ଗିଲଙ୍କ ଡବଲ ସେଞ୍ଚୁରୀ ଓ ବ୍ରେସେଓ୍ଵଲଙ୍କ ସେଞ୍ଚୁରୀରେ ଚମକିଲା ହାଇଦ୍ରାବାଦ ଷ୍ଟାଡିୟମ୍, ହେଲେ ଶେଷର ଜିତିଲା ଟିମ୍ ଇଣ୍ଡିଆ

ହାଇଦ୍ରାବାଦ : ବଢ଼ିଆ ମ୍ୟାଚ୍, ପଇସା ଅସୁଲ ଖେଳରେ ଶେଷ ହେଲା ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଦିନିକିଆ । ହାଇଦ୍ରାବାଦର ରାଜୀବ ଗାନ୍ଧୀ ଇଣ୍ଟରନେସନାଲ ଷ୍ଟାଡିୟମ୍ ଆଜି ଦେଖିଲା ଯୁବ ବ୍ୟାଟରଙ୍କ ବିସ୍ଫୋରକ ଇନିଂସ୍ । ଭାରତୀୟ ଓପ୍ନର ଶୁବମନ ଗିଲ ଭ୍ରମଣକାରୀ ନ୍ୟୁଜିଲାଣ୍ଡ ବୋଲରଙ୍କ ବଲ୍୍କୁ ପିଲା ଖେଳ ଭାବି ଖୁବ୍ ପିଟିଲେ । ଆଉ ଦ୍ୱିଶତକ ହାସଲ କଲେ । ଯାହାଫଳରେ ଭାରତୀୟ ଦଳ ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ୍ ହରାଇ ୩୪୯ ରନ୍ର ବଡ଼ ସ୍କୋର ଠିଆ କରିଥିଲା । ସେହିପରି ନ୍ୟୁଜିଲାଣ୍ଡର ମାଇକେଲ ବ୍ରସେଓ୍ଵଲ ଦମଦାର ଶତକ କଲେ । ତେବେ ତାଙ୍କ ଦଳ ୪୯.୨ ଓଭରରେ ୩୩୭ ରନ୍ କରି ଅଲ୍ଆଉଟ୍ ହୋଇଗଲା ।
ନ୍ୟୁଜିଲାଣ୍ଡ ଦଳ ଯୁବ ବ୍ୟାଟର ମାଇକେଲ ବ୍ରାସେଓ୍ଵଲ ୫୭ ବଲ୍ରେ ଶତକ ହାସଲ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓପ୍ନରଫିନ୍ ଆଲେନ୍ ୪୦, ମିସେଲ ସାଣ୍ଟନର ୫୭ ରନ୍ କରି ଆଉଟ୍ ହୋଇଥିଲେ । ତେବେ ବ୍ରାସେଓ୍ଵଲ ଓ ସାଣ୍ଟନର ସପ୍ତମ ଓ୍ଵିକେଟ୍ ଯୋଡ଼ିରେ ୧୬୨ ରନ୍ ସଂଗ୍ରହ କରି ଭାରତକୁ ଚ୍ୟାଲେଞ୍ଜ ଦେବା ସ୍ଥତିକୁ ଆସି ଯାଇଥିଲେ । ତେବେ ଭାରତୀୟ ବୋଲର ମହମ୍ମଦ ସିରାଜ ତାଙ୍କ ଅନ୍ତିମ ଓଭରରେ ଦୁଟି ଓ୍ଵିକେଟ୍ ନେଇ ଖେଳର ମୋଡ଼ ବଦଳାଇ ଦେଲେ । ସେ ଲଗାତର ଦୁଇଟି ବଲ୍ରେ ସାଣ୍ଟନର ଏବଂ ସିପଲୀଙ୍କୁ ଆଉଟ୍ କରିଥିଲେ ।
ଏହାପରେ ମଧ୍ୟ ବ୍ରାସେଓ୍ଵଲ ଲଢ଼େଇ ଜାରି ରଖିଥିଲେ । ଶେଷ ଓଭର ଖୁବ୍ ଉତ୍କଣ୍ଠାପୂର୍ଣ୍ଣ ଥିଲା । ୬ଟି ବଲ୍ରେ ଜିତିବା ପାଇଁ ଦରକାର ଥିଲା ୨୦ ରନ୍ । ଶାର୍ଦ୍ଦୁଲ ଠାକୁର ଆସିଥିଲେ ବୋଲିଂ କରିବାକୁ । ପ୍ରଥମ ବଲ୍ରେ ଛକା ମାରିଲେ ବ୍ରାସେଓ୍ଵଲ । ଦ୍ୱିତୀୟ ବଲ୍ ଓ୍ଵାଇଡ୍ ହେଲା । ହେଲେ ତୃତୀୟ ବଲ୍ରେ ଏଲ୍ବିଡବଲ୍ୟୁ ହେଲେ ବ୍ରାସେଓ୍ଵଲ । ଆଉ ସେଇଠି ଖେଲ ସରିଗଲା । ବ୍ରାସେଓ୍ଵଲ ୭୭ ବଲ୍ରେ ୧୨ ଚୌକା ଓ ୧୦ ଛକା ସହ ୧୪୦ ରନ୍ ସ୍କୋର କରିଥିଲେ ।
ଭାରତ ପକ୍ଷରୁ ଯୁବ ବୋଲର ସିରାଜ ଚମତ୍କାର ବୋଲିଂ କରି ୪୬ ରନ୍ ଦେଇ ସର୍ବାଧିକ ୪ଟି ଓ୍ଵିକେଟ୍ ନେଇଛନ୍ତି ।
ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଥିଲେ । ନିଜେ ରୋହିତ ମାତ୍ର ୩୪ ରନ୍ ଏବଂ ସୂର୍ଯ୍ୟ କୁମାର ଯାଦବ ୩୧, ହାର୍ଦ୍ଦିକ ପାଣ୍ଡ୍ୟା ୨୮, ଓ୍ଵାଶିଂଟନ୍ ସୁନ୍ଦର ୧୨ ରନ୍ କରି ଆଉଟ୍ ହୋଇଥିଲେ । ଏମିତିକି ଦୁଇଟି ଶତକ କରି ସମସ୍ତଙ୍କ ନଜରରେ ଥିବା ବିରାଟ କୋହଲି ମାତ୍ର ୮ ରନ୍ କରିଥିଲେ । ତଥାପି ଗିଲ୍ ଏକାକୀ ଇନିଂସ୍କୁ ଟାଣି ନେଇଥିଲେ । ସାଥୀମାନଙ୍କ ସ୍ୱଳ୍ପ ସହଯୋଗରେ ଗିଲ୍ ଭୀଷଣ ଆକ୍ରମଣ କରି ରନ୍ ସଂଖ୍ୟା ଦ୍ରୁତ ଗତିରେ ବଢ଼ାଇ ଚାଲିଥିଲେ । ସେ ଲଗାତର ୨ଟି ଛକା ମାରି ନିଜର ପ୍ରଥମ ଦ୍ୱିନିକିଆ ଦ୍ୱିଶତକ ପୂରଣ କରିଥିଲେ । ଆଉ ଅଷ୍ଟମ ବ୍ୟାଟର ଭାବେ ଆଉଟ୍ ହେଲା ବେଳକୁ ଭାରତର ସ୍କୋର ଥିଲା ୩୪୫ ରନ୍ । ଗିଲ୍ ୧୪୯ ବଲ୍ ଖେଳି ୧୯ଟି ଚୌକା ଓ ୯ଟି ଛକା ମାରି ୨୦୮ ରନ୍ ସ୍କୋର କରିଥିଲେ ।