ଭାରତ – ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ : ବେଙ୍ଗାଲୁରୁ ଛେଚୁଚି ବର୍ଷା, ରଦ୍ଦ ହୋଇପାରେ ମ୍ୟାଚ !

ଆଜିଠାରୁ ଭାରତ – ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ । ବେଙ୍ଗାଳୁରୁରେ ଖେଳାଯିବାକୁ ଥିବା ଏହି ଟେଷ୍ଟ ବର୍ଷା ଯୋଗୁଁ ବାଧାପ୍ରାପ୍ତ ହୋଇପାରେ । କର୍ଣ୍ଣାଟକର ବିଭିନ୍ନ ସ୍ଥାନରେ ଆସନ୍ତା ୫ ଦିନ ବର୍ଷାର ସମ୍ଭାବନା ରହିଛି । ବେଙ୍ଗାଲୁରୁରେ ଗତକାଲିଠାରୁ ବର୍ଷା ଜାରି ରହିଛି । ବର୍ଷା ଯୋଗୁଁ ଖେଳାଳି ଅଭ୍ୟାସ କରି ପାରିନଥିଲେ । ବେଙ୍ଗାଲୁରରେ ବର୍ଷା ଥିବାରୁ ଆଜିର ମ୍ୟାଚ ଆରମ୍ଭ ହେବ କି ନାହିଁ ସେ ନେଇ ଅନିଶ୍ଚିତତା ଲାଗି ରହିଛି ।

ଜବରଦସ୍ତ ଫର୍ମରେ ରହିଛି ଭାରତ । ବାଂଲାଦେଶ କୁ ଉଭୟ ଟେଷ୍ଟ ଓ ଟି ୨୦ରେ ମାତ ଦେଇଛି ଭାରତ । ସେପଟେ ନ୍ୟୁଜିଲାଣ୍ଡ ଶ୍ରୀଲଙ୍କାଠାରୁ ୨ଟି ଟେଷ୍ଟ ହାରି, ଭାରତ ଗସ୍ତରେ ଆସିଛି । ବର୍ତ୍ତମାନ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ପଏଣ୍ଟ ଟେବୁଲରେ ଭାରତ ଶୀର୍ଷ ସ୍ଥାନରେ ଥିବା ବେଲେ ନ୍ୟୁଜିଲାଣ୍ଡ ଷଷ୍ଠ ସ୍ଥାନରେ ରହିଛି । ଭାରତ ଯଦି ନ୍ୟୁଜିଲାଣ୍ଡକୁ ୩-୦ରେ ହରାଏ ତେବେ ଭାରତ ଲଗାତାର ତୃତୀୟ ଥର ଲାଗି ବିଶ୍ୱ ଟେଷ୍ଟ ଚାମ୍ପିଅନସିପରେ ପ୍ରବେଶ କରିବ । ପ୍ରଥମ ଦୁଇଟି ବିଶ୍ୱ ଟେଷ୍ଟ ଚାମ୍ପିଆନସିପ ଫାଇନାଲରେ ପହଞ୍ଚିଥିଲା ଭାରତ । କିନ୍ତୁ ରନର୍ସ ଅପରେ ସନ୍ତୁଷ୍ଟ ହେବାକୁ ପଡିଥିଲା ।

ଭାରତୀୟ ପାଣିପାଗ ବିଭାଗ କହିଛି ଯେ, ବୁଧବାର ବେଙ୍ଗାଲୁରୁରେ ବର୍ଷାର ପରିମାଣ ବଢ଼ିବାର ଆଶଙ୍କା ରହିଛି । ତେଣୁ ସହରକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ମଙ୍ଗଳବାର ମଧ୍ୟ ବେଙ୍ଗାଲୁରୁରେ ପ୍ରବଳ ବର୍ଷା ହୋଇଛି । ବର୍ଷାକୁ ଦୃଷ୍ଟିରେ ରଖି ବିବିଏମପି ତା’ର ୮ଟି ଯାକ ଜୋନରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲିଛି । ଏଥିସହ ୧୫୩୩ ହେଲଲାଇନ ନମ୍ବର ଜାରି କରିଛି ।