ଉନ୍ମୋଚିତ ହେଲା ଭାରତ-ଅଷ୍ଟ୍ରେଲିଆ ଟି-୨୦ ସିରିଜ୍‌ ଟ୍ରଫି, କାଲି ଗାବାରେ ପ୍ରଥମ ମ୍ୟାଚ୍‌

ବ୍ରିସବେନ୍‌ : ଆସନ୍ତାକାଲି ଏଠାକାର ଗାବା ଷ୍ଟାଡିୟମ୍‌ରେ ଆରମ୍ଭ ହେବ ଭାରତ-ଅଷ୍ଟ୍ରେଲିଆ ଟି-୨୦ ସିରିଜ୍‌ । ପ୍ରଥମ ମ୍ୟାଚ୍‌ ପୂର୍ବରୁ ଆଜି ଏଠାରେ ସିରିଜ୍‌ର ଟ୍ରଫି ଉନ୍ମୋଚିତ ହୋଇଛି । ଏହି ଅବସରରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଏବଂ ଅଷ୍ଟ୍ରେଲିଆ ଟିମ୍‌ ଅଧିନାୟକ ଆରୋନ୍‌ ଫିଞ୍ଚ ଉପସ୍ଥିତ ଥିଲେ ।ଟି-୨୦ ସିରିଜ୍‌ରେ ୩ଟି ମ୍ୟାଚ୍‌ ଖେଳାଯିବ ।

ଚାଲିଛି ଜୋରଦାର ଅଭ୍ୟାସ

ସେପଟେ ତାଜା ତାଜା ଘରୋଇ ସିରିଜ୍‌ରେ େଓ୍ଵଷ୍ଟଇଣ୍ଡିଜ୍‌କୁ ହରାଇ ଅଷ୍ଟ୍ରେଲିଆରେ ପହଞ୍ଚିଥିବା ଭାରତୀୟ ଦଳ ଜୋରଦାର ଅଭ୍ୟାସ ଚଳାଇଛି । ରବିବାର ଦିନଅନେକ ସମୟ ଧରି ନେଟ୍‌ ପ୍ରାକଟିସ କରିଥିବା ବେଳେ ଗତକାଲି ଅଳପ ସମୟ ଅଭ୍ୟାସ କରିଥିଲେ ।

PRACTICE-2

ଗତକାଲି ଅଷ୍ଟ୍ରେଲିଆର ପୂର୍ବତନ ଓ୍ଵିକେଟ୍‌ କିପର ଆଡାମ ଗିଲଖ୍ରୀଷ୍ଟଙ୍କୁ ପଡ଼ିଆରେ ଦେଖିବାକୁ ମିଳିଥିଲା । ସେ ବେଶ୍‌ କିଛି ସମୟ ଖେଳାଳିମାନଙ୍କ ସହ ବିତାଇଥିଲେ । ବିଶେଷ କରି କୋହଲିଙ୍କ ସହିତ କଥାବାର୍ତ୍ତା ହୋଇଥିଲେ । କୋହଲିଙ୍କ ସମେତ ଓପ୍ନର ଶିଖର ଧବନ, କେ.ଏଲ୍‌ ରାହୁଲ ଏବଂ ଯଶପ୍ରୀତ ବୁମରା ବ୍ୟାଟିଂ ପ୍ରାକ୍ଟିସ କରୁଥିବା ଦେଖା ଯାଇଥିଲା ।

VIRAT-GILCHRIST

୧୫ରୁ ୧୦ଟି ଭାରତ ଭାଗରେ

ଉଭୟ ଦଳ ଭିତରେ ଏପର୍ଯ୍ୟନ୍ତ ୧୫ଟି ଟି-୨୦ ମ୍ୟାଚ୍‌ ଖେଳା ଯାଇଛି । ସେଥିରୁ ୧୦ଟିରେ ଜିତିଛି ଟିମ୍‌ ଇଣ୍ଡିଆ । ଅଷ୍ଟ୍ରେଲିଆରେ ଖେଳା ଯାଇଥିବା ୬ଟି ମ୍ୟାଚ୍‌ ଭିତରୁ ଭାରତ ୪ଟି ଏବଂ ଘରୋଇ ଦଳ ୨ଟିରେ ବିଜୟୀ ହୋଇଛି ।


ଦୁଇ ଦଳ ଭିତରେ ସର୍ବାଧିକ ରନ୍‌ ସଂଗ୍ରହ କରିଥିବା ଖେଳାଳି ହେଉଛନ୍ତି ବିରାଟ କୋହଲି । ସେ ୬୦.୪୨ ହାରରେ ୧୧ଟି ଇନିଂସରେ କରିଛନ୍ତି ୪୩୨ ରନ୍‌ । ସେପଟେ ଅଷ୍ଟ୍ରେଲିଆ ପକ୍ଷରୁ ଅଧିନାୟକ ଆରୋନ ଫିଞ୍ଚ ୪୨.୭୫ ହାରରେ କରିଛନ୍ତି ୩୪୨ ରନ୍‌ (୮ଟି ଇନିଂସ୍‌) ।
ଟି-୨୦ରେ ଅଷ୍ଟ୍ରେଲିଆର ପ୍ରଦର୍ଶନ ସେତେ ଭଲ ନାହିଁ । ତଥାପି ଚଳିତ ସିରିଜ୍‌ରେ ଭାରତକୁ ପରାସ୍ତ କରିବା ପାଇଁ ନୂଆ ରଣନୀତି ପଅସ୍ତୁତ କରିଛି କଙ୍ଗାରୁ ଦଳ । କିନ୍ତୁ ଉଭୟ ବ୍ୟାଟିଂ ଓ ବୋଲିଂ ଏବେ ଭାରତ ଯେଭଳି ପ୍ରଦର୍ଶନ କରୁଛି ସେଥିରେ ଏହାକୁ ମାତ୍‌ ଦେବା ସହଜ ହେବ ନାହିଁ । ତଥାପି ଅଷ୍ଟ୍ରେଲିଆ ବୋଲିଂ ବାହିନୀ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ପାଇଁ ସମସ୍ୟା ସୃଷ୍ଟି କରି ପାରେ ।

ମ୍ୟାଚ୍‌ ସମୟ

ଆସନ୍ତାକାଲି ଗାବାରେ ପ୍ରଥମ ମ୍ୟାଚ୍‌ ଭାରତୀୟ ସମୟ ଅପରାହ୍ନ ୧.୨୦ ମିନିଟ୍‌ରେ ଆରମ୍ଭ ହେବ । ଦ୍ୱିତୀୟ ଟି-୨୦ ୨୩ ଓ ତୃତୀୟଟି ୨୫ ତାରିଖରେ ଖେଳାଯିବ ।
ଏହାପରେ ଡିସେମ୍ବର ୬ରୁ ଚାରିଟିକିଆ ଟେଷ୍ଟ ସିରିଜ ଏବଂ ୨୦୧୯ ଜାନୁଆରୀ ୧୨ରୁ ତିନି ମ୍ୟାଚ୍‌ର ଦିନିକିଆ ଆନ୍ତର୍ଜାତିକ ସିରିଜ୍‌ ଖେଳାଯିବ । ଏହାର ଅର୍ଥ ଚଳିତ ଦୁଇ ମାସିଆ ଗସ୍ତ ବେଳେ ଭାରତୀୟ ଖେଳାଳି ଅଷ୍ଟ୍ରେଲିଆରେ ହିଁ ନୂଆ ବର୍ଷ ପାଳନ କରିବେ ।
୧୨ ଜଣିଆ ଦଳ
ପ୍ରଥମ ମ୍ୟାଚ୍‌ ପାଇଁ ଭାରତ ତାର ୧୨ ଜଣିଆ ଦଳ ଘୋଷଣା କରିଛି । ଏଥଇରେ ଉଭୟ ୠଷଭ ପନ୍ତ ଓ ନୀନେଶ କାର୍ତ୍ତିକ ସାମିଲ ଅଛନ୍ତି । ତେବେ ପନ୍ତ ଓ୍ଵିକେଟ୍‌ କିପର/ବ୍ୟାଟସମ୍ୟାନ ଭାବେ ଖେଳିବେ । ୧୨ ଜଣଙ୍କ ଭିତରୁ ଜଣେ ବୋଲର୍‌ ଦଳରୁ ବାଦ୍‌ ପଡ଼ିବେ ।
ଭାରତୀୟ ଦଳ : ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପଅଧିନାୟକ), ଶିଖର ଧବନ, ଲୋକେଶ ରାହୁଲ, ୠଷଭ ପନ୍ତ (ଓ୍ଵିକେଟ୍‌ କିପର), ଦୀନେଶ କାର୍ତ୍ତିକ, କ୍ରୁନାଲ ପାଣ୍ଡ୍ୟା, କୁଲଦୀପ ଯାଦବ, ଭୁବନେଶ୍ୱର କୁମାର, ଯଶପ୍ରୀତ ବୁମରା, ଖଲିଲ ଅହମଦ, ଯୁଜବେନ୍ଦ୍ର ଚହଲ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.