ସଂଘର୍ଷ କରି ଶେଷ ମ୍ୟାଚ୍‌ ସହ ଦିନିକିଆ ସିରିଜ୍‌ ଜିତିଲା ଟିମ୍‌ ଇଣ୍ଡିଆ, ରାହୁଲ ହିରୋ

କୋଲକାତା : ଇଡେନ୍‌ ଗାର୍ଡନ୍ସରେ ଦମ୍ଭର ସହ ଠିଆ ହେଲେ କେଏଲ୍‌ ରାହୁଲ । ଆଉ ଭୁଶୁଡ଼ି ପଡିଥିବା ଭାରତୀୟ ବ୍ୟାଟିଂ ଦୁର୍ଗକୁ ସଜାଡ଼ି ଶେଷ ଭାଗ ବ୍ୟାଟରଙ୍କ ସହଯୋଗରେ ଟିମ୍‌ ଇଣ୍ଡିଆକୁ ଜିତାଇ ଦେଇଛନ୍ତି । ତୃତୀୟ ଦିନିକିଆକୁ ଭାରତ ୪ ଓ୍ଵିକେଟ୍‌ରେ ଜିତି ନେଇଛି । ମ୍ୟାଚ୍‌ର ହିରୋ କେଏଲ୍‌ ରାହୁଲ ୧୦୩ ବଲ୍‌ ଖେଳି ୬୪ ରନ୍‌ କରିଥିବା ବେଳେ ତାଙ୍କ ସହ କୁଲଦୀପ ଯାଦବ ୧୦ ରନ୍‌ରେ ଅପରାଜିତ ରହିଛନ୍ତି । ଭାରତ ୪୩.୨ ଓଭରରେ ୬ ଓ୍ଵିକେଟ୍‌ ହରାଇ ୨୧୯ ରନ୍‌ କରିଛି । ଭାରତ ୨-୧ରେ ଦିନିକିଆ ସିରିଜ୍‌ ବିଜୟୀ ହୋଇଛି ।

କୋଲକାତାର ମହାନ୍‌ ଇଡେନ ଗାର୍ଡନ୍ସ ଷ୍ଟାଡିୟମ୍‌ରେ ଆଜି ଖେଳା ଯାଇଥିଲା ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍‌ । ଏଥିରେ ଟସ୍‌ ଜିତି ଶ୍ରୀଲଙ୍କା ଦଳ ପ୍ରଥମେ ବ୍ୟାଟିଂ ନେଇଥିଲା । ଏନ୍‌. ଫର୍ଣ୍ଣାଣ୍ଡୋ ୫୦, କୁଶଲ ମେଣ୍ଡିସ ୩୪, େଓ୍ଵଲାଗେଙ୍କ ୩୨ ରନ୍‌ ବଳରେ ଶ୍ରୀଲଙ୍କା ୩୯.୪ ଓଭରରେ ସବୁ ଓ୍ଵିକେଟ୍‌ ହରାଇ ୨୧୫ ରନ୍‌ କରି ପାରିଥିଲା । ଭାରତ ପକ୍ଷରୁ ସିରାଜ ୩୦ ରନ୍‌ରେ ୩ଟି, କୁଲଦୀପ ଯାଦବ ୫୧ ରନ୍‌ରେ ୩ଟି ଏବଂ ଯୁବ ପେସ ବୋଲର ଉମରାନ ମଲ୍ଲିକ ୪୮ ରନ୍‌ ଦେଇ ୨ଟି ଓ୍ଵିକେଟ୍‌ ଦଖଲ କରିଥିଲେ ।

ପରେ ୨୧୬ ରନ୍‌ର ଲକ୍ଷ୍ୟ ନେଇ ଭାରତ ବ୍ୟାଟିଂ ଆରମ୍ଭ କରିଥିଲା । ତେବେ ଗତ ମ୍ୟାଚ୍‌ରେ ଜୋରଦାର ବ୍ୟାଟିଂ କରିଥିବା ଓପ୍ନର ରୋହିତ ଶର୍ମା (୧୭) ଓ ଶୁବମନ ଗିଲ୍‌ (୨୧) ଅଳ୍ପ ରନ୍‌ରେ ଆଉଟ୍‌ ହୋଇ ଯାଇଥିଲେ । ବିରାଟ କୋହଲି ମଧ୍ୟ ମାତ୍ର ୪ ରନ୍‌ କରି ଲାହିରୁ କୁମାରାଙ୍କ ଦ୍ୱାରା ବୋଲଡ ହୋଇଥିଲେ । ଏହାପରେ ଶ୍ରେୟସ ଆୟର ଓ କେଏଲ୍‌ ରାହୁଲ ପାଳି ସମ୍ଭାଳିଥିଲେ । ଏମାନେ ସ୍କୋରକୁ ୮୪ ରନ୍‌ରେ ପହଞ୍ଚାଇବା ପରେ ଆୟର ୨୮ ରନ୍‌ କରି ବିଦା ହୋଇଥିଲେ । ତେବେ ରାହୁଲ ପରବର୍ତ୍ତୀ ବ୍ୟାଟର ହାର୍ଦ୍ଦିକ ପାଣ୍ଡ୍ୟା (୩୬) ଅକ୍ସର ପଟେଲ (୨୧)ଙ୍କୁ ସାଥୀ କରି ଲଢ଼େଇ କରିଥିଲେ । ଏମାନେ ଆଉଟ୍‌ ହେବା ପରେ କୁଲଦୀପ ଯାଦବଙ୍କ ସହ ମିଶି ମୁଣ୍ଡି ମାରିଥିଲେ ରାହୁଲ ।

Leave A Reply

Your email address will not be published.