କାଲିଠାରୁ ଶେଷ ଟେଷ୍ଟ : କାହାକୁ ରଖିବ କାହାକୁ ବାଦ୍ ଦେବ ଭାରତ ?

ଲଣ୍ଡନ : ଦଳରେ କାହାକୁ ରଖିବେ କାହାକୁ ପରିବର୍ତ୍ତନ କରିବେ ଏବେ ସେଇ ଚିନ୍ତାରେ ଟିମ୍ ଇଣ୍ଡିଆ ଥିଙ୍କଟ୍ୟାଙ୍କ । ଆସନ୍ତାକାଲିଠାରୁ ଓଭାଲରେ ଆରମ୍ଭ ହେବ ପଞ୍ଚମ ତଥା ଶେଷ ଟେଷ୍ଟ । ୧-୩ରେ ଇଂଲଣ୍ଡ ଠାରୁ ସିରିଜ୍ ହାରି ସାରିଛି ଭାରତୀୟ ଦଳ । ତେବେ ସମ୍ମାନ ରକ୍ଷା କରିବା ପାଇଁ ଯଦି ଶେଷ ମ୍ୟାଚ୍ ଜିତିଯାଏ ତାହେଲେ ଅନ୍ତତଃ ୩-୨ର ପରାଜୟ ନେଇ ସ୍ବଦେଶ ଫେରିବ କୋହଲିଙ୍କ ଟିମ୍ । ଅବଶ୍ୟ ତାଙ୍କ ପୂର୍ବସୁରୀମାନେ ଏହାଠାରୁ ଅଧିକ ବ୍ୟବଧାନରେ ହାରିଛନ୍ତି । ତେଣୁ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀଙ୍କ କହିବା ହେଲା, ଆମେ ଭଲ ସ୍ଥିତିରେ ଅଛୁ ।

ଯଦି କିଛି ପରିବର୍ତ୍ତନ ହୁଏ ତେବେ ଯୁବ ମଧ୍ୟଭାଗ ବ୍ୟାଟ୍ସମ୍ୟାନ୍ ହନୁମା ବିହାରୀ ଦଳକୁ ଆସିବେ । ସେହିପରି ପୃଥ୍ବୀ ସ ମଧ୍ୟ ଲାଇନରେ ଅଛନ୍ତି । ପୃଥ୍ବୀ ମୁରଲୀ ବିଜୟ ଏବଂ ହନୁମା କୁଲଦୀପ ଯାଦବଙ୍କ ଜାଗାରେ ଶେଷ ଦୁଇଟି ଟେଷ୍ଟ ପାଇଁ ଦଳରେ ସାମିଲ ହୋଇଛନ୍ତି । ତେବେ ତାଙ୍କ ପ୍ରତି ବ୍ୟାଟିଂ କୋଚ୍ ସଞ୍ଜୟ ବାଙ୍ଗରଙ୍କ ସକାରାତ୍ମକ ମନ୍ତବ୍ୟ ଶୁଣିବା ପରେ ୧୧ ଜଣିଆ ଦଳରେ ହନୁମା ଖେଳିବାର ସମ୍ଭାବନା ଦେଖା ଦେଇଛି । ଯଦି ସୁଯୋଗ ପାଆନ୍ତି ତେବେ ସେ ହେବେ ଭାରତର ୨୯୨ତମ ଟେଷ୍ଟ ଖେଳାଳି । ହନୁମା ଖେଳିଲେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ବାଦ ପଡ଼ିବେ । ସେହିପରି ଚର୍ଚ୍ଚା ଚାଲିଛି ପୃଥ୍ବୀ ସ ହୁଏତ ଲୋକେଶ ରାହୁଲଙ୍କ ଜାଗା ନେଇ ପାରନ୍ତି । ଚଳିତ ସିରିଜରେ ଆଦୌ ଖେଳି ନଥିବା ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ମଧ୍ୟ ସ୍ପିନର ରବିଚନ୍ଦ୍ର ଅଶ୍ବିନଙ୍କ ଜାଗା ନେବେ ବୋଲି ଆଲୋଚନା ହେଉଛି । କାରଣ ଓଭାଲରେ ଅଭ୍ୟାସ ବେଳେ ଅଶ୍ବିନ୍ ଅଧିକ ବୋଲିଂ କରିବା ଦେଖା ଯାଇ ନଥିଲା । ଅପରପକ୍ଷେ ଜାଡେଜା ଉଭୟ ବୋଲିଂ ଓ ବ୍ୟାଟିଂ ଅଭ୍ୟାସ କରିଛନ୍ତି । ସେଥିରୁ ଲାଗୁଛି ଜାଡେଜା ଶେଷ ମ୍ୟାଚରେ ଖେଳି ପାରନ୍ତି । ସେପଟେ ସିରିଜ୍ ଜିତି ସାରିଥିବା ଘରୋଇ ଇଂଲଣ୍ଡ ଦଳରେ କୌଣସି ପରିବର୍ତ୍ତନ କରାଯିବ ନାହିଁ ବୋଲି ଘୋଷଣା ହୋଇ ସାରିଛି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.