିଂ କରି ଦ୍ବିତୀୟ ଇନିଂସ ସ୍କୋରକୁ ୧୯୪ ରନରେ ପହଞ୍ଚାଇଛନ୍ତି। ପୂଜାରା ୫୬ ଏବଂ କୋହଲି ୫୪ ରନ୍ କରିଛନ୍ତି । କୋହଲି ଏକ ରେକର୍ଡ଼ ମଧ କରିଛନ୍ତି । ସେ ଭାରତର ପ୍ରଥମ ଅଧିନାୟକ ଭାବେ ଗୋଟିଏ ସିରିଜର ଦୁଇଟି ଟେଷ୍ଟର ଉଭୟ ଇନିଂସରେ ଅର୍ଦ୍ଧଶତକ କରିଛନ୍ତି । ପ୍ରଥମ ଟେଷ୍ଟରେ ସେ ଗୋଟିଏ ଶତକ ଓ ଗୋଟିଏ ଅର୍ଦ୍ଧଶତକ କରିଥିବା ବେଳେ ଚଳିତ ଟେଷ୍ଟର ପ୍ରଥମ ଇନିଂସରେ ୯୭ ରନରେ ଆଉଟ୍ ହୋଇଥିଲେ । ଲଞ୍ଚ ସୁଦ୍ଧା ଭାରତ ୩୬୨ ରନରେ ଆଗୁଆ ଥିଲା । ଗତକାଲି ଇଂଲଣ୍ଡ ପ୍ରଥମ ପାଳିରେ ୧୬୧ ରନ୍ କରିବା ପରେ ଭାରତ ଦ୍ବିତୀୟ ଦିବସ ଖେଳ ଶେଷ ସୁଦ୍ଧା କରିଥିଲା ୨ ୱିକେଟରେ ୧୨୪ ରନ୍ ।