ଶ୍ରୀଲଙ୍କାକୁ ୧୪ ରନରେ ହରାଇ ରୋଡ ସେଫ୍ଟି ୱାର୍ଲ୍ଡ ସିରିଜ ଟି-୨୦ ଜିତିଲା ଇଣ୍ଡିଆ, ୟୁବି ଓ ୟୁସୁଫ କଲେ କମାଲ୍

ରାୟପୁରର ସହିଦ ବୀର ନାରାୟଣ ସିଂହଙ୍କ ଅନ୍ତର୍ରାଷ୍ଟ୍ରୀୟ କ୍ରିକେଟ ଷ୍ଟାଡିଅମରେ ଖେଳାଯାଉଥିବା ରୋଡ ସେଫ୍ଟି ୱାଲର୍ଡ ସିରିଜ ଟି-୨୦ ଟୁର୍ଣ୍ଣାମେଣ୍ଟରେ ଇଣ୍ଡିଆ ଲିଜେଣ୍ଡସ ଶ୍ରୀଲଙ୍କାକୁ ୧୪ ରନରେ ହରାଇ ସିରିଜ କବ୍ଜା କରିନେଇଛି। ଯୁବରାଜ ସିଂହ ଓ ୟୁସୁଫ ପଠାନଙ୍କ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଦମଦାର ପ୍ରଦର୍ଶନ ମ୍ଯାଚରେ ଟର୍ନିଂ ପଏଣ୍ଟ ସାଜିଥିଲା। ପ୍ରଥମେ ବ୍ୟାଟିଂ କରି ଭାରତ ଯୁବରାଜଙ୍କ ୬୦ ଓ ୟୁସୁଫଙ୍କ ୬୨ ରନ ସହାୟତାରେ ୪ ଓ୍ଵିକେଟରେ ୧୮୧ ରନ କରିଥିଲା। ଜବାବରେ ଶ୍ରୀଲଙ୍କା ନିର୍ଦ୍ଧାରିତ ଓଭରରେ ୭ ଓ୍ଵିକେଟ୍ ହରାଇ ୧୬୭ ରନ କରିବାକୁ ସକ୍ଷମ ହୋଇଥିଲା। ଶ୍ରୀଲଙ୍କା ପକ୍ଷରୁ ସନଥ ଜୟସୁରିଆ ସର୍ବାଧିକ ୪୩ ରନ କରିଥିବା ବେଳେ ଚିନ୍ଥକା ଜୟସିଂଘେ ୪୦ ଓ କୌଶଲ୍ୟା ଓ୍ଵିରାରତ୍ନେ ୩୮ ରନ କରିଥିଲେ। ଭାରତ ପକ୍ଷରୁ ୟୁସୁଫ ପଠାନ ଓ ଇରଫାନ ପ୍ରତ୍ୟେକ ୨ଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତର ଦୁଇ ଓପନର ବୀରେନ୍ଦ୍ର ସେହ୍ଵାଗ ଓ ସଚିନ ତେନ୍ଦୁଲକର ୧୯ ରନ ଯୋଡିଥିଲେ। ସେହ୍ଵାଗ ୧୦ ରନ କରି ଏବଂ ତେନ୍ଦୁଲକର ୨୩ ବଲ୍ରୁ ୫ ଚୌକା ସହ ୩୦ ରନ କରିଥିଲେ।

ଅନ୍ୟପଟେ ଯୁବରାଜ ସିଂହ ଦମଦାର ବ୍ୟାଟିଂ କରି ଅର୍ଦ୍ଧଶତକ ହାସଲ କରିଥିଲେ। ୟୁସୁଫ ମାତ୍ର ୨୪ ବଲ୍ରୁ ଅର୍ଦ୍ଧଶତକ ହାସଲ କରିଥିଲେ। ଯୁବରାଜ ଓ ୟୁସୁଫ ଚତୁର୍ଥ ଓ୍ଵିକେଟ୍ରେ ୮୫ ରନ ଯୋଡିଥିଲେ। ଯୁବରାଜ ୪୧ ବଲ୍ରୁ ୪ ଚୌକା ଓ ୪ ଛକା ସହ ୬୦ ରନ କରି ବିଦାୟ ନେଇଥିଲେ। ଭାରତ ନିର୍ଦ୍ଧାରିତ ଓଭରରେ ୪ ଓ୍ଵିକେଟ୍ ହରାଇ ୧୮୦ ରନ କରିଛି। ୟୁସୁଫ ପଠାନ ୩୬ ବଲ୍ରୁ ୪ ଚୌକା ଓ ୫ ଛକ ସହ ୬୨ ରନ କରି ଅପରାଜିତ ଥିଲେ। ଶ୍ରୀଲଙ୍କା ଲିଜେଣ୍ଡ୍ସ ପକ୍ଷରୁ ରଙ୍ଗନା ହେରାଥ, ସନଥ ଜୟସୁରିୟା, ଫରବିଜ ମହାରୁଫ ଏବଂ କୌଶଲ୍ୟା ଓ୍ଵିରାରତ୍ନେ ଗୋଟେ ଗୋଟେ ୱିକେଟ ନେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.